ଉଜୁଡ଼ିଗଲା ନନ୍ଦନକାନନ : ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ, ଶତାଧିକ ଗଛ ଭାଙ୍ଗିଛି, ଉଜୁଡ଼ିଗଲା ସବୁଜିମା

ବଟାନିକାଲ ଗାର୍ଡେନ୍ ଅଧିକ କ୍ଷତିଗ୍ରସ୍ତ, କୌଣସି ଜୀବଜନ୍ତୁ ମରି ନାହାନ୍ତି, ସ୍ଥିତିରେ ସୁଧାର ଲାଗି ସପ୍ତାହେ ଲାଗିବ

ଉଜୁଡ଼ିଗଲା ନନ୍ଦନକାନନ : ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ, ଶତାଧିକ ଗଛ ଭାଙ୍ଗିଛି, ଉଜୁଡ଼ିଗଲା ସବୁଜିମା

ଭୁବନେଶ୍ବର/ବାରଙ୍ଗ : ‘ଫନି’ ବାତ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଛି ରାଜ୍ୟର ସବୁଠାରୁ ବଡ଼ ପ୍ରାଣୀ ଉଦ୍ୟାନ ‘ନନ୍ଦନକାନନ’। ହଜାର ହଜାର ଗଛ ଭାଙ୍ଗି ଯିବାରୁ ନନ୍ଦନକାନନର ସବୁଜିମା ନଷ୍ଟ ହୋଇଯାଇଛି। ପରିସରରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ ବିଦ୍ୟୁତ୍‌ ତାର ବି ଛିଣ୍ଡି ତଳେ ପଡ଼ିଛି। ତେବେ ସୌଭାଗ୍ୟବଶତଃ କୌଣସି ଜୀବଜନ୍ତୁ ମରି ନାହାନ୍ତି। ଆଜି ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ନନ୍ଦନକାନନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

୨୧୨ଟି ଖୁଆଡ଼ରେ ଥିବା ୧୫୬ ପ୍ରଜାତିର ୩ ହଜାର ୩୦୩ ଜୀବଜନ୍ତୁ ରହିଛନ୍ତି। ସେମାନଙ୍କ ସୁରକ୍ଷା ଲାଗି କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଥିଲା। ସେମାନେ ଖୁଆଡ଼ ଭିତରେ ଜୀବଜନ୍ତୁଙ୍କୁ ଜଗି ରହିଥିଲେ। ଛୋଟ ଜୀବଜନ୍ତୁଙ୍କ ପ୍ରତି ଅଧିକ ଗୁରୁତ୍ବ ଦିଆଯାଇ ଖୁଆଡ଼ ଘରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ା ଯାଇଥିଲା। ବାଘ, ସିଂହ, ଭାଲୁ, ହାତୀଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଥିଲା।

ନନ୍ଦନକାନନର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ୧୯୯୯ ମହାବାତ୍ୟା ଭଳି ଏହା ଅତ୍ୟନ୍ତ ଭୟଙ୍କର ଥିଲା। ‌ ବାତ୍ୟା ସମୟରେ ପବନ ଓ ବର୍ଷା‌ ହେଉଥିବାରୁ ଜୀବଜନ୍ତୁ ଅଧିକ ଭୟଭୀତ ହୋଇଥିଲେ। ସେମାନେ ଆପେଆପେ ସୁରକ୍ଷିତ ସ୍ଥାନକୁ ପଳାଇ ଯାଇଥିଲେ। ତେବେ ବାତ୍ୟାରେ ବ୍ୟାପକ ଗଛ ଭାଙ୍ଗି ଯାଇଛି।

ସେ ଆହୁରି କହିଛନ୍ତି, ବଟାନିକାଲ ଗାର୍ଡେନ୍‌ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବିରଳ ପ୍ରଜାତିର ଔଷଧୀୟ ବୃକ୍ଷ ସାଙ୍ଗକୁ ପ୍ରଜାପତି ଉଦ୍ୟାନ, ଶିଶୁ ଉଦ୍ୟାନ, ‌ପିକ୍‌ନିକ୍‌ ପାଇଁ ଥିବା ସେଡ୍‌ ଆଦି ନଷ୍ଟ ହୋଇଛି। କେତେ ପରିମାଣର କ୍ଷତିଗ୍ରସ୍ତ ହୋଇଛି, ସେନେଇ ସଠିକ୍‌ ତଥ୍ୟ ଏବେ ଆକଳନ କରି ହେବନାହିଁ। ସମ୍ପୂର୍ଣ୍ଣ ସ୍ଥିତି ସୁଧୁରିବା ପାଇଁ ଏକ ସପ୍ତାହ ଲାଗି ଯାଇପାରେ ବୋଲି ଅଧିକାରୀଜଣକ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe