ଅସରାଏ ବର୍ଷାରେ ଧସିଲା ୧୬ନଂ ଜାତୀୟ ରାଜପଥ

Advertisment
ଅସରାଏ ବର୍ଷାରେ ଧସିଲା ୧୬ନଂ ଜାତୀୟ ରାଜପଥ

ଭଣ୍ଡାରିପୋଖରୀ-୧: ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କାମର ସ୍ଥାୟୀତ୍ୱ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେଉଁଠି ୱାଲ ନିର୍ମାଣରେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ତ ପୁଣି କେଉଁଠି ହୋଇଥିବା ପିଚୁ କାମ ୨୪ଘଣ୍ଟା ମଧ୍ୟରେ ଫାଟିଯାଉଛି। ଅବସ୍ଥା ଏମିତି ହେଉଛି ଯେ ବର୍ଷା ହେଲେ ରାଜପଥ ଧସି ଯାଉଥିବା ଦେଖାଯାଇଛି।

ସୂଚନା ଅନୁଯାୟୀ, ଭଣ୍ଡାରିପୋଖରୀ ବିଦ୍ୟୁତ କାର୍ଯ୍ୟାଳୟ ଠାରୁ ହାରାମଣି ବାଳିକା ବିଦ୍ୟାଳୟ ଯାଏ ଏକ ବାଇପାସ ରାସ୍ତା ନିର୍ମାଣ ହେଉଛି। ବିଶେଷ କରି ଡାକ ଅଫିସ ଠାରୁ ବିଦ୍ୟାଳୟ ଯାଏ ଯେଉଁ ୩ ଶହ ମିଟର ରାସ୍ତା ନିର୍ମାଣ ହୋଇଛି ତାର କାର୍ଯ୍ୟ ନିମ୍ନମାନର ହୋଇଥିବା ଦେଖାଯାଉଛି। ପ୍ରାଥମିକସ୍ତରରୁ ବ୍ୟବହାର ହୋଇଥିବା ମାଟି ଓ ଡଷ୍ଟ ପର୍ଯ୍ୟାୟକ୍ରମେ କମ୍ପାକସନ ହୋଇନଥିବା ଜଣାପଡ଼ିଛି। ଏପରିକି କମ୍ପାକସନ ରୋଲର ଚଢ଼ା ଯାଇନଥିବା ବେଳେ ଏହା ଉପରେ ଡିସମେଣ୍ଟାଲ ଓ ବଜୁରୀ ଢଳାଯାଇ ପିଚର ଲେପ ଦିଆଯାଇଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏଭଳି ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ ରାସ୍ତାର ହାରାମଣି ବିଦ୍ୟାଳୟ ପାଚେରି ନିକଟରେ ବିରାଟ ଫାଟ ସୃଷ୍ଟି ହେଲାଣି। ଏପରିକି ଅସରାଏ ବର୍ଷା ହେବା ଯୋଗୁ ଉକ୍ତ ୩ଶହ ମିଟର ନିର୍ମାଣ ସ୍ଥାନର ଅନେକ ଜାଗାରେ ପାହାଡ଼ରୁ ପଥର ଖସିବା ଭଳି ମାଟି ଧସି ଗଲାଣି। ଏଭଳି ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ନ କରିବାକୁ ସ୍ଥାନୀୟ ଲୋକ ପୂର୍ବରୁ ବାରମ୍ବାର ତାଗିଦ କରିଥିଲେ ସୁଦ୍ଧା କମ୍ପାନି ଏହାକୁ ଭ୍ରୁକ୍ଷେପ ନ କରି ତରବରିଆ ଭାବେ କାମ ସାରିବାକୁ ଚେଷ୍ଟା କରିଛି। ଫଳରେ ଏଭଳି ମନୁଷ୍ୟକୃତ ତ୍ରୁଟି ଯୋଗୁ ପିଚୁ ଫାଟିବା ସହ ମାଟି ଧସୁଥିବା ପ୍ରାକ୍ତନ ସରପଞ୍ଚ ପ୍ରଶାନ୍ତ ସାହୁ ଅଭିଯୋଗ କରିଛନ୍ତି। ସ୍କୁଲ ଖୋଲିବାକୁ ଆଉ ଦୁଇ ଦିନ ବାକିଥିବା ବେଳେ ଏଭଳି ବିପଦସଂକୁଳ ରାସ୍ତା ପାର୍ଶ୍ବରେ କିଭଳି ପିଲାମାନେ ଯିବାଆସିବା କରିବେ ତାହାକୁ ନେଇ ଅନେକ ଆଶଙ୍କା ଦେଖାଦେଇଛି। ନିର୍ମାଣକାରୀ ସଂସ୍ଥା ନିଜ ତ୍ରୁଟି ସୁଧାରିବା ସହ ଏହା ଉପରେ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଶହ ଶହ ସ୍ଥାନୀୟ ଲୋକ ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe