ମୁହଁରେ ଜାତୀୟ ସଙ୍ଗୀତ, ତଣ୍ଟିରେ ଶୋଷ! ଦେବଗଡ଼ ଜିଲ୍ଲାର ନିଆରା ଗ୍ରାମ କୀର୍ତ୍ତନପାଲି

Advertisment

ପ୍ରତିଦିନ ଗ୍ରାମବାସୀ ଜାତୀୟ ପତାକା ଉତ୍ତୋଳନ ସହ ଜାତୀୟ ସଙ୍ଗୀତ ଗାନ କରନ୍ତି; ଅଥଚ ୮ ବର୍ଷ ହେବ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି

ପ୍ରତିଦିନ ଗ୍ରାମବାସୀ ଜାତୀୟ ପତାକା ଉତ୍ତୋଳନ ସହ ଜାତୀୟ ସଙ୍ଗୀତ ଗାନ କରନ୍ତି; ଅଥଚ ୮ ବର୍ଷ ହେବ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି

ମୁହଁରେ ଜାତୀୟ ସଙ୍ଗୀତ, ତଣ୍ଟିରେ ଶୋଷ! ଦେବଗଡ଼ ଜିଲ୍ଲାର ନିଆରା ଗ୍ରାମ କୀର୍ତ୍ତନପାଲି

ରିଆମାଳ (ମନୋଜ କୁମାର ବେହେରା): ଦେବଗଡ଼ ଜିଲ୍ଲାରେ ଏମିତି ଏକ ଗଁା ଅଛି, ଯେଉଁଠି ପ୍ରତ୍ୟେକ ଦିନ ଜାତୀୟ ପତାକା ଉତ୍ତୋଳନ କରାଯାଉଛି। ଜାତୀୟ ସଙ୍ଗୀତ ଗାନ ଗାନ କରାଯାଉଛି। ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରୁଛନ୍ତି। ଏହିଭଳି ଏକ ଅନନ୍ୟ ପରମ୍ପରା ପଛରେ ରହିଥିବା ମହତ୍ତ୍ବପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି, ଗ୍ରାମବାସୀଙ୍କ ମଧ୍ୟରେ ଭ୍ରାତୃଭାବ ଓ ଦେଶପ୍ରେମ ଜାଗ୍ରତ କରାଇବା। ମାତ୍ର, ଦୁର୍ଭାଗ୍ୟଜନକ ବିଷୟ ହେଉଛି ଏହିଭଳି ଏକ ଗଁାର ଏକମାତ୍ର ପାନୀୟଜଳ ପ୍ରକଳ୍ପ ୮ବର୍ଷ ହେବ ବନ୍ଦ ହୋଇପଡ଼ିଛି। ଫଳରେ, ପାଣି ମୁନ୍ଦେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ।

ଏହି ଗଁା ହେଉଛି, ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଲୁଲଙ୍ଗ ପଂଚାୟତ ଅନ୍ତର୍ଗତ କୀର୍ତ୍ତନପାଲି। ଏହି ଗ୍ରାମର ଅଧିବାସୀ ଜାତିରପିତା ମହାତ୍ମା ଗାନ୍ଧୀଙ୍କ ବିଚାରକୁ ସମ୍ମାନ ଦେଇ ଆସୁଛନ୍ତି। ନିରୋଗ ଓ ସୁନ୍ଦର ଗ୍ରାମର କେବଳ ପରିକଳ୍ପନା କରିନାହାନ୍ତି, ତଦନୁଯାୟୀ ପଦକ୍ଷେପ ବି ଗ୍ରହଣ କରୁଛନ୍ତି। ୨୦୧୮ ଜାନୁଆରି ୩୧ ତାରିଖ ଦିନ ଗ୍ରାମବାସୀମାନେ ନିଜସ୍ବ ପାଣ୍ଠିରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ। ଦେବଗଡ଼ର ତତ୍‌କାଳୀନ ଜିଲ୍ଲାପାଳ ଏହାକୁ ଉନ୍ମୋଚନ କରିଥିଲେ। ସେହିଦିନଠାରୁ ପ୍ରତ୍ୟେକଦିନ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଆସୁଛନ୍ତି। ଏଥିସହିତ, ଜାତୀୟ ପତାକା ଉତ୍ତୋଳନ ସହ ଜାତୀୟ ସଂଗୀତ ଗାନ କରି ଆସୁଛନ୍ତି। କିନ୍ତୁ, ଦୁର୍ଭାଗ୍ୟଜନକ ବିଷୟ ହେଉଛି ୪୫ ପରିବାର ବସବାସ କରୁଥିବା ଏହି ଗ୍ରାମ‌ରେ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଛି।

ସୂଚନା ଅନୁସାରେ, ଗ୍ରାମକୁ ପାନୀୟ ଜଳ ଯୋଗାଇବା ପାଇଁ ୧୦ ବର୍ଷ ତଳେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଗଭୀର ନଳକୂପ ଖୋଳାଯାଇ ପାଇପ ଯୋଗେ ଜଳ ଯୋଗାଣ ହୋଇଥିଲା। ମାତ୍ର, ୨ ବର୍ଷ ଚାଲିଲା ପରେ ତାହା ବନ୍ଦ ହୋଇଯାଇଥିଲା। ନଳକୂପ ଖୋଳାଯାଇଥିବା ସ୍ଥାନରୁ ଜଳ ଉଠାଇ ପାରି ନ ଥିଲା। ଏହାପରେ ଅନ୍ୟଏକ ସ୍ଥାନରେ ପମ୍ପ ଘର କରାଯାଇ ନଳକୂପ ଖୋଳା ଯାଇଥିଲା। ମାତ୍ର, ସେଠି ମଧ୍ୟ ଜଳ ଉଠାଇ ପାରି ନ ଥିଲା। ସେହିଦିନଠାରୁ ପାନୀୟ ଜଳରୁ ଗ୍ରାମବାସୀ ବଞ୍ଚିତ ହୋଇରହିଛନ୍ତି। ଗ୍ରାମରେ ୩ଟି ନଳକୂଅ ରହିଛି। ତନ୍ମଧ୍ୟରୁ ଗୋଟିଏ ଅଚଳ ଓ ଆଉ ଗୋଟିଏରୁ ଦୁର୍ଗନ୍ଧ ବାହାରୁଛି। ଫଳରେ ଗୋଟିଏ ମାତ୍ର ନଳକୂଅ ଉପରେ ଗ୍ରାମବାସୀ ନିର୍ଭର କରୁଛନ୍ତି। ସେଥିରୁ ବି ପର୍ଯ୍ୟାପ୍ତ ପାଣି ବାହାରୁ ନାହିଁ। ଏହି ସମସ୍ୟା ବାବଦରେ ପୂର୍ବରୁ ଅନେକ ଥର ସେମାନେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ କେହି ପନୀୟ ଜଳର ସୁବିଧା କରୁନଥିବାରୁ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।

ଉଲ୍ଲେଖଯୋଗ୍ୟ ଯେ, କୀର୍ତ୍ତନପାଲି କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱଚ୍ଛ, ସୁସ୍ଥ ଓ ବାହ୍ୟ ମଳମୁକ୍ତ ଗ୍ରାମର ମାନ୍ୟତା ପାଇଥିଲା। ମାତ୍ର ଏହି ଗ୍ରାମକୁ ପ୍ରଶାସନ ପକ୍ଷରୁ ଅବହେଳା କରାଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମରେ ଥିବା ଏକମାତ୍ର ପାନୀୟ ଜଳ ପ୍ରକଳ୍ପ ବର୍ଷେ କି ଦୁଇ ବର୍ଷ ନୁହେଁ, ୮ ବର୍ଷ ହେବ ବନ୍ଦ ହୋଇ ପଡ଼ି ରହିଛି। ଫଳରେ ଗ୍ରାମବାସୀ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିଦିନ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଜାତୀୟ ପତାକା ଉତ୍ତୋଳନ ଓ ଜାତୀୟ ସଙ୍ଗୀତ ଗାନ କରାଯାଉଥିବା ଓଡ଼ିଶାର ଏକମାତ୍ର ଗ୍ରାମ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe