କରୋନା ମୁକାବିଲା: ବନ୍ଦ ହେଲା ନନ୍ଦିରା କୋଇଲା ଖଣି

୧୪ଟି ନୂଆ ଖଣି ନିଲାମ ଖୁବଶୀଘ୍ର!

ତାଳଚେର: କରୋନା ସଂକ୍ରମଣର ମୁକାବିଲା ପାଇଁ ମହାନଦୀ କୋଲ୍‌ଫିଲ୍‌ଡସ ପରିଚାଳିତ ତାଳଚେର ଏରିଆର ଏକମାତ୍ର ଭୂତଳ (ଅଣ୍ଡରଗ୍ରାଉଣ୍ଡ) କୋଇଲା ଖଣି ନନ୍ଦିରା ପ୍ରକଳ୍ପକୁ ବନ୍ଦ କରିଦିଆଯାଇଛି। ଆଜିଠାରୁ ଲକ୍‌ଡାଉନ୍‌ ଉଠିବା ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ଜାରି ରହିବ। ତେବେ ତାଳଚେର ଅଂଚଳରେ ରହିଥିବା ଅନ୍ୟ ଖୋଲାମୁହଁ (ଓପନ୍‌କାଷ୍ଟ) ଖଣିଗୁଡ଼ିକ ପୂର୍ବଭଳି ଚାଲୁ ରହିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ତାଳଚେର ଏରିଆର ମହାପ୍ରବନ୍ଧକ ଭି. କୁମାର ଆଜି ନନ୍ଦିରା କୋଇଲା ଖଣି ପ୍ରକଳ୍ପ ଅଧିକାରୀଙ୍କୁ ଏଥିସଂକ୍ରାନ୍ତ ବିଧିବଦ୍ଧ ନିର୍ଦ୍ଦେଶ ଦେଇଛନ୍ତି।

ମହାପ୍ରବନ୍ଧକ ଶ୍ରୀ କୁମାର ତାଙ୍କ ଚିଠି (ନଂ. ଜିଏମ୍‌(ଟି)/ଏଫ-୦୩/୨୦୨୦/୧୧୦/ ତାରିଖ ୪.୪.୨୦୨୦)ରେ ଦର୍ଶାଇଛନ୍ତି ଯେ ରାଜ୍ୟ ତଥା ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଦେଶବ୍ୟାପୀ ଜାରି ଲକ୍‌ଡାଉନ୍‌ ଅବଧି ପର୍ଯ୍ୟନ୍ତ ନନ୍ଦିରା କୋଇଲା ଖଣିରେ କୋଇଲା ଉତ୍ପାଦନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ସ୍ବଳ୍ପ କର୍ମଚାରୀଙ୍କ ଦ୍ବାରା କେବଳ ଖଣିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଯିବ। ଖଣି ରକ୍ଷଣାବେକ୍ଷଣ ପାଇଁ ସ୍ବଳ୍ପ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ‌ଏହି କର୍ମଚାରୀମାନେ ସରକାରୀ ନିର୍ଦ୍ଧାରିତ ସ୍ବଚ୍ଛତା ଓ ସାମାଜିକ ଦୂରତା ରକ୍ଷା କରିବେ। ଜରୁରିକାଳୀନ କାର୍ଯ୍ୟରେ ନିୟୋଜିତକର୍ମଚାରୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ଖଣି କର୍ମଚାରୀମାନେ କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରତ୍ୟହ ହାଜିରା ପକାଇବେ ବୋଲି ସୂଚନା ଦିଆଯାଇଛି। ଏଥିସହ ସେମାନେ ବିନା ଅନୁମତିରେ ହେଡକ୍ବାର୍ଟର୍ସ ଛାଡ଼ି ବାହାରକୁ ଯାଇପାରି‌ବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଜରୁରି ଆବଶ୍ୟକତା ସମୟରେ ସେମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଡକାଯାଇପାରେ ବୋଲି ଉକ୍ତ ନିର୍ଦ୍ଦେଶନାମାରେ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe