ଭୁବନେଶ୍ବର: ଓକିଲ ଆନ୍ଦୋଳନ ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶାର ବିଭିନ୍ନ କୋର୍ଟରେ ଚାଲିଥିବା ମକଦ୍ଦମା ଅନ୍ୟ କୋର୍ଟକୁ ସ୍ଥାନାନ୍ତର ପ୍ରସଙ୍ଗରେ ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଶୂନ୍ୟକାଳରେ ଶ୍ରୀ ମିଶ୍ର କହିଥିଲେ, ସେ ନିଜେ ଟ୍ରେଡ୍ ୟୁନିୟନ୍ ଭଳି ଓକିଲମାନଙ୍କର ଆନ୍ଦୋଳନକୁ ସମର୍ଥନ କରନ୍ତି ନାହିଁ। ହେଲେ ହାଇକୋର୍ଟ ବେଞ୍ଚ୍ ଦାବିରେ ପଶ୍ଚିମ ଓଡ଼ିଶାରେ ଯେଉଁ ଆନ୍ଦୋଳନ ଦେଖାଦେଇଥିଲା, ତାର ସମାଧାନ ରାସ୍ତା କାଢ଼ିବା ବଦଳରେ ସରକାର ମାମଲା ଅନ୍ୟ କୋର୍ଟକୁ ସ୍ଥାନାନ୍ତର କରିଦେଲେ। ଏଭଳି କ୍ଷମତା ସରକାରଙ୍କର ଅଛି କି ନାହିଁ, ତାହା ଦେଖିବା କଥା। ଯଦି ହାଇକୋର୍ଟ ଏଭଳି କରିଥାନ୍ତେ, ତେବେ ତାହା ଅଲଗା କଥା। କିନ୍ତୁ ସରକାର କେମିତି ଏମିତି କରିବେ। ମାମଲା କରିଥିବା ଲୋକର ସମ୍ମତି ନ ନେଇ ଏହା କିଭଳି ସ୍ଥାନାନ୍ତର ହେବ। ସେ ପୁଣି ନୂଆ ଓକିଲ ଦେବ ଓ ଅନ୍ୟ ସ୍ଥାନକୁ ଯାଇ ଲଢ଼ିବା ଅସମ୍ଭବ। ଯେହେତୁ ଇତିମଧ୍ୟରେ ଓକିଲମାନେ ଆନ୍ଦୋଳନରୁ ଓହରି ସାରିଲେଣି, ସରକାର ତାଙ୍କର ବିଜ୍ଞପ୍ତି ରଦ୍ଦ କରିେଦବା ଦରକାର। ଅନ୍ୟଥା ମନ୍ତ୍ରୀ ଗୃହରେ ବିବୃତି ରଖିବା ଦରକାର। ବାଚସ୍ପତି ଏହାକୁ ପରୀକ୍ଷା ନିରୀକ୍ଷା କରିବା ଲାଗି ରୁଲିଂ ଦେଇଥିଲେ। ହେଲେ ଏଥିରେ ଶ୍ରୀ ମିଶ୍ର ଅସନ୍ତୋଷ ବ୍ୟକ୍ତ କରିବା ସହିତ ମନ୍ତ୍ରୀଙ୍କ ବିବୃତି ଦାବିରେ ଅଟଳ ରହିବାରୁ ବାଚସ୍ପତି ଶେଷରେ ତାଙ୍କର ରୁଲିଂ ବଦଳାଇଥିଲେ। କହିଥିଲେ ଯେ ପରେ ମନ୍ତ୍ରୀ ଗୃହରେ ଉତ୍ତର ରଖିବେ।
ମାମଲା ସ୍ଥାନାନ୍ତରଣ ନେଇ ଗର୍ଜିଲେ ନରସିଂହ, ମନ୍ତ୍ରୀ ରଖିବେ ଉତ୍ତର
Advertisment
Follow Us