ଜାତୀୟ ଚିଲିକା ପକ୍ଷୀ ଉତ୍ସବ ଉଦ୍‌ଘାଟିତ : ବିଦେଶାଗତ ପକ୍ଷୀଙ୍କ ପାଇଁ ଓଡ଼ିଶା ସୁପ୍ରସିଦ୍ଧ: ମୁଖ୍ୟମନ୍ତ୍ରୀ

Advertisment
‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ପ୍ରକଳ୍ପ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ପୁରୀ ଦେଶରେ ପ୍ରଥମ

The Hans India

ପୁରୀ : ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଶା ସମ୍ବଳ ଓ ‌ସୌନ୍ଦର୍ଯ୍ୟରେ ଭରପୂର। ଶ୍ରଦ୍ଧାଳୁଙ୍କ ପାଇଁ ଏହା କେବଳ ତୀର୍ଥସ୍ଥଳୀ ନୁହେଁ, ବିଦେଶାଗତ ପକ୍ଷୀଙ୍କ ପାଇଁ ବି ସୁପ୍ରସିଦ୍ଧ। ଏସିଆର ବୃହତ୍ତମ ଖାରିପାଣି ହ୍ରଦ ଚିଲିକାକୁ ପ୍ରତିବର୍ଷ ବିଭିନ୍ନ ପ୍ରଜାତିର ୧୦ ଲକ୍ଷରୁ ଅଧିକ ବିଦେଶାଗତ ପକ୍ଷୀଙ୍କ ଆଗମନ ଅତ୍ୟନ୍ତ ଆକର୍ଷଣୀୟ। ଆଜି ତୃତୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ ଉଦ୍‌ଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଭିଡିଓ ବାର୍ତ୍ତା ଜରିଆରେ ଏହି ଉତ୍ସବକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ, ଚିଲିକା ପକ୍ଷୀ ଉତ୍ସବ କ୍ରମବର୍ଦ୍ଧିଷ୍ଣୁ ସଫଳତା ହାସଲ କରୁ। ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଇକୋଟୁରର ଏହି ଅନନ୍ୟ ଉଦ୍ୟମ ଓ ଆୟୋଜନ ଅଭିନନ୍ଦନୀୟ। ରାଜ୍ୟର ସାତକୋଶିଆ ଗଣ୍ଡ, ଭିରତକନିକା ଜାତୀୟ ଉଦ୍ୟାନ, ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ସହ ଅନ୍ୟ ଆକର୍ଷଣୀୟ ସ୍ଥାନ ପରିଦର୍ଶନ କରି ପର୍ଯ୍ୟଟକମାନେ ଅପାର ଆନନ୍ଦ ପାଆନ୍ତୁ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଲେ, ସାରା ବିଶ୍ବର ଆର୍ଦ୍ରଭୂମିଗୁଡ଼ିକ ମଧ୍ୟରେ ଚିଲିକାର ସ୍ଥାନ ସ୍ବତନ୍ତ୍ର। ଚିଲିକା ହ୍ରଦ ଓଡ଼ିଶା ପର୍ଯ୍ୟଟନର ଆତ୍ମା। ବିଦେଶାଗତ ପକ୍ଷୀଙ୍କ ବୃହତ୍ତମ ଆଶ୍ରୟସ୍ଥଳ ଭାବେ ଏସିଆ ମହାଦେଶରେ ଚିଲିକା ସୁଖ୍ୟାତି ବହନ କରିଛି। ଚିଲିକାକୁ ଆସୁଥିବା ବିଦେଶାଗତ ପକ୍ଷୀମାନଙ୍କ ବିଷୟରେ ବହୁବିଧ ତଥ୍ୟ ଓ ପକ୍ଷୀ ସଂରକ୍ଷଣ ସଂକ୍ରାନ୍ତୀୟ ମୂଲ୍ୟବାନ ପରାମଶ ପ୍ରଦାନ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ।

ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ ପକ୍ଷୀପ୍ରେମୀ ପର୍ଯ୍ୟଟକମାନେ ଅଧିକ ସଂଖ୍ୟାରେ ଆସିଲେ ରାଜ୍ୟ ପାଇଁ ପର୍ଯ୍ୟଟନ ରାଷ୍ଟ୍ରଦୂତ ସାବ୍ୟସ୍ତ ହେବ ବୋଲି ଅନ୍ୟତମ ସମ୍ମାନିତ ଅତିଥି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମତ ଦେଇଥିଲେ। କୋଭିଡ୍‌ କଟକଣା ସତ୍ତ୍ବେ ରାଜ୍ୟ ତଥା ରାଜ୍ୟ ବାହାରୁ ୫୫ ଜଣ ପକ୍ଷୀପ୍ରେମୀ ଏହି ଉତ୍ସବକୁ ଉପଭୋଗ କରିବା ପାଇଁ ନାମ ପଞ୍ଜୀକରଣ କରିବା ବେଶ ମହତ୍ତ୍ବପୂର୍ଣ୍ଣ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର କହିଥିଲେ। ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା, ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଚିଲିକା ଉପରେ ଏକ ଫିଲ୍ମ ପ୍ରଦର୍ଶିତ ହୋଇଥିଲା। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପ୍ରକୃତି ଓ ପରିବେଶ ପର୍ଯ୍ୟଟନର ଉତ୍କର୍ଷ ସାଧନ ଉଦ୍ଦେଶ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ। ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ସ୍ବାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe