୬ରୁ ଖୋଲିବ ନୃସିଂହନାଥ ମନ୍ଦିର, ପ୍ରଥମ ୭ଦିନ କେବଳ ବରଗଡ଼ ଜିଲ୍ଲାବାସୀ କରିବେ ଦର୍ଶନ

୬ରୁ ଖୋଲିବ ନୃସିଂହନାଥ ମନ୍ଦିର, ପ୍ରଥମ ୭ଦିନ କେବଳ ବରଗଡ଼ ଜିଲ୍ଲାବାସୀ କରିବେ ଦର୍ଶନ

ବରଗଡ଼/ପାଇକମାଳ: କୋଭିଡ୍‌ କଟକଣା ଯୋଗୁଁ ମନ୍ଦିର ଏବଂ ଧର୍ମାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଛି। ଏବେ ଗାଇଡ୍‌ଲାଇନ୍‌ କୋହଳ ସହ ରାଜ୍ୟର ବିଭିନ୍ନ ମନ୍ଦିର ଖୋଲିବାକୁ ଲାଗିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୬ ତାରିଖରୁ ଜିଲ୍ଲାରେ କେବଳ ନୃସିଂହନାଥ ମନ୍ଦିର ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ତେବେ ପର୍ଯ୍ୟାୟକ୍ରମେ ବରଗଡ଼ର କାଳୀମନ୍ଦିର, ସମଲେଶ୍ବରୀ ମନ୍ଦିର, ଭଟଲିସ୍ଥିତ ଦଧିବାମନ ମନ୍ଦିର ଏବଂ ଅମ୍ବାଭୋନାର କେଦାରନାଥ ମନ୍ଦିର ସହ ଅନ୍ୟ ମନ୍ଦିର ଖୋଲାଯିବ ବୋଲି ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ନୃସିଂହନାଥ ମନ୍ଦିର ଦୀଘ ୯ ମାସ ପରେ ଖୋଲିବାକୁ ଯାଉଛି। ଏଠାରେ ପ୍ରଥମ ୭ଦିନ କେବଳ ବରଗଡ଼ ଜିଲ୍ଲାର ବାସିନ୍ଦା ଏଠାକୁ ଆସି ପାରିବେ। କୋଭିଡ୍‌ ନିୟମ ମାନି ସାମାଜିକ ଦୂରତା ରଖି  ଦର୍ଶନ କରିବେ। ଏଥିପାଇଁ ଶ୍ରଦ୍ଧାଳୁଙ୍କୁ ନିଜ ପରିଚୟ ପତ୍ର ଆଣିବାକୁ ପଡ଼ିବ। ୧୩ତାରିରୁ ମାସ ଶେଷ ପର୍ଯ୍ୟନ୍ତ ସବୁ ରାଜ୍ୟବାସୀ ମନ୍ଦିର ଦର୍ଶନ କରି ପରିବେ। ତେବେ ସେମାନେ ୭୨ଘଣ୍ଟା ପୂର୍ବରୁ କୋଭିଡ୍‌ ନେଗେଟିଭ୍‌ ଥିବା ରିପୋର୍ଟ ଦେଖାଇବାକୁ ବାଧ୍ୟ। ସକାଳ ୮ରୁ୧୦, ୧୦.୩୦ରୁ ୧୨, ୨ରୁ ୪ ଏବଂ ସଂଧ୍ୟା ୪.୩୦ରୁ ସଂଧ୍ୟା ୬ଯାଏଁ କେବଳ ଠାକୁର ଦର୍ଶନ କରିହେବ।

ଅନ୍ୟପକ୍ଷରେ ମନ୍ଦିରକୁ କେବଳ ନଡ଼ିଆ ନେଇ ଯିବାକୁ ଅନୁମତି ଦିଆଯାଇଛି। ଭକ୍ତମାନେ ସିଂହ ଦ୍ବାର ସମ୍ମୁଖରେ ଦୀପ ଜାଳି ପାରିବେ। ମନ୍ଦିରରେ କେବଳ ହରିହର ପଙ୍ଗତ ଭୋଗ ଲାଗିବ। ବିକ୍ରି ପାଇଁ ଅନ୍ନଭୋଗ ହେବ ନାହିଁ । ଝରଣାରେ ଗାଧୋଇବା ମଧ୍ୟ ବାରଣ କରାଯାଇଛି। ଗର୍ଭବତୀ ଏବଂ ରୋଗାଗ୍ରସ୍ତ ଲୋକଙ୍କ ଦର୍ଶନ ଉପରେ ମଧ୍ୟ କଟକଣା ରହିଛି। ଏନେଇ ରବିବାର  ମନ୍ଦିରର ଅତିଥି ଭବନରେ ଜିଲ୍ଲାପାଳ  ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, ଗତବର୍ଷ ମାର୍ଚ୍ଚ ୧୮ ତାରିଖରୁ ମନ୍ଦିର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବନ୍ଦ କରାଯାଇଥିଲା। ବୈଠକରେ ଉପଜିଲ୍ଲାପାଳ  ତନ୍ମୟ ଦରୱାନ, ତହସିଲଦାର ମନୋଜ ମେହେର, ବିଡିଓ ସୁରେନ୍ଦ୍ର ମେହେର, ଥାନାଧିକାରୀ ବିଶ୍ବଜିତ ମନବୋଧ, ମନ୍ଦିର କାର୍ଯନିର୍ବାହୀ ଅଧିକାରୀ  ପୁରୁଷୋତ୍ତମ ପ୍ରଧାନ,  ସୁବୋଧ ପଣ୍ଡା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe