ରହସ୍ୟମୟ ନନ୍ଦକିଶୋର ନି‌ଖୋଜ ଘଟଣା: ଖାଲି ହାତରେ ଫେରିଲେ ପୁଲିସ, ବନବିଭାଗ

Advertisment

ଭୟରେ ଗଲେନି ପରିବାର ଲୋକ

ଭୟରେ ଗଲେନି ପରିବାର ଲୋକ

ରହସ୍ୟମୟ ନନ୍ଦକିଶୋର ନି‌ଖୋଜ ଘଟଣା: ଖାଲି ହାତରେ ଫେରିଲେ ପୁଲିସ, ବନବିଭାଗ

କଟକ/ଡମପଡା : ଫେରି ବେପାରୀ ନନ୍ଦକି‌ଶୋର ବେହେରାଙ୍କ ନିଖୋଜ ଘଟଣା ଦିନକୁଦିନ ଜଟିଳ ହେବାରେ ‌ଲାଗିଛି। ଗୋଟିଏପଟେ ନିଖୋଜ ନନ୍ଦକିଶୋର ଅଜଗର ପେଟରେ ଅଛନ୍ତି ନା ନାହିଁ, ତାହାକୁ ନେଇ ଚର୍ଚ୍ଚା ଥମୁ ନଥିବା ବେଳେ ଅଜଗର ଗିଳିଥିବା ଖାଦ୍ୟ ଧୀରେ ଧୀ‌ରେ ତା’ ପେଟରେ ହଜମ ହୋଇ ମିଳେଇ ଯିବାକୁ ବସିଛି। ତା’ ପରେ ହୁଏତ ଅଜଗର ପଡ଼ିରହିଥିବା ସ୍ଥାନରୁ ଚାଲିଯିବ ଏବଂ ସେ ସଂପର୍କିତ ଯାଞ୍ଚର ଆଉ ଅବକାଶ ରହିବ ନାହିଁ। ଅନ୍ୟପଟେ ବିଭିନ୍ନ ମହଲରୁ ଦାବି ଓ ପ୍ରତିକ୍ରିୟା ପରେ ଆଜି ଜଙ୍ଗଲ ଭିତରେ ନନ୍ଦକିଶୋରଙ୍କୁ ଖୋଜିବା ଅଭିଯାନ ଆରମ୍ଭ କରିଛି ପୁଲିସ ଓ ବନ ବିଭାଗ। ପରିବାର ଲୋକଙ୍କ ମଧ୍ୟରୁ କେବଳ ଜଣେ ସେମାନଙ୍କ ସହ ଯାଇପାରିବେ ବୋଲି ସର୍ତ୍ତ ରହିବାରୁ ଭୟରେ କେହି ଯାଇନଥିବାର ଜଣାପଡ଼ିଛି। କିନ୍ତୁ, ଉଭୟ ପୁଲିସ ଓ ବନବିଭାଗକୁ ଖାଲି ହାତରେ ଫେରିବାକୁ ପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବନବିଭାଗ ଓ ପୁଲିସ ଡମପଡା-ଚନ୍ଦକା ଅଭୟାରଣ୍ୟର ଜଙ୍ଗଲ, ବିଭିନ୍ନ ଗାଁ,‌ ପୋଖରୀ ତଥା ବିଭିନ୍ନ ସ୍ଥାନରେ ଦୀର୍ଘ ୬/୭ଘଣ୍ଟା ଧରି ଖୋଜାଖୋଜି କରିଥିଲେ। ପୁଲିସ କହିଛି ଯେ ଅଜଗର ସାପ ସଂପର୍କରେ ତାଙ୍କ ପାଖରେ କୌଣସି ଖବର ନାହିଁ କି ଆଜି ସେମାନେ ସାପକୁ ଦେଖି ନାହାନ୍ତି। କିନ୍ତୁ, ଗ୍ରାମର ୪/୫ଜଣ ନନ୍ଦକିଶୋରଙ୍କୁ ଖୋଜିବା ପାଇଁ ପୁଲିସ-ବନବିଭାଗ ଟିମ୍‌ ସହିତ ଯିବାକୁ ଅନୁମତି ମାଗିଥିଲେ ବି ପୁଲିସ ମନା କରିବାରୁ କେହି ଜଣେ ଯିବାକୁ ଭୟ କଲେ ବୋଲି ନନ୍ଦ କିଶୋରଙ୍କ ପୁତୁରା ରାମଚନ୍ଦ୍ର କହିଛନ୍ତି। ରାମଚନ୍ଦ୍ର କହିଛନ୍ତି ଯେ ତାଙ୍କ ଦାଦା ନିଖୋଜ ପର ଘଟଣାରେ ସେମାନେ ତାଙ୍କ ଉପରେ ରାଗ ରଖିଛନ୍ତି। ତେଣୁ କେହି ଏକୁଟିଆ ଯିବାକୁ ଭୟ କଲେ। ୧୧ ଦିନ ହେଲା ସେମାନେ ଅନିଶ୍ଚିତତା ଭିତରେ ଅଛନ୍ତି। ମାନସିକ ଦୁଶ୍ଚିନ୍ତା ବଢି ଚାଲିଛି ବୋଲି ରାମଚନ୍ଦ୍ର କହିଛନ୍ତି। ଅନ୍ୟପଟେ, ଅଞ୍ଚଳରେ ଭୂଇଁଆ ଭୂତର ଚର୍ଚ୍ଚା ବିଚିତ୍ର ସ୍ଥିତି ସୃଷ୍ଟି କରିଛି। ଘଟଣା ଆରମ୍ଭରୁ ପୁଲିସ ଓ ବନବିଭାଗ ଯେଉଁଭଳି ଭାବେ ତତ୍ପରତା ଦେଖାଇବା କଥା ସେକଥା ନକରିବା ଫଳରେ ଏହି ନିଖୋଜ ଘଟଣା ଦିନକୁ ଦିନ ରହସ୍ୟଜନକ ହେବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ ଯେ କଟକ ଜିଲ୍ଲା ମୁଣ୍ଡଳୀ ପଞ୍ଚାୟତ ସ୍ଥିତ ଥୋରିଆପାଟଣା ସାହିର ବାସିନ୍ଦା ୭୭ ବର୍ଷୀୟ ନନ୍ଦକିଶୋର ଅଗଷ୍ଟ ୨୮ ତାରିଖରେ ଫେରି ବ୍ୟବସାୟ ପାଇଁ ଘରୁ ବାହାରି ଆଉ ଫେରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe