ବନ୍ଧମୁଣ୍ଡା: ବନ୍ଧମୁଣ୍ଡା ଛୁଆହାତୀ ମୃତ୍ୟୁ ଘଟଣା ପରେ ଏଥିରେ ଆହତ ହୋଇଥିବା ଅନ୍ୟ ଏକ ଛୁଆହାତୀକୁ ରାଉରକେଲା ବନବିଭାଗ ଉନ୍ନତ ଚିକିତ୍ସା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଇଛି। ବୁଧବାର ସକାଳ ପ୍ରାୟ ୯ଟାରେ ଜଙ୍ଗଲ ବିଭାଗର ଅଧିକାରୀମାନେ କଡ଼ା ସୁରକ୍ଷା ମଧ୍ୟରେ ଆହତ ଛୁଆହାତୀକୁ ଏକ ୪୦୭ ଟ୍ରକ୍ରେ ନନ୍ଦନକାନନ ପଠାଇଥିଲେ। ନନ୍ଦନକାନନ ନିଆଯିବା ସମୟରେ ଆହତ ଛୁଆହାତୀ ମା’କୁ ଖୋଜିବା ସହ ଟ୍ରକ୍ରୁ ଓହ୍ଲାଇବାକୁ ବାରମ୍ବାର ଚେଷ୍ଟା କରିଥିଲା। ସେପଟେ ଛୁଆହାତୀକୁ ଦେଖିବା ଲାଗି ବନ୍ଧମୁଣ୍ଡା ମୁଖ୍ୟ ରାସ୍ତାକଡ଼ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ହାତୀକୁ ନନ୍ଦନକାନନ ପଠାଇବା ଅଭିଯାନରେ ରାଉରକେଲା ଆରସିସିଏଫ୍ ପି.ରାମସ୍ବାମୀ, ରାଉରକେଲା ଡିଏଫ୍ଓ ଯଶବନ୍ତ ସେଠୀ, ଏସିଏଫ୍ ସୋମିଆ ଗୋଚ୍ଛାୟତ, ବିଶ୍ରା ରେଞ୍ଜ ଅଧିକାରୀ ଅସିତ କୁମାର ପଟ୍ଟନାୟକ, ପାନପୋଷ ରେଞ୍ଜ ଅଧିକାରୀ ଜ୍ଞାନେନ୍ଦ୍ର ଲିମାଙ୍କ ସମେତ ପ୍ରାୟ ୨ଶହ କର୍ମଚାରୀ ସାମିଲ ହୋଇଥିଲେ।
ଉଲ୍ଲେଖଯୋଗ୍ୟ, ସୋମବାର ରାତିରେ ୨୭ଟି ହାତୀ ବନ୍ଧମୁଣ୍ଡା ନିକଟରେ ହାଓଡ଼ା-ମୁମ୍ବାଇ ମୁଖ୍ୟ ଲାଇନ୍ ଅତିକ୍ରମ କରିବାବେଳେ ମାଲଗାଡ଼ି ଧକ୍କାରେ ଏକ ଛୁଆହାତୀର ମୃତ୍ୟୁ ହୋଇଥିଲା। ଅନ୍ୟ ହାତୀମାନେ ବହୁ ସମୟ ସେଠାରେ ଜଗି ରହିଥିଲେ। ପରେ ୨୪ଟି ହାତୀ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିଲେ, କିନ୍ତୁ ଗୋଟିଏ ମାଈହାତୀ ଓ ତାର ଛୁଆ ସେହି ସ୍ଥାନ ଛାଡ଼ି ନଥିଲେ। ସେମାନେ ମଙ୍ଗଳବାର ଦିନସାରା ସେହି ନିକଟରେ ରହିଥିଲେ। ତେଣୁ ଉକ୍ତ ଦୁଇ ହାତୀ ମଧ୍ୟ ଟ୍ରେନ୍ ଧକ୍କାରେ ଆହତ ହୋଇଥିବା ଚର୍ଚ୍ଚା ହୋଇଥିଲା। ପରେ ମା’ ହାତୀଟି ଜଙ୍ଗଲକୁ ଯାଇ ପଲ ସହ ଯୋଗ ଦେଇଥିଲା। କିନ୍ତୁ ଛୁଆହାତୀଟି ଆହତ ଥିବାରୁ ଯାଇପାରି ନଥିଲା। ଆଜି ତାକୁ ନନ୍ଦନକାନନ ପଠାଯାଇଛି।
Follow Us