ବିତିଗଲା ୩୧ ବର୍ଷ : ନାଣ୍ତୁଆଝର ପ୍ରକଳ୍ପରୁ ଝରିଲାନି ପାଣି

Advertisment

ବ୍ୟୟ ଅଟକଳ ୬୪ ଲକ୍ଷ ଟଙ୍କା, ୧୨୫ ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ

ବ୍ୟୟ ଅଟକଳ ୬୪ ଲକ୍ଷ ଟଙ୍କା, ୧୨୫ ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ

ବିତିଗଲା ୩୧ ବର୍ଷ : ନାଣ୍ତୁଆଝର ପ୍ରକଳ୍ପରୁ ଝରିଲାନି ପାଣି

ଚଣ୍ତିଖୋଲ : ଚାହୁଁ ଚାହୁଁ ୩୧ ବର୍ଷ ବିତିଗଲାଣି। ହେଲେ ନାଣ୍ତୁଆଝର ପ୍ରକଳ୍ପରୁ ମୁନ୍ଦେ ହେଲେ ପାଣି ଝରିଲାନି। ଫଳରେ ୧୨୫ ହେକ୍ଟର ଚାଷଜମି ପାଣି ବିନା ପଡ଼ିଆ ପଡୁଛି।

ବନ୍ଧ ହେବ, ପାଣି ରହିବ, ୧୨୫ ହେକ୍ଟରରୁ ଅଧିକ ଜମି ଶସ୍ୟଶ୍ୟାମଳା ହେବ। ମରୁଡ଼ି ପ୍ରପୀଡ଼ିତ ପଶ୍ଚିମ ବଡ଼ଚଣାର ପାରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅମୀୟଝରି, ବରୁଣିଆ, ପାରିଆ ଓ ବରଗଡ଼ା ଆଦି ୪ ଗୋଟି ଗ୍ରାମର ଚାଷୀଙ୍କ ମୁହଁରେ ହସ ଫୁଟିବ। ଏମିତି ସ୍ବପ୍ନ ନେଇ ୭ ଏପ୍ରିଲ୧୯୮୯ରେ ପ୍ରାକ୍ତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ଉଦ୍ୟମରେ ନାଣ୍ତୁଆଝର କ୍ଷୁଦ୍ର ଜଳସେଚନ ଯୋଜନାର ଶୁଭାରମ୍ଭ ହୋଇଥିଲା। ସେତେବେଳର ଜଳସମ୍ପଦ ମନ୍ତ୍ରୀ ଭୁପିନ୍ଦ୍ର ସିଂହ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ୬୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟ ଆରମ୍ଭ ହେଲା। ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ନିକଟସ୍ଥ ପାହାଡ଼ରୁ ଝରିଆସୁଥିବା ପାଣିକୁ ଏହି ପ୍ରକଳ୍ପ ମାଧ୍ୟରେ ଅଟକ ରଖାଯାଇ କେନାଲ ମାଧ୍ୟମରେ ଉପରୋକ୍ତ ୪ ଗୋଟି ଗ୍ରାମର ଚାଷ ଜମିକୁ ପାଣି ଯୋଗାଇବାର ଯୋଜନା ରହିଥିଲା। ପାଖାପାଖି ୩୦ ଏକର ଜମି ଅଧିଗ୍ରହଣ ପାଇଁ ସ୍ଥିର ହୋଇଥିଲା। ଅଧାପନ୍ତରିଆ କାମ କରି ଏହି ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିଦିଆଗଲା। ଠିକାସଂସ୍ଥାର ମାଲିକ ପ୍ରକଳ୍ପ ପାଇଁ ଅଧିକ ଅର୍ଥର ଆବଶ୍ୟକତା ଦର୍ଶାଇ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ରୁଜୁ କରିବା ପରେ କାର୍ଯ୍ୟ ବନ୍ଦ ହୋଇଯାଇଥିବା କୁହାଯାଉଛି।

ଅନ୍ୟ ଏକ ଅଭିଯୋଗ ଅନୁଯାୟୀ ଜମି ଅଧିଗ୍ରହଣ କରାନଯାଇ ଏଠାରେ ପ୍ରକଳ୍ପ ନିମାର୍ଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏବେ ଜମିହରା ଚାଷୀଙ୍କୁ ସେମାନଙ୍କର ପ୍ରାପ୍ୟ ମିଳି ନାହିଁ। ଦୀର୍ଘବର୍ଷ ଧରି ପ୍ରଳକ୍ପ କାର୍ଯ୍ୟ ନହେବା ପରେ ପୁନଶ୍ଚ ୨୦୧୮ ନଭେମ୍ବରରେ ବିଧାୟକ ଅମର ପ୍ରସାଦ ଶତପଥୀ ଏହି ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ପାଇଁ ଶିଳାନ୍ୟାସ କରିଥିଲେ। ହେଲେ ଚାଷୀଙ୍କ ଏହି ସ୍ବପ୍ନ ବି ସାକାର ହୋଇପାରିଲା ନାହିଁ। ଅଞ୍ଚଳର ଚାଷୀ ନିତ୍ୟାନନ୍ଦ ନାୟକ, ମହାନ୍ତି କଣ୍ତାକେଲ, ଶିରି ବଦ୍ରା, ରାମ ଚନ୍ଦ୍ର ବାରିକ, ସାରଜମ ବାଲମୁଚ ଓ ମଙ୍ଗଲ ତିରିଆଙ୍କ ସମେତ ଅନ୍ୟମାନେ ଏହି ପ୍ରକଳ୍ପ ପାଇଁ ଜମି ଦେଇଥିଲେ ମଧ୍ୟ କ୍ଷତିପୂରଣ ଅର୍ଥ ଏଯାଏଁ ପାଇନଥିବା ଅଭିଯୋଗ କରିଛନ୍ତି। ଏହି ଚାଷୀଙ୍କୁ କେବେ କ୍ଷତିପୂରଣ ମିଳିବ, ପ୍ରକଳ୍ପରୁ କେବେ ପାଣି ଝରିବ ବୋଲି ୪ ଗ୍ରାମର ଲୋକେ ପ୍ରଶ୍ନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe