ଗଜପତିଙ୍କ ସମ୍ପର୍କରେ କୁତ୍ସିତ ମନ୍ତବ୍ୟ, ଥାନାରେ ଏତଲା

ଚକ୍ରାନ୍ତକାରୀ ଓ ବ୍ରିଟିସ୍‌ ସରକାରଙ୍କ ଚାଟୁକାର ବୋଲି ଉଲ୍ଲେଖ, ‘ଜୟପୁର ରାଜବଂଶାବଳୀ’ ପୁସ୍ତକ

ଗଜପତିଙ୍କ ସମ୍ପର୍କରେ କୁତ୍ସିତ ମନ୍ତବ୍ୟ, ଥାନାରେ ଏତଲା

ପାରଳାଖେମୁଣ୍ତି : ‘ଜୟପୁର ରାଜବଂଶାବଳୀ’ ଶୀର୍ଷକ ପୁସ୍ତକରେ ନବ ଓଡ଼ିଶାର ନିର୍ମାତା ତଥା ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସମ୍ପର୍କରେ କେତେକ ଭୁଲ ଓ ମନଗଢ଼ା ମନ୍ତବ୍ୟ ପ୍ରକାଶ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଏହି ପୁସ୍ତକର ଦୁଇ ଲେଖକଙ୍କ ବିରୋଧରେ ପାରଳା ଆଦର୍ଶ ଥାନାରେ ଏତଲା ଦାୟର କରାଯାଇଛି। ଏତଲାର ଏକ ନକଲ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ପଠାଇ ଦିଆଯାଇଛି।

କିଛିଦିନ ପୂର୍ବେ ଲେଖକ ସୁବାସ ଚନ୍ଦ୍ର ମିଶ୍ର ଓ କୃଷ୍ଣଚନ୍ଦ୍ର ସାହୁଙ୍କ ଦ୍ବାରା ‘ଜୟପୁର ରାଜବଂଶାବଳୀ’ ନାମକ ଏକ ପୁସ୍ତକ ଉନ୍ମୋଚନ ହୋଇଥିଲା। ପୁସ୍ତକରେ ଗଜପତି ଶ୍ରୀକୃଷ୍ଣଚନ୍ଦ୍ରଙ୍କ ବିଷୟରେ ଅରୁଚିକର ଶବ୍ଦ ବ୍ୟବହାର କରାଯାଇ ତାଙ୍କୁ ବ୍ରିଟିସ୍‌ ସରକାରଙ୍କ ଅତ୍ୟନ୍ତ ଚାଟୁକାର ବୋଲି ବର୍ଣ୍ଣନା କରାଯାଇଛି। ଗଜପତିଙ୍କ ଚକ୍ରାନ୍ତ ଯୋଗୁଁ ୧୯୩୬ ଏପ୍ରିଲ ପହିଲାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଅର୍ଦ୍ଧାଂଶ ମାଡ୍ରାସ୍‌ ପ୍ରେସିଡେନ୍ସିର ଆନ୍ଧ୍ର ଅଧୀନରେ ମିଶାଇ ଦେଇ ଓଡ଼ିଆଙ୍କୁ ଦୁଇ ଭାଗ କରି ସୀମାରେଖା ଟାଣିଛନ୍ତି। ନିଜର ସ୍ବାର୍ଥ ପୂରଣ ପାଇଁ ସେ ଓଡ଼ିଶାର ଅଧା ଆନ୍ଧ୍ରରେ ସାମିଲ କରିଥିଲେ ବୋଲି ପୁସ୍ତକରେ ଉଲ୍ଲେଖ ରହିଛି। ଏହି ମହାରାଜା ପୂଜ୍ୟପୂଜାର ଅଧିକାରୀ ଅଟନ୍ତି କି..? ବୋଲି ମଧ୍ୟ ମନ୍ତବ୍ୟ ଅତ୍ୟନ୍ତ ପରିତାପର ବିଷୟ। ଉକ୍ତ ପୁସ୍ତକରେ ଜୟପୁର ମହାରାଜା ଏବଂ ପାରଳା ମହାରାଜାଙ୍କୁ ଭଣଜା ଓ ମାମୁଙ୍କ ଚକ୍ରାନ୍ତ ବୋଲି ଦର୍ଶାଯାଇଛି।

ଆଜି ଉତ୍କଳ ହିତୈଷିଣୀ ସମାଜ ପାରଳାଖେମୁଣ୍ଡି ଶାଖା ତରଫରୁ ବରିଷ୍ଠ ନାଗରିକ, ଐତିହାସିକ ତଥା ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସମାଜର ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ଭରତ ଭୂଷଣ ମହାନ୍ତି, ଅନାଦି ପାଣିଗ୍ରାହୀ, ଜଗଦୀଶ ମହାପାତ୍ର, ହରିମୋହନ ପଟ୍ଟନାୟକ, ମୁରଲୀଧର ପରିଚ୍ଛା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଲେ, ମତ ପ୍ରକାଶ କରିବା ପାଇଁ ସମସ୍ତଙ୍କ ଅଧିକାର ଅଛି । କିନ୍ତୁ ଉକ୍ତ ପୁସ୍ତକରେ ଲେଖକଦ୍ବୟ କୌଣସି ପ୍ରମାଣ ଉପସ୍ଥାପନ ନକରି ସେମାନଙ୍କର ନିଜସ୍ବ ମନ୍ତବ୍ୟକୁ ଅତ୍ୟନ୍ତ କୁତ୍ସିତ ଭାଷାରେ ପ୍ରକାଶ କରିଛନ୍ତି। ଏହା ଓଡ଼ିଶା ତଥା ଗଜପତିବାସୀଙ୍କ ପାଇଁ ଲଜ୍ଜାର କାରଣ। ସାରା ଭାରତରେ ସମ୍ମାନ ପାଉଥିବା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କୁ ଏହି ପୁସ୍ତକରେ ଅସମ୍ମାନ କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe