ନାମ ଘୋଷଣା ହୋଇନି, ବିବାଦ ଆରମ୍ଭ

Advertisment
ଓଡ଼ିଶାକୁ ଅଡ଼ୁଆ କୁଟାକ୍, ଅଉଲ୍, ବରହମ୍‌ପୁର: ବିକୃତ ଇଂରାଜୀ ବନାନକୁ ନେଇ ବିଭ୍ରାନ୍ତିରେ ଲୋକ

୪ ଏକାଡେମି ପାଇଁ ସୁପାରିସ୍‌ ହୋଇଥିବା ନାମକୁ ନେଇ ଚର୍ଚ୍ଚା
ହୃଷୀକେଶ ସାହିତ୍ୟ ଏକାଡେମି, ଅରୁଣା ସଙ୍ଗୀତ ନାଟକ ଏକାଡେମି ସଭାପତି!

ଭୁବନେଶ୍ବର : ସଂସ୍କୃତି ବିଭାଗର ୪ ଏକାଡେମିର ୮ ପଦବି ପୂରଣ ପାଇଁ ୧୧ ତାରିଖରେ ସର୍ଚ୍ଚ କମିଟି ବୈଠକ ବସିଲା। ପ୍ରତି ପଦବି ପାଇଁ ଜଣେ ଲେଖାଏ ଆବେଦନକାରୀଙ୍କ ନାମ ସୁପାରିସ୍‌ ହେଲା। ଏହି ନାମଗୁଡ଼ିକ ଉପରେ ମୁଖ୍ୟମନ୍ତ୍ରୀ ଏ ଯାଏ ଚୂଡ଼ାନ୍ତ ମୋହର ମାରି ନାହାନ୍ତି। କିନ୍ତୁ ସେହି ନାମଗୁଡ଼ିକୁ ନେଇ ସାମାଜିକ ଗଣମାଧ୍ୟମରେ ଜୋର୍‌ଦାର୍‌ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ନାମଗୁଡ଼ିକୁ ଖୋଲାଖୋଲି କିଛି ବ୍ୟକ୍ତି ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି। କେବଳ ପୋଷ୍ଟ୍‌ ହୋଇ ନାହିଁ, ତାହାକୁ ନେଇ ପରସ୍ପର ମଧ୍ୟରେ ବାଦବିବାଦ ଜୋର ଧରିଲାଣି। ବିଧିବଦ୍ଧ ବିଜ୍ଞପ୍ତି ପୂର୍ବରୁ ଚୟନ ହୋଇଥିବା ବ୍ୟକ୍ତିଙ୍କ ନାମ କିପରି ‌ବାହାରକୁ ଆସିଲା, ତାହାକୁ ନେଇ ପୁଣି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି।

ସାମାଜିକ ଗଣମାଧ୍ୟମରେ ହୋଇଥିବାରୁ ଏକାଧିକ ପୋଷ୍ଟରୁ ଜଣାପଡ଼ିଛି ଯେ ସାହିତ୍ୟ ଏକାଡେମିର ସଭାପତି ପାଇଁ ହୃଷୀକେଶ ମଲ୍ଲିକ, ଉପସଭାପତି ପାଇଁ ସଂଗ୍ରାମ କେଶରୀ ଜେନା ଓ ସଚିବ ପାଇଁ ଓଏଏସ୍‌ ଅଧିକାରୀ ପ୍ରବୋଧ କୁମାର ରାଉତ, ସଙ୍ଗୀତ ନାଟକ ଏକାଡେମିର ସଭାପତି ପାଇଁ ଅରୁଣା ମହାନ୍ତି ଓ ଉପସଭାପତି ପାଇଁ ମନ୍ମଥ ଶତପଥୀ, ଲଳିତ କଳା ଏକାଡେମିର ଉପସଭାପତି ପାଇଁ ଶ୍ରୀନିବାସ ପାଢ଼ୀ ଓ ସଚିବ ପାଇଁ ପଞ୍ଚାନନ ସାମଲ, ଉର୍ଦ୍ଦୁ ଏକାଡେମିର ସମ୍ପାଦକ ପାଇଁ ସୟଦ୍ ମୁସ୍‌ଲିମ୍ ଆଲାମଙ୍କ ନାମ ସୁପାରିସ୍‌ ହୋଇଛି। ଏହି ନାମଗୁଡ଼ିକ ଉପରେ ସଂସ୍କୃତି ବିଭାଗର କୌଣସି ଅଧିକାରୀ ପ୍ରତିକ୍ରିୟା ଦେଇ ନାହାନ୍ତି। କିନ୍ତୁ କିଏ କାହା ଲବିରେ ଯାଇଛି, କିଏ ପଦବି ପାଇଁ ଯୋଗ୍ୟ କି ନୁହେଁ, ତାହା ଉପରେ ସାମାଜିକ ଗଣମାଧ୍ୟମରେ ଖୋଲାଖୋଲି ଆଲୋଚନା ଚାଲିଛି। ବ୍ୟକ୍ତିଗତ ସ୍ତରକୁ ଯାଇ ମଧ୍ୟ କିଛି ବ୍ୟକ୍ତି ବିବାଦ ଆରମ୍ଭ କରିଦେଇଛନ୍ତି।

ଯଦି ଚର୍ଚ୍ଚା ହୋଇଥିବା ଏହି ନାମ ସତ ହୋଇଥାଏ, ତେବେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ କିପରି ସାହିତ୍ୟ ଏକାଡେମିର ସଚିବ ପଦବି ପାଇଁ ମନୋନୀତ କରାଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଫଳରେ ଏକାଡେମି ପୁଣି ଚିରାଚରିତ ଧାରାକୁ ଫେରିବା ପାଇଁ ଚେଷ୍ଟା କରୁଥିବା ଆଲୋଚନା ହେଉଛି। ପ୍ରଶ୍ନ ଉଠୁଛି, ଯଦି ଡେପୁଟେସନ୍‌ରେ ସରକାରୀ ଅଧିକାରୀଙ୍କୁ ଆଣି ଏକାଡେମିରେ ନିଯୁକ୍ତି ଦିଆଯିବ, ତେବେ ଆବେଦନ କାହିଁକି ଆହ୍ବାନ କରାଯାଉଥିଲା‌ ? ଏହାଦ୍ବାରା ଏକାଡେମିର ସ୍ବାଧୀନତା ବାଧାପ୍ରାପ୍ତ ହେବନି ତ ?

ସଂସ୍କୃତି ବିଭାଗ ଅଧୀନସ୍ଥ ଏହି ଚାରି ଏକାଡେମିର ପଦପଦବି ଦୀର୍ଘଦିନ ଧରି ପଦବିଗୁଡ଼ିକ ଖାଲି ରହିଥିବାରୁ ସରକାର ଏଥିପାଇଁ ସମାଲୋଚନାର ଶିକାର ହୋଇଥିଲେ। ତିନି ବର୍ଷ ତଳେ କିଛି ନାଁକୁ ବିଭାଗ ସ୍ତରରେ ସୁପାରିସ୍‌ କରାଯାଇଥିଲେ ବି ତାହା ଅଦୃଶ୍ୟ କାରଣ ପାଇଁ ଫାଇଲ୍‌ ତଳେ ଚାପି ହୋଇଯାଇଥିଲା। ଗତ ବର୍ଷ ସରକାର ନିଷ୍ପତ୍ତି ନେଲେ ଯେ ଏକାଡେମି ପଦପଦବି ପାଇଁ ଇଚ୍ଛୁକ ବ୍ୟକ୍ତି ଆବେଦନ କରିବେ। ସେହି ଆବେଦନକାରୀଙ୍କ ମଧ୍ୟରୁ ଚୟନ କମିଟି ନାମ ସୁପାରିସ୍ କରିବ। ଏହାକୁ ମଧ୍ୟ ବହୁ ବରିଷ୍ଠ ସାହିତ୍ୟିକ ଓ କଳାକାର ନାପସନ୍ଦ କରିଥିଲେ।

ପୁଣି ଆବେଦନ ପାଇଁ ବାହାରିଥିବା ବିଜ୍ଞାପନ ମଧ୍ୟ ବିବାଦମୁକ୍ତ ନ ଥିଲା। ପ୍ରଥମ ବିଜ୍ଞାପନରେ ବୟସ ସୀମା ସଭାପତି ଓ ଉପସଭାପତି ପାଇଁ ୬୦ରୁ ୮୦ ଥିଲା ବେଳେ ସଚିବ ପଦବି ପାଇଁ ୪୫ରୁ ୬୫ ବର୍ଷ ରହିଥିଲା। ପରବର୍ତ୍ତୀ ସମୟରେ ଏହାକୁ ସଂଶୋଧନ କରାଯାଇ ସର୍ବନିମ୍ନ ବୟସସୀମାକୁ ଉଠାଇ ଦିଆଯାଇଥିଲା ଓ କେବଳ ସାବାଳକ ହୋଇଥିବା ଦରକାର ବୋଲି କୁହାଯାଇଥିଲା। କେଉଁ ପରିସ୍ଥିତିରେ ସର୍ବନିମ୍ନ ବୟସସୀମା ଧାର୍ଯ୍ୟ କରାଗଲା ଓ ପୁଣି କାହା ଚାପରେ କିଛି ଦିନରେ ତାହାକୁ ସଂଶୋଧନ କରାଗଲା, ତାହାକୁ ନେଇ ବିଭାଗ ସମାଲୋଚିତ ‌ହୋଇଥିଲା। କର୍ମକର୍ତ୍ତା ମନୋନୟନ କରିବା ପାଇଁ ଏକ ଚୟନ କମିଟି ଗଠନ କରାଯାଇଥିଲା। ଉନ୍ନୟନ କମିସନର୍‌ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କମିଟିରେ ସଦସ୍ୟ ଅଛନ୍ତି ଅବସରପ୍ରାପ୍ତ ପ୍ରଶାସକ ଆର୍‌. ଏନ୍. ସେନାପତି, ପ୍ରିୟମ୍ବଦା ମହାନ୍ତି ହେଜମାଦି, ଡ. ରମେଶ ପ୍ରସାଦ ପାଣିଗ୍ରାହୀ ଓ ସଦାଶିବ ପ୍ରଧାନଙ୍କ ସମେତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ। ଗତ ମାର୍ଚ୍ଚ ୩୦ ଓ ଏପ୍ରିଲ୍‌ ୬ ତାରିଖରେ କମିଟି ବୈଠକ ବସି ଆବେଦନଗୁଡ଼ିକ ଯାଞ୍ଚ୍‌ କରାଯାଇ ୮ଟି ପଦବି ପାଇଁ ନାମ ସୁପାରିସ୍‌ କରାଯାଇଥିଲା। କମିଟି ପ୍ରତି ପଦବି ପାଇଁ ୨/୩ ଜଣ ଲେଖାଏ ଆବେଦନକାରୀଙ୍କ ନାମ ସୁପାରିସ୍‌ କରିଥିଲା। କିନ୍ତୁ ଏମିତି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଇ ନ ଥିଲା। ପ୍ରତି ପଦବି ପାଇଁ ଗୋଟିଏ ଲେଖାଏ ନାମ ହିଁ ଚୟନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆଉ ଥରେ ପଠାଯିବା ପାଇଁ କୁହାଯାଇଥିଲା। ଫଳରେ ବିଭାଗ ପୁଣି ଅଡ଼ୁଆରେ ପଡ଼ିଯାଇଥିଲା। ଶେ‌ଷରେ ଗତ ୧୧ ତାରିଖରେ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ବୈଠକ କରି ଗୋଟିଏ ନାମ ଉପରେ ସହମତି ଅଣାଗଲା। ଏହି ନାମଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିବେ କି ନାହିଁ, ତାହା ପରେ ଜଣାପଡ଼ିବ। କିନ୍ତୁ ଏହି ଗୋପନୀୟ ସୁପାରିସ୍‌ କିପରି ଖୋଲାଖୋଲି ସାମାଜିକ ଗଣମାଧ୍ୟମରେ ବୁଲୁଛି, ତାହା ପ୍ରକ୍ରିୟାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe