କୂଳ ଖାଉଛି ନାଗାବଳୀ : ନଦୀ ଗର୍ଭରେ ଲୀନ ହେବ ୧୦ଖଣ୍ଡ ଗାଁ

Advertisment

ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ, ବିପନ୍ନ ହେଉଛି ଜୀବନ ଜୀବିକା

ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ, ବିପନ୍ନ ହେଉଛି ଜୀବନ ଜୀବିକା

କୂଳ ଖାଉଛି ନାଗାବଳୀ : ନଦୀ ଗର୍ଭରେ ଲୀନ ହେବ ୧୦ଖଣ୍ଡ ଗାଁ

YouTube

ରାୟଗଡା : କୂଳ ଖାଉଛି ନାଗାବଳୀ। ପ୍ରତି ବର୍ଷ ବଦଳୁଛି ନଦୀର ଗତିପଥ। ଲଗାଣ ବର୍ଷାରେ ନଦୀ ଫୁଲିଲେ ୧୦ ଖଣ୍ଡ ଗ୍ରାମବାସୀଙ୍କ ଆଖିରୁ ହଜିଯାଉଛି ନିଦ। ଦୀର୍ଘ ୧୫ ବର୍ଷ ଧରି ବର୍ଷା ଋତୁରେ ନାଗାବଳୀ କୂଳ ଲଂଘି ଚାଲିଛି। ଯାହାଫଳରେ ବନ୍ୟା ଜଳରେ ଉବୁଟୁବୁ ହେଉଛନ୍ତି ରାୟଗଡା, କୋଲନରା, କଲ୍ୟାଣସିଂହପୁର ବ୍ଲକର ନଈକୂଳିଆ ଗ୍ରାମବାସୀ। ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରତିକାର ବ୍ୟବସ୍ଥା ନଥିବାରୁ ସମୟକ୍ରମେ ନଦୀଗର୍ଭରେ ଲୀନ ହେବା ଗାଁ ସଂଖ୍ୟା ବଢ଼ିବାରେ ଲାଗିଛି।

କୋଲନରା ବ୍ଲକର ରେବତୀଗୁଡା ଗାଁ। ହାଲ୍‌କା ବର୍ଷାରେ ବି ଗାଁ ନିକଟ ଦେଇ ବହି ଯାଇଥିବା ନାଗାବଳୀ ଦାଉ ସାଧୁଛି। ଦିନ ଥିଲା ଗ୍ରାମଠୁ ୩ ଶହ ମିଟର ଦୂରରେ ବହି ଯାଉଥିଲା ନଦୀ। କିନ୍ତୁ ନଦୀ କୂଳ ଲଂଘିବା ଯୋଗୁ ଏବେ ଗାଁ ଠାରୁ ୫୦ ମିଟର ଦୂରରେ ରହିଛି। ଗତ ୧୯ବର୍ଷରେ ନଦୀ ୨୫୦ ମିଟର କୂଳ ଖାଇ ସାରିଲାଣି। ବର୍ତମାନ ଗ୍ରାମର ତିନି ପାର୍ଶ୍ବ ଦେଇ ବହି ଯାଉଛି ନଦୀ। ବର୍ଷା ଋତୁରେ ନଦୀ ଜଳପତ୍ତନ ବଢ଼ିଲେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ବାରମ୍ବାର ନଦୀର ଗତିପଥ ପରିବର୍ତନ ଯୋଗୁ ଗାଁର କିଛି ଘର କାନ୍ଥରେ ଫାଟ ସୃଷ୍ଟି ହେବା ସହ କିଛି ଘର ଭୁଶୁଡିଲାଣି। ସୁରକ୍ଷା ପ୍ରାଚୀର ସହ ଆଡିବନ୍ଧ ନିର୍ମାଣ ପାଇଁ ଗ୍ରାମବାସୀ ପ୍ରଶାସନଠୁ ଆରମ୍ଭ କରି ନେତା, ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ହାରି ଗୁହାରି କରିବା ସତ୍ତ୍ବେ କିଛି ସୁଫଳ ମିଳିପାରୁନି। ଫଳରେ ନାଗାବଳୀ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି ଏହି ଗାଁ।

ସେହିପରି ନଦୀ କୂଳରେ ଥିବା ବିରିବାଡି ଗ୍ରାମର ଅବସ୍ଥା ମଧ୍ୟ ସମାନ୍। ବନ୍ୟା ପାଣି ଗାଁ ଭିତରକୁ ମାଡ଼ୁଥିବାରୁ ଜୀବନ ଜୀବିକା ଛାଡି ଗ୍ରାମବାସୀ ବର୍ଷା ଦିନେ ଘରଦ୍ବାରକୁ ଜଗି ରହୁଛନ୍ତି। ୨୦୧୭ ବନ୍ୟାରେ ନଦୀଗର୍ଭରେ ଲୀନ ହୋଇଥିବା କଲ୍ୟାଣସିଂହପୁର ବ୍ଲକର କୁମ୍ଭାରୀଗୁଡା ଗାଁ। ୩୬ ପରିବାର ସର୍ବସ୍ବାନ୍ତ ହୋଇ ପଡିଥିବା ବେଳେ ଆଜି ପର୍ଯ୍ୟନ୍ତ ଅଣ୍ଟା ସଳଖି ପାରିନାହାନ୍ତି। ଏବେ ବି ଏହି ପରିବାର ପଲିଥିନ୍ ତଳେ ମୁଣ୍ଡ ଗୁଞ୍ଜିଛନ୍ତି। ତାହା ପୁଣି ନାଗାବଳୀ ନଦୀ କୂଳରେ। ଭିଟାମାଟିକୁ ଛାଡି ଗ୍ରାମବାସୀ ଯାଇପାରୁ ନଥିବାରୁ ବନ୍ୟା ଭୟ ସତ୍ତ୍ବେ ଉକ୍ତ ଗ୍ରାମରେ ହିଁ ରହୁଛନ୍ତି। ସେହିପରି ବ୍ଲକର ଜିଲୁଣ୍ଡା, କୋତାଗୁଡା, ଭେଜା ଗାଁ ସମେତ ବୁଡାଗୁଡା, କଲ୍ୟାଣସିଂହପୁର, ମାଝୀଗୁଡା ପଂଚାୟତ ନାଗାବଳୀ ନଦୀ ଦ୍ବାରା ପ୍ରଭାବିତ ହେଉଛି।

୨୦୧୭ ବନ୍ୟା ବିତ୍ପାତକୁ ବ୍ଲକବାସୀ ଏଯାବତ୍ ଭୁଲିନଥିବା ବେଳେ ନଦୀରେ ବନ୍ୟା ପାଣିକୁ ଦେଖିଲେ ଛାତି ଥରି ଉଠୁଥିବା ପ୍ରକାଶ କରିଛନ୍ତି। ବ୍ଲକର ସିଙ୍ଗାରୀଠୁ ଆରମ୍ଭ କରି ଭେଜା ପର୍ଯ୍ୟନ୍ତ ବହି ଯାଇଥିବା ନାଗାବଳୀ ନଦୀ ଏବେ ୩ ପଞ୍ଚାୟତବାସୀଙ୍କ ପାଇଁ ଦୁଃଖର କାରଣ ପାଲଟିଛି। ରାୟଗଡା ବ୍ଲକର ଜଗନ୍ନାଥପୁର, ବେହେରାଗୁଡା, ବେଡେଲି, ଗୋସାଇଁକଣ୍ଟୁଆ, ଉମୁରାବାଲି ପ୍ରଭୃତି ଗାଁ ନାଗାବଳୀ ବନ୍ୟାରେ ପ୍ରଭାବିତ ହେଉଛି। ୨୦୧୭ ବନ୍ୟାରେ ଜଗନ୍ନାଥପୁର ଓ ଗୋସାଇଁକଣ୍ଟୁଆ ଗ୍ରାମରେ ବନ୍ୟା ପାଣି ପଶୁଥିଲା। ଜଗନ୍ନାଥପୁର ଠାରେ ନାଗାବଳୀ କୂଳ ଲଂଘି ଚାଲି ଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଦିନ କାଟୁଥିବା ବେଣୁ ମେଲେକା କହିଛନ୍ତି। ସେହିପରି ସାନଚାନ୍ଦିଲି, କୋତପେଟା, କୁମୁଟିପେଣ୍ଠ, ଦେବଦୋଳା ଗ୍ରାମ ମଧ୍ୟ ବର୍ଷା ଋତୁରେ ନାଗାବଳୀ ଦ୍ବାରା ପ୍ରଭାବିତ ହେଉଛନ୍ତି।

ଆଗକୁ ବର୍ଷା ଦିନ ଆସୁଥିବାରୁ ପ୍ରଶାସନ ତୁରନ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି। ନଚେତ୍ ନାଗାବଳୀ ନଦୀ ଗର୍ଭରେ ୩ ବ୍ଲକର ୧୦ଖଣ୍ଡା ଗାଁ ଲୀନ ହେବ ଏଥିରେ ସଂଦେହ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe