ଚଳଚଞ୍ଚଳ ହେବ ନରେନ୍ଦ୍ର ପୁଷ୍କରିଣୀ ୱାଟର୍‌ ଫାଉଣ୍ଟେନ୍‌: ଆରମ୍ଭ ହେଲା ଆନୁଷଙ୍ଗିକ ଭିତ୍ତିଭୂମି କାମ

Advertisment
ଚଳଚଞ୍ଚଳ ହେବ ନରେନ୍ଦ୍ର ପୁଷ୍କରିଣୀ ୱାଟର୍‌ ଫାଉଣ୍ଟେନ୍‌: ଆରମ୍ଭ ହେଲା ଆନୁଷଙ୍ଗିକ ଭିତ୍ତିଭୂମି କାମ

ପୁରୀ, ୧୩/୧୦ (ଇମିସ): ନରେନ୍ଦ୍ର ପୁଷ୍କରିଣୀ ପରିସରରେ ଥିବା ମ୍ୟୁଜିକାଲ୍‌ ୱାଟର୍‌ ଫାଉଣ୍ଟେନ୍‌କୁ ଆକର୍ଷଣୀୟ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ୮ କୋଟିର ପ୍ରକଳ୍ପ ଥିଲେ ହେଁ ଏହା ଅଲୋଡ଼ା ହୋଇ ପଡ଼ି ରହିଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଥିଲା। ଖୋଦ୍‌ ଜିଲ୍ଲାପାଳ ପ୍ରକଳ୍ପ ବୁଲି ଦେଖିବା ‌ପରେ ଏହାର ଉନ୍ନତୀକରଣ ପାଇଁ ଗୁରୁତ୍ବାରୋପ କରିଥିଲେ। କିଛିଦିନ ତଳେ ଏନେଇ ଶ୍ରୀମନ୍ଦିର ପ୍ରଶାସନ, ପୌରପାଳିକା, ଇଡ୍‌କୋ ଓ ୱାଟର୍‌ ଫାଉଣ୍ଟେନ୍‌ ପରିଚାଳନା କରୁଥିବା ସଂସ୍ଥାରସଂସ୍ଥାର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବୈଠକ ବସିବା ସହ ଏହି ପ୍ରକଳ୍ପକୁ ଆକର୍ଷଣୀୟ କରିବା ସହ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବା ନେଇ ପ୍ରୟାସ ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଏହି ପ୍ରକଳ୍ପ ରହିଛି। ତେଣୁ ପ୍ରାଥମିକ ସ୍ତରରେ ପ୍ରକଳ୍ପର ପ୍ରବେଶ ପଥରେ ଏକ ତୋରଣ ପ୍ରସ୍ତୁତ କରାଯାଉଛି।

ଏଥିରେ ପ୍ରକଳ୍ପ ସମ୍ବନ୍ଧରେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକ‌ର୍ଷଣ କରାଯିବ ବୋଲି ସୂଚନା ମିଳିଛି। ଏଥିସହ ପ୍ରବେଶ ପଥ ଅନ୍ଧାର ‌ରହୁଥିବାରୁ ଏହା ମଧ୍ୟରେ ଆଲୋକୀକରଣ କରାଯିବ। ପରିସରରେ ସିସିଟିଭି କ୍ୟାମେରା ଖଞ୍ଜାଯିବ। ଏହା ବ୍ୟତୀତ ଏହି ଆକର୍ଷଣୀୟ ପ୍ରକଳ୍ପକୁ ଲୋକଲୋଚନକୁ ଆଣିବା ପାଇଁ ଏବଂ ପର୍ଯ୍ୟଟକଙ୍କୁ ସୂଚନା ଦେବା ପାଇଁ ସହରର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ବିଜ୍ଞପିତ କରାଯିବ। ଏନେଇ ପୌରପାଳିକାକୁ ମଧ୍ୟ କିଛି ଦାୟିତ୍ବ ଦିଆଯାଇଛି। ବିଶେଷକରି ଏଠାକୁ ଆସୁଥିବା ପର୍ଯ୍ୟଟକମାନେ କିଭଳି ଶୌଚାଳୟର ସୁବିଧା ପାଇପାରିବେ ସେନେଇ ବ୍ୟବସ୍ଥା କରାଯିବ। ଏନେଇ ପୌରପାଳିକାର ନିର୍ବାହୀ ଅଧିକାରୀ ସରୋଜ ସ୍ବାଇଁ କହିଛନ୍ତି, ପୌରପାଳିକା ପକ୍ଷରୁ ଶୌଚାଳୟ ପ୍ରସ୍ତୁତ କରାଯିବ। ଯେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ଏନେଇ ବ୍ୟବସ୍ଥା କରାଯିବ ତାହା ଅବରୋଧ ଥିବାରୁ ତାହାକୁ ହଟାଇବା ପରେ ସେଠାରେ ଖୁବଶୀଘ୍ର ଶୌଚାଳୟ ବ୍ୟବସ୍ଥା କରାଯିବ। ଏହାବ୍ୟତୀତ ସେଠା‌କୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପାର୍କିଂ ସ୍ଥଳର ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯିବ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।

ସୂଚନାଯୋଗ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୮ କୋଟି ଟଙ୍କା ବିନିମୟରେ ମ୍ୟୁଜିକାଲ୍‌ ୱାଟର୍‌ ଫାଉଣ୍ଟେନ୍‌ ସ୍ଥାପନ କରାଯାଇଥିଲା। ଜଳ-ଆଲୁଅ-ଶବ୍ଦରେ ମହାପ୍ରଭୁଙ୍କ ଆବିର୍ଭାବ ହେବାର କାହାଣୀ ବେଶ୍‌ ଉପଭୋଗ୍ୟ ହେଉଥିଲା। ମାତ୍ର ଏହାର ଆନୁଷଙ୍ଗିକ ଭିତ୍ତିଭୂମିକୁ ଗୁରୁତ୍ବ ଦିଆନଯିବାରୁ ଧୀରେଧୀରେ ଏହା ଅଲୋଡ଼ା ହୋଇ ପଡ଼ିଥିଲା। ତେଣୁ ଜିଲ୍ଲା ପ୍ରଶାସନର ଏହି ତ୍ବରିତ ପଦକ୍ଷେପ ପାଇଁ ଆସୋସିଏସନ୍‌ ଅଫ୍ ଟ୍ବିଟର୍‌ ଆକ୍ଟିଭିଷ୍ଟ୍‌ ପକ୍ଷରୁ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe