ନାଲ୍‌କୋ ୩୭ ହଜାର କୋଟି ନିବେଶ କରିବ: ଆସନ୍ତାବର୍ଷ କାର୍ଯ୍ୟକ୍ଷମ ହେବ ପଟାଙ୍ଗୀ ଖଣି

ନବରତ୍ନ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍‌ (ନାଲ୍‌କୋ) ସମ୍ପ୍ରସାରଣରେ ପ୍ରାୟ ୩୭ ହଜାର କୋଟି ଟଙ୍କା ନିବେଶ କରିବ। କମ୍ପାନିର ସିଏମ୍‌ଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ ଅନୁଗୁଳରେ ଆଲୁମିନିୟମ ସ୍ମେଲଟର କ୍ଷମତାକୁ ୦.୫ ନିୟୁତ ଟନ୍ ବଢ଼ାଇବାରେ....

ଅଦ୍ୟତନ ହୋଇଛି
sfssfsfsf

ଭୁବନେଶ୍ବର: ନବରତ୍ନ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍‌ (ନାଲ୍‌କୋ) ସମ୍ପ୍ରସାରଣରେ ପ୍ରାୟ ୩୭ ହଜାର କୋଟି ଟଙ୍କା ନିବେଶ କରିବ। କମ୍ପାନିର ସିଏମ୍‌ଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ ଅନୁଗୁଳରେ ଆଲୁମିନିୟମ ସ୍ମେଲଟର କ୍ଷମତାକୁ ୦.୫ ନିୟୁତ ଟନ୍ ବଢ଼ାଇବାରେ କମ୍ପାନି ୧୭,୧୬୩ କୋଟି ଟଙ୍କା ନିବେଶ କରିବ। ସେହି ସମ‌ୟରେ ପାୱାର ପ୍ଲାଣ୍ଟ୍‌ କ୍ଷମତା ୧୦୮୦ ମେଗାୱାଟ୍‌ ବଢ଼ାଇବାରେ ୧୨,୦୦୦ କୋଟି ଟଙ୍କା, ଦାମନଯୋଡ଼ିରେ ୧ ନିୟୁତ ଟନ୍ ବିଶିଷ୍ଟ ଆଲୁମିନା ରିଫାଇନାରିର ପଞ୍ଚମ ଷ୍ଟ୍ରିମ୍‌ ପାଇଁ ୫୬୭୭ କୋଟି ଟଙ୍କା ଏବଂ ୩.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ କୋରାପୁଟ ଜିଲ୍ଲାର ପଟାଙ୍ଗୀ ବକ୍ସାଇଟ୍‌ ଖଣି ପାଇଁ ୧୯୬୧ କୋଟି ଟଙ୍କା ନିବେଶ କରିବ। ଆସନ୍ତା ୪-୫ ବର୍ଷ ମଧ୍ୟରେ ବା ୨୦୩୦ ସୁଦ୍ଧା ସମ୍ପ୍ରସାରଣ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଉପରେ କମ୍ପାନି ଗୁରୁତ୍ବ 
ଦେବ ବୋଲି ସେ କହିଛନ୍ତି।

ନବରତ୍ନରୁ ଏକ ମହାରତ୍ନ କମ୍ପାନିରେ ପରିଣତ ହେବା ଲାଗି କମ୍ପାନିକୁ ନିଜର କ୍ଷମତା ଓ ଆୟ ବଢ଼ାଇବାକୁ ପଡ଼ିବ ବୋଲି କହିବା ସହ ତାହାକୁ ନଜରରେ ରଖି ସମ୍ପ୍ରସାରଣ ଯୋଜନା ପ୍ରସ୍ତୁତ କରାଯାଇଥିବା ଶ୍ରୀ ସିଂହ କହିଛନ୍ତି। ଉଭୟ ପରିଚାଳନା ଦକ୍ଷତା ବଢ଼ାଇବା ଓ ଖର୍ଚ୍ଚ କମ୍ କରିବା ଉପରେ କମ୍ପାନି ଜୋର୍ ଦେଉଛି। ଅନୁଗୁଳ ସ୍ମେଲଟର ସମ୍ପ୍ରସାରଣ ସମ୍ପର୍କରେ ସେ କହିଛନ୍ତି ଯେ ଡିପିଆର୍‌ ପ୍ରସ୍ତୁତ କରାଯାଉଛି। ଜମି ଅଧିଗ୍ରହଣ ଅଗ୍ରଣୀ ପର୍ଯ୍ୟାୟରେ ରହିଛି। ରାଜ୍ୟ ସରକାର ଆବଶ୍ୟକ ସହଯୋଗ ଦେଉଛନ୍ତି। ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ପଟାଙ୍ଗୀ ବକ୍ସାଇଟ୍‌ ଖଣି କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି। ନେଟ୍‌ ଜିରୋ ହେବା ଲାଗି କମ୍ପାନି ଅକ୍ଷୟ ଶକ୍ତି ବ୍ୟବହାର ଉପରେ ଗୁରୁତ୍ବ ଦେଉଛି। ଆସନ୍ତା ୩-୪ ବର୍ଷ ମଧ୍ୟରେ କମ୍ପାନି ୩୦୦-୪୦୦ ମେଗାୱାଟ୍‌ ପର୍ଯ୍ୟନ୍ତ ଅକ୍ଷୟ ଶକ୍ତି କ୍ଷମତା ଯୋଡ଼ିବ। ଅନ୍ୟମାନଙ୍କଠାରୁ ମଧ୍ୟ ଅକ୍ଷୟ ଶକ୍ତି ସଂଗ୍ରହ କରିବ ବୋଲି ସେ କହିଛନ୍ତି।

ଆସନ୍ତାବର୍ଷ କାର୍ଯ୍ୟକ୍ଷମ ହେବ ପଟାଙ୍ଗୀ ଖଣି
ଆମେରିକା ଶୁଳ୍କ ପ୍ରଭାବିତ କରିବନି: ସିଏମ୍‌ଡି

‘ମହାରତ୍ନ’ ଉପରେ ଆଖି

ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଶୁଳ୍କ ସମ୍ପର୍କରେ ଶ୍ରୀ ସିଂହ କହିଥିଲେ ଯେ ଯେହେତୁ ନାଲ୍‌କୋ ଆମେରିକାକୁ ରପ୍ତାନି କରେନାହିଁ, ତେଣୁ ଏହା କୌଣସି ପ୍ରକାରରେ ପ୍ରଭାବିତ ହେବ ନାହିଁ। ନିକଟରେ ବ୍ରିଟେନ୍ ସହ ସ୍ବାକ୍ଷର ହୋଇଥିବା ବାଣିଜ୍ୟ ରାଜିନାମା କମ୍ପାନି ପାଇଁ ସୁଯୋଗ ସୃଷ୍ଟି କରିଛି। ଯେହେତୁ ସେଠାରେ ଆଲୁମିନିୟମ ସ୍ମେଲଟର ନାହିଁ, ତେଣୁ କମ୍ପାନି ସେଠାକୁ ଉତ୍ପାଦ ରପ୍ତାନି କରି ବ୍ୟବସାୟ ବଢ଼ାଇପାରିବ। ଆଲୁମିନିୟମ ଶିଳ୍ପର ଭବିଷ୍ୟତ ବେଶ୍ ଉଜ୍ଜ୍ବଳ ଥିବା ଦର୍ଶାଇ ସେ କହିଥିଲେ ଯେ ଆଲୁମିନିୟମ ଉପଯୋଗିତା ବାର୍ଷିକ ୧୦ ପ୍ରତିଶତ ଚକ୍ରବୃଦ୍ଧି ହାରରେ ବଢ଼ିବା ଆକଳନ କରାଯାଇଛି; ଯାହା ୨୦୩୦ ସୁଦ୍ଧା ୮ ନିୟୁତ ଟନ୍, ୨୦୪୦ ସୁଦ୍ଧା ୧୮ ନିୟୁତ ଟନ୍ ଏବଂ ୨୦୪୭ ସୁଦ୍ଧା ୨୮ ନିୟୁତ ଟନ୍‌କୁ ବୃଦ୍ଧି ପାଇବ। 

କମ୍ପାନିର ଆର୍ଥିକ କାରବାର ଉପରେ ଆଲୋକପାତ କରି ଶ୍ରୀ ସିଂହ କହିଥିଲେ ଯେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ କମ୍ପାନିର ନିଟ୍ ଲାଭ ୭୭ ପ୍ରତିଶତ ବୃଦ୍ଧି ପାଇ ୧୦୬୪ କୋଟି ଟଙ୍କା ଓ ରାଜସ୍ବ ୩୮୦୭ କୋଟି ଟଙ୍କା ହୋଇଛି। ୨୦୨୪-୨୫ରେ କମ୍ପାନି ସର୍ବକାଳୀନ ସର୍ବାଧିକ ୫୩୨୫ କୋଟି ଟଙ୍କାର ନିଟ୍ ଲାଭ ଓ ୧୬,୭୮୮ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଥିଲା। ଲାଭ ବଢ଼ିଥିବାରୁ ସିଏସ୍‌ଆର୍‌ରେ କମ୍ପାନିର ବ୍ୟୟ ୭୦ କୋଟି ଟଙ୍କା ଟପିବ ବୋଲି ଆଶା କରାଯାଉଛି। ଏହି ଅବସରରେ କମ୍ପାନି ନିର୍ଦ୍ଦେଶକ (ଉତ୍ପାଦନ) ପଙ୍କଜ କୁମାର ଶର୍ମା, ନିର୍ଦ୍ଦେଶକ (ପ୍ରକଳ୍ପ ଓ ବୈଷୟିକ) ଜଗଦୀଶ ଅରୋରା, ନିର୍ଦ୍ଦେଶକ (ମାନବ ସମ୍ବଳ) ଡ. ତାପସ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ (ବିତ୍ତ) ଅଭୟ କୁମାର ବେହୁରିଆ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ) ଆଶୁତୋଷ ରଥ ଉପସ୍ଥିତ ଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe