ପ୍ରଶ୍ନରେ ସରକାରଙ୍କୁ ଛନ୍ଦିଲେ ନରସିଂହ

Advertisment
ପ୍ରଶ୍ନରେ ସରକାରଙ୍କୁ ଛନ୍ଦିଲେ ନରସିଂହ

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ଗଠିତ ହୋଇଛି। ରାଜ୍ୟପାଳଙ୍କ ଅଭିଭାଷଣରେ ଏହା ‘ମୋ ସରକାର’ଙ୍କ ଉଦ୍ୟମରେ ହୋଇପାରିଥିବା କୁହାଯାଇଛି। ବାସ୍ତବପକ୍ଷେ, ରାଜ୍ୟ ସରକାରଙ୍କ ସହିତ ସମସ୍ତ ରାଜନୈତିକ ଦଳ, ରାଜ୍ୟବାସୀଙ୍କ ସମ୍ମିଳିତ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ରାଜ୍ୟପାଳଙ୍କ ଅଭିଭାଷଣ ମାଧ୍ୟମରେ ସରକାର ଏପରି ମନ୍ତବ୍ୟ ଦେଇଥିଲେ କି କ୍ଷତି ହୋଇଥାନ୍ତା ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି। ଆଜି ରାଜ୍ୟପାଳଙ୍କ ଅଭିଭାଷଣ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ରାଜ୍ୟ ସରକାରଙ୍କ ‘ଆମେ ସବୁ କରୁଛ’ ନୀତିକୁ ନାପସନ୍ଦ କରିଥିଲେ। ପୋଲାଭରମ୍‌ ପ୍ରସଙ୍ଗରେ ରାଜ୍ୟ ସରକାର ସଠିକ୍‌ ଦିଗରେ ପଦକ୍ଷେପ ନେଇଥିବା ନେଇ ରାଜ୍ୟପାଳ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିବାରୁ ଶ୍ରୀ ମିଶ୍ର ବିସ୍ମୟ ପ୍ରକଟ କରିଥିଲେ। କହିଥିଲେ, ଯଦି ସରକାର ଠିକ୍‌ ଦିଗରେ କାର୍ଯ୍ୟ କରୁଛନ୍ତି, ୭ ବର୍ଷ ଧରି କିପରି ଏହି ମାମଲା ଅଦାଲତରେ ଝୁଲି ରହିଛି। ଅନୁରୂପ ଭାବେ ଓଡ଼ିଶା ବସ୍ତିବାସିନ୍ଦାଙ୍କ ଜମି ଅଧିକାର ଆଇନ ଦେଶରେ ପ୍ରଥମ ବୋଲି ଦର୍ଶାଯାଇଥିବାରୁ ଏ ନେଇ ପ୍ରଶ୍ନ ଉଠାଇଥିଲେ ଶ୍ରୀ ମିଶ୍ର। ସୁପ୍ରିମ କୋର୍ଟ ମୌଳିକ ଅଧିକାର ଭାବେ ଜୀବନ ଜିଇଁବାର ଅଧିକାରକୁ ଗ୍ରହଣ କରିଛନ୍ତି। ଏଣୁ ଯେଉଁମାନେ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଆସି ବସ୍ତିରେ ବସବାସ କରୁଛନ୍ତି, ସେମାନଙ୍କ ପାଇଁ ଆଶ୍ରୟ ଯୋଗାଇଦେବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ। ରାଜ୍ୟରେ ମଧ୍ୟ ଅନୁରୂପ ଆଇନ ରହିଛି। କିନ୍ତୁ ଏ ସରକାର ସେହି ଆଇନକୁ ପରିବର୍ଧିତ କରିଛନ୍ତି କହିଲେ ଠିକ୍‌ ହେବ ବୋଲି ବିରୋଧୀ ଦଳ ନେତା ଦର୍ଶାଇଥିଲେ।

‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମକୁ ସେ ବାସ୍ତବବାଦୀ ନୁହେଁ, ବରଂ ପ୍ରଚାରସର୍ବସ୍ୱ ବୋଲି ଅଭିହିତ କରିଥିଲେ। ଓଡ଼ିଶାରେ ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ସ୍ୱାଗତଯୋଗ୍ୟ ନିଷ୍ପତ୍ତି। କିନ୍ତୁ ପୂର୍ବରୁ ହକି ଟୁର୍ଣ୍ଣାମେଣ୍ଟକୁ ପୃଷ୍ଠପୋଷକତା କରୁଥିବା ‘ସାହାରା’ କମ୍ପାନି ୧୫ କୋଟି ଟଙ୍କା ବ୍ୟୟ କରୁଥିଲା ବେଳେ ଓଡ଼ିଶା ସେ କ୍ଷେତ୍ରରେ କିପରି ଏବଂ କାହିଁକି ୧୫୦ କୋଟି ଖର୍ଚ କରିବ ବୋଲି ଶ୍ରୀ ମିଶ୍ର ପଚାରିଥିଲେ। ଜଳସେଚନ ପ୍ରସଙ୍ଗ ଉଠାଇ ସେ ଉଭୟ ନବୀନ ସରକାର ଏବଂ ମୋଦି ସରକାର ଜୁମ୍‌ଲା ଦେଖାଇ ଭୋଟ ନେବା କ୍ଷେତ୍ରରେ ତୁଳନୀୟ ବୋଲି କହିଥିଲେ। ଦୁର୍ନୀତି ପ୍ରସଙ୍ଗରେ ସେ ସିରାଜୁଦ୍ଦିନ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇବା ସହିତ ବିଜେପୁର ଉପନିର୍ବାଚନ ବେଳେ ଦୁର୍ନୀତିର ରୂପ ଦେଖିବାକୁ ମିଳିଥିବା କହିଥିଲେ। ସେହିପରି ନାରୀ ନିର୍ଯାତନା, ଶସ୍ୟଋଣ ଆଦି ପ୍ରସଙ୍ଗରେ ବିରୋଧୀ ଦଳ ନେତା ସରକାରଙ୍କୁ ସମାଲୋଚନା କରିଥିଲେ।

ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ କହିଲେ ଯେ ସମାଲୋଚନା ଢଙ୍ଗରେ ବିରୋଧୀ ଦଳ ନେତା ସମସ୍ତ ପ୍ରସଙ୍ଗର ଅବତାରଣା କରିଛନ୍ତି। ବିଜେଡି ଜୁମ୍‌ଲା ନୁହେଁ, ରାଜ୍ୟବାସୀଙ୍କ ସେବା ଦିଗରେ ଆନ୍ତରିକତା, ନିଷ୍ଠା ସ୍ଥାପନ କରୁଛି। ଯେଉଁମାନେ ଜୁମ୍‌ଲା ଦେଖାଉଥିଲେ, ସେମାନଙ୍କର ପାଦତଳୁ ମାଟି ଖସିବାରେ ଲାଗିଛି। ବିଜେପି ବିଧାୟିକା ରାଧାରାଣୀ ପଣ୍ଡା ଗତ ୧୮ ବର୍ଷ ଭିତରେ ରାଜ୍ୟ ସରକାର ପିଇବାପାଣି ଯୋଗାଇଦେବା, କୃଷି ବିକାଶ ଆଦି କ୍ଷେତ୍ରରେ ବିଫଳ ହୋଇଥିବା କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଥିବା କହିଥିଲେ ବରିଷ୍ଠ ବିଜେଡି ବିଧାୟକ ମଙ୍ଗଳା କିଷାନ। ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହୁଥିବା ବେଳେ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି ତାଙ୍କୁ ଶୀଘ୍ର ସାରିବାକୁ କହିବାରୁ ସେ ଅଧାରୁ ବସିପଡ଼ିଥିଲେ। ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ କୃଷି ବଜେଟ୍‌ରେ ଅଧିକ ବ୍ୟୟବରାଦ କରି ବିକାଶ କରାଯାଉଥିବା ଦର୍ଶାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe