କରଞ୍ଜିଆ ଗୋଲେଇ: ରଙ୍ଗିନ ଲାଇଟ୍ ଆଉ ଡିଜେ ସାଉଣ୍ଡରେ ବାଜୁଥିଲା ମେ ନାଗିନ୍... ନାଗିନ୍ ଗୀତ। ଲାଇଟ୍, ଗୀତର ତାଳେ ତାଳେ ମତୁଆଲା ହୋଇ ନାଚୁଥିଲେ ବରଯାତ୍ରୀ। ଆଉ ସେମାନଙ୍କ ସହ ନାଚିଥିଲେ ଏକାଧିକ ସତସତିକା ଜୀବନ୍ତ ନାଗସାପ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ବିବାହ ଶୋଭାଯାତ୍ରାରେ ନିଜ ଜୀବନକୁ ପାଣି ଛଡ଼ାଇ ମୃତ୍ୟୁ ସହ ଖେଳୁଥିଲେ ବରଯାତ୍ରୀ। ଭଗବାନଙ୍କ କୃପାରୁ ଅବଶ୍ୟ କାହାର କିଛି କ୍ଷତି ହୋଇନାହିଁ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସାଧାରଣରେ ବି ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଘଟଣାରେ ବନ ବିଭାଗ ଡିଜେ ଗାଡ଼ି ସହ ୩ଟି ବିଷଧର ନାଗସାପକୁ ଜବତ କରିଥିବାବେଳେ ପ୍ରାଣୀ ସୁରକ୍ଷା ଆଇନ୍ ଉଲ୍ଲଂଘନ ଅଭିଯୋଗରେ ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର ସାପୁଆ କେଳା ରାମ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ବୁଧବାର କରଞ୍ଜିଆରେ ଆୟୋଜିତ ଏହି ବିବାହ ଶୋଭାଯାତ୍ରାରେ ଏମିତି ଭୟଙ୍କର ଦୃଶ୍ୟ ଦେଖି ଦେଖଣାହାରୀ ବି ତଟସ୍ଥ ହୋଇ ଯାଇଥିଲେ। ଡିଜେ ଗୀତର ତାଳେ ତାଳେ ବରଯାତ୍ରୀମାନେ ପୂରା ଫିଲିମ୍ ଷ୍ଟାଇଲରେ ସପେରା ହୋଇ ଧୂଳିଉଡ଼ା ନାଚ କରିଥିଲେ। ବିବାହ ଶୋଭାଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବରପକ୍ଷ ସତସତିକା ନାଗସାପର ବ୍ୟବସ୍ଥା କରିଥିବା କୁହାଯାଉଛି। ବରଯାତ୍ରୀଙ୍କ ଭିଡ଼ ଭିତରେ ଜଣେ କେଳା ୩ଟି ବିଷଧର ନାଗସାପକୁ ନଚାଇଥିବା ବେଳେ ଆଉ କିଛି ସାପକୁ ନିଜ ପେଡ଼ି ଭିତରେ ରଖିଥିଲେ। ତେବେ ନାଚଗୀତ ଭିତରେ ସମସ୍ତେ ଭୁଲି ଯାଇଥିଲେ ରାଗରେ ଫଁ ଫଁ ହେଉଥିବା ସେହି କାଳରୂପୀ ସର୍ପମାନଙ୍କ କଥା। କାନଫଟା ଡିଜେ ଶଦ୍ଦରେ ଯଦି ନାଗସାପଗୁଡ଼ିକ ସେଠାରେ କାହାକୁ ଦଂଶନ କରିଥାନ୍ତେ କିମ୍ବା ପେଡ଼ିରୁ ବାହାରି ଆସିଥାନ୍ତେ, ତେବେ କଣ ହୋଇଥାନ୍ତା?
ତେବେ କଥାଟି ଲୁଚିନଥିଲା। କେହି ଜଣେ ମୋବାଇଲ୍ରେ ଏହାର ଦୃଶ୍ୟ ଉତ୍ତୋଳନ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିବା ପରେ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକଙ୍କ ନିର୍ଦ୍ଦେଶ କ୍ରମେ କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରବୀର କୁମାର ମୁର୍ମୁ ବିଭାଗୀୟ କର୍ମଚାରୀଙ୍କ ସହ ଯାଇ ଶୋଭାଯାତ୍ରାରେ ଚଢ଼ଉ କରିଥିଲେ। ଡିଜେ ଗାଡ଼ି ସହ ୩ଟି ନାଗସାପ ଜବତ କରାଯିବା ସହ କେଳା ରାମ ସିଂ ଓ ଅନ୍ୟ ଚାରିଜଣଙ୍କୁ ଅଟକ ରଖାଯାଇଥିଲା। ତେବେ ପଚରାଉଚରା ପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଥିବାବେଳେ ରାମଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସିଏଫ୍ ଫାଲ୍ଗୁନୀ ବେହେରା ସୂଚନା ଦେଇଛନ୍ତି।
Follow Us