କରୋନାରେ ଚାଲିଗଲେ ନନ୍ଦ ସାର୍‌

Advertisment
କରୋନାରେ ଚାଲିଗଲେ ନନ୍ଦ ସାର୍‌

Aadyasha Infotech

ଯାଜପୁର : ଆଜି ନିରବୀ ଯାଇଛି ନନ୍ଦସାର୍‌ଙ୍କ ଚାଟଶାଳୀ। ସୁକିନ୍ଦା ବ୍ଲକ ବର୍ତଣ୍ଡା ପଞ୍ଚାୟତ କନ୍ତିରା ଗାଁରେ ଗୁମ୍‌ସୁମ୍‌ ପରିବେଶ। ଛୋଟ ପିଲାମାନେ ଚାହିଁବସିଛନ୍ତି ନନ୍ଦସାର୍‌ଙ୍କୁ। ହେଲେ ସେ ଆଉ ଫେରିବେନି। ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି। ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଏହି ବର୍ଷୀୟାନ ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି ଆଜି ଭୁବନେଶ୍ବରସ୍ଥିତ ସମ୍‌ ହସ୍ପିଟାଲରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ଚାଟଶାଳୀରେ ଶିକ୍ଷାଦାନ କରି ଚର୍ଚ୍ଚାକୁ ଆସିଥିବା ୧୦୩ ବର୍ଷୀୟ ନନ୍ଦସାର୍‌ଙ୍କୁ କରୋନା କୋଳେଇ ନେଇଛି।

ଗତ ଜାନୁଆରି ମାସରେ କେନ୍ଦ୍ର ସରକାର ଏହି ମହାନ ଗୁରୁଙ୍କୁ ‘ପଦ୍ମଶ୍ରୀ’ ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରି ତାଙ୍କ ନିରଳସ ସାଧନାକୁ ସ୍ବୀକୃତି ଜଣାଇଥିଲେ। ଗତ ନଭେମ୍ବର ୯ ତାରିଖରେ ସେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ସେଠାରୁ ଫେରିବା ପରେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନ ତଥା ଜନ୍ମମାଟିରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାର କିଛିଦିନ ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଗତ ୩୦ ତାରିଖରେ ତାଙ୍କୁ ପ୍ରଥମେ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ କଳିଙ୍ଗନଗରସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ବୟସାଧିକ୍ୟ ଓ ସ୍ୱାସ୍ଥ୍ୟଗତ ଜଟିଳତା ପାଇଁ ଉନ୍ନତ ଚିକିତ୍ସା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ‘ସମ୍’ ହସ୍ପିଟାଲକୁ ଶନିବାର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥ‌ାରେ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ଗୋଟାଏରେ ତାଙ୍କର ପରଲୋକ ହୋଇଥିବା ନାତି ଖଗେଶ୍ବର ପୃଷ୍ଟି ସୂଚନା ଦେଇଛନ୍ତି। କୋଭିଡ୍‌ ପଜିଟିଭ୍‌ ଥିବାରୁ ଯାଜପୁର ବାରୁଣୀଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସାନପୁଅ ନିରଞ୍ଜନ ପୃଷ୍ଟି ମୁଖାଗ୍ନି ଦେଇଛନ୍ତି।

ନନ୍ଦ ଗୁରୁଜୀଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଡ. ପ୍ରଫୁଲ୍ଲ ଘଡାଇ, ବିଧାୟକ ପ୍ରୀତିରଂଜନ ଘଡ଼ାଇ ପ୍ରମୁଖ ଶୋକପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe