ବିଶ୍ବସ୍ତରର ଉପରକୁ ଯିବାକୁ ହେଲେ ସାମୂହିକ ଉଦ୍ୟମ ଲୋଡ଼ା: ଅଶ୍ବିନୀ

Advertisment

‘ରେଳ ପଛରେ ରହିଗଲେ, ଦେଶ ପଛରେ ରହିଯିବ’

‘ରେଳ ପଛରେ ରହିଗଲେ, ଦେଶ ପଛରେ ରହିଯିବ’

ବିଶ୍ବସ୍ତରର ଉପରକୁ ଯିବାକୁ ହେଲେ ସାମୂହିକ ଉଦ୍ୟମ ଲୋଡ଼ା: ଅଶ୍ବିନୀ

ଭୁବନେଶ୍ବର : ଗତ ୮ ବର୍ଷ ମଧ୍ୟରେ ଭାରତୀୟ ରେଳରେ ଅନେକ ବିକାଶ ହୋଇଛି। ନୂଆ ନୂଆ ଜ୍ଞାନକୌଶଳ ରେଳକୁ ସମୃଦ୍ଧ କରିଛି। ବିଶ୍ବସ୍ତରୀୟ ଅଟୋମେଟିକ୍‌ ଟ୍ରେନ୍‌ ପ୍ରୋଟେକ୍ସନ ସିଷ୍ଟମ୍‌ ହେଉ ବା ବନ୍ଦେ ଭାରତ ଭଳି ଟ୍ରେନ୍‌ ଭାରତରେ ତିଆରି ହେବା ଘଟଣା ହେଉ ବିଭିନ୍ନ କ୍ଷେତ୍ରରେ ଭାରତୀୟ ରେଳ ଉଦାହରଣ ସୃଷ୍ଟି କରିଛି। ପୁରୀ ସହ ଆଉ ୭ଟି ରେଳ ଷ୍ଟେସନ ନୂଆ ରୂପ ନେବାକୁ ଯାଉଛି। ସେପ୍ଟେମ୍ବରରୁ ପ୍ରତି ମାସରେ ୪ରୁ ୫ଟି ବନ୍ଦେ ଭାରତ ଟ୍ରେନ୍‌ ଫ୍ୟାକ୍ଟ୍ରିରୁ ବାହାରିବ ଓ ସାରା ଦେଶରେ ଚାଲିବ। ବୁଲେଟ୍‌ ଟ୍ରେନ୍‌ ପାଇଁ ୫୦ ଟାୱାର ନିର୍ମାଣ ସରିଲାଣି। ନୂଆ ଭାରତର ଏହା ସବୁ ଗୋଟିଏ ଗୋଟିଏ ଉଦାହରଣ। ଏହା ଠାରୁ ଆହୁରି ଉପରକୁ ଯିବାର ଅଛି। ରେଳବିଭାଗରେ ଅଧିକାରୀ ଓ କର୍ମଚାରୀମାନଙ୍କର ବ୍ୟକ୍ତିଗତ ଉଦ୍ୟମ ବେଶ୍‌ ପ୍ରଶଂସନୀୟ। କିନ୍ତୁ ଏହି ସ୍ତରରୁ ଉପରକୁ ଯିବାକୁ ହେଲେ ଆମକୁ ସାମୂହିକ ଭାବରେ ଉଦ୍ୟମ କରିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର ରେଲୱେ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ଶନିବାର ସନ୍ଧ୍ୟାରେ ଭୁବନେଶ୍ବର ରେଳ ଅଡିଟୋରିୟମରେ ଆୟୋଜିତ ୬୭ ତମ ଜାତୀୟ ରେଲୱେ ପୁରସ୍କାର ବିତରଣ ଉତ୍ସବ-୨୦୨୨ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ କହିଥିଲେ, ଭାରତୀୟ ରେଳକୁ ସର୍ବୋଚ୍ଚସ୍ତରକୁ ନେଇ ଯିବା ପାଇଁ ପ୍ରତ୍ୟେକ କର୍ମଚାରୀଙ୍କ ପାଖରେ ଦକ୍ଷତା ଅଛି। ଭାରତୀୟ ରେଳ ସବୁଠାରୁ ବଡ଼ ସଂଗଠନ। କେବଳ ବଡ଼ ଲକ୍ଷ୍ୟ ନେଇ, ସମସ୍ତ ବାଧାବନ୍ଧନକୁ ଅତିକ୍ରମ କରି ପ୍ରତିବଦ୍ଧତାକୁ ପ୍ରମାଣିତ କରିବାକୁ ହେବ। ଯେବେ ଦେଶ କହିବ ଯେତେ ବଡ଼ କାମ ହେଲେ ବି ଭାରତୀୟ ରେଳ କରିପାରିବ ସେତେବେଳେ ଯାଇ ଆମେ ଦକ୍ଷ ବୋଲି ପ୍ରମାଣିତ ହେବ। ଏବେ ବି ୧୯୭୦ର ଜ୍ଞାନକୌଶଳ ଭାରତୀୟ ରେଳରେ ରହିଛି। ଏହାର ପରିବର୍ତ୍ତନ ଆବଶ୍ୟକ। ରେଳ ପଛରେ ରହିଗଲେ ଦେଶ ପଛରେ ରହିଯିବ। ୩୦ କିମ୍ବା ୩୦୦ କୋଟି ନୁହେଁ, ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଆମେ ପ୍ରସ୍ତୁତ ଅଛୁ। କିନ୍ତୁ କର୍ମକ୍ଷେତ୍ରରେ ତାହାର ପ୍ରତିଫଳନ ଜରୁରୀ। ଗତବର୍ଷ ରେଳବାଇ ୧ ଲକ୍ଷ ୯୦ ହଜାର କୋଟି ଟଙ୍କା ବିନିଯୋଗ କରିଥିଲା ଯାହା ୨୦୨୦- ୨୧ ରୁ ୨୩ ପ୍ରତିଶତ ଅଧିକ। ଚଳିତବର୍ଷ ୨ ଲକ୍ଷ ୪୫ ହଜାର କୋଟି ବିନିଯୋଗ ଲକ୍ଷ୍ୟ ରଖାଯାଇଛି। ଗତବର୍ଷ ପ୍ରଡକ୍ସନ ୟୁନିଟ୍ ସବୁଠୁ ବେଶି ସଫଳତା ପାଇଛି। ୯୬୯ ଇଲେକ୍ଟ୍ରିକ ଲୋକୋମାୋଟିଭ୍ ଓ ୬ ହଜାର ୨୯୧ ଏଲ୍‌ବିଏଚ୍‌ କୋଚ୍‌ ନିର୍ମାଣ ହୋଇଛି। ଚଳିତବର୍ଷ ୧୧୫୦ ଲୋକୋମୋଟିଭ୍ ଓ ୮ ହଜାର କୋଚ୍ ନିର୍ମାଣ ଲକ୍ଷ୍ୟ ରହିଛି। ଗତବର୍ଷ ୨ ହଜାର ୯୦୮ କିଲୋମିଟର ମଲ୍ଟିଟ୍ରାକିଂ କରିଥିବା ବେଳେ ଚଳିତବର୍ଷ ୬ ହଜାର କିଲୋମିଟର ଲକ୍ଷ୍ୟ ରହିଛି। ଗତବର୍ଷ ୬୩୬୬ କିଲୋମିଟର ରେଲଓ୍ବେ ଇଲେକ୍ଟ୍ରିଫିକେସନ୍ ହୋଇଥିବା ବେଳେ ଚଳିତବର୍ଷ ୯ ହଜାର କିଲୋମିଟର ଲକ୍ଷ୍ୟ ରହିଛି। ଏବେ ସନ୍ତୁଷ୍ଟ କିମ୍ବା ଉତ୍ସବ ପାଳନର ସମୟ ନୁହେଁ, ବରଂ ଆଗକୁ ଯିବା ପାଇଁ ରାସ୍ତାକାଢ଼ିବାର ସମୟ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ତେବେ ଭୁବନେଶ୍ବର ଷ୍ଟେସନର ବିକାଶ ପ୍ରଶ୍ନର ଉତ୍ତରରେ କିଛି କହିବାକୁ ଚାହିନାହାନ୍ତି ମନ୍ତ୍ରୀ।

ଏହି ଅବସରରେ ଉଲ୍ଲେଖନୀୟ ସେବା ପାଇଁ ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୫୬ ରେଳବାଇ କର୍ମଚାରୀଙ୍କୁ ମନ୍ତ୍ରୀ ପୁରସ୍କୃତ କରିଥିଲେ। ଜୋନାଲ ରେଳପଥ, ଉତ୍ପାଦନ ୟୁନିଟ୍ ଓ ରେଲୱେ ପିଏସୟୁମାନଙ୍କୁ ୨୧ଟି ସିଲ୍ଡ ପ୍ରଦାନ କରିଥିଲେ। ଉଲ୍ଲେଖନୀୟ ସେବା ପାଇଁ ୧୦ ଜଣ ଟ୍ରାକମ୍ୟାନ୍, ସମ୍ପତ୍ତିର ଉନ୍ନତ ରକ୍ଷଣାବେକ୍ଷଣ ପାଇଁ ୪୨ ରେଳବାଇ କର୍ମଚାରୀ, ନୂତନ ଉଦ୍ଭାବନ ପାଇଁ ୨୮, ରୋଜଗାରର ବୃଦ୍ଧି ଓ ଟିକେଟ୍ ବିହୀନ ଯାତ୍ରା ରୋକିବା ପାଇଁ ୧୧, ରେକର୍ଡ ସମୟ ମଧ୍ୟରେ ପ୍ରକଳ୍ପ ସମାପ୍ତି ପାଇଁ ୧୨, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜଣେ ଓ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୩୩ଜଣଙ୍କୁ ପୁରସ୍କୃତ କରାଯାଇଥିଲା।

ରେଳ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିନୟ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ରେଳ ବୋର୍ଡର ସଦସ୍ୟ ମୋହିତ ସିହ୍ନା, ପି ସିଂ, ଡି ସି ଶର୍ମା, ଏସ୍ କେ ମହାନ୍ତି, ଓ ରେଳବାଇ ବୋର୍ଡ ସଚିବ ଆର.ଏନ. ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ଗତବର୍ଷ ରେଳବାଇ ୧ ଲକ୍ଷ ୯୦ ହଜାର କୋଟି ଟଙ୍କା ବିନିଯୋଗ କରିଥିଲା ଯାହା ୨୦୨୦- ୨୧ ରୁ ୨୩ ପ୍ରତିଶତ ଅଧିକ। ଚଳିତବର୍ଷ ୨ ଲକ୍ଷ ୪୫ ହଜାର କୋଟି ବିନିଯୋଗ ଲକ୍ଷ୍ୟ ରଖାଯାଇଛି। ଗତବର୍ଷ ପ୍ରଡକ୍ସନ ୟୁନିଟ୍ ସବୁଠୁ ବେଶି ସଫଳତା ପାଇଛି। ୯୬୯ ଇଲେକ୍ଟ୍ରିକ ଲୋକୋମାୋଟିଭ୍ ଓ ୬ ହଜାର ୨୯୧ ଏଲ୍‌ବିଏଚ୍‌ କୋଚ୍‌ ନିର୍ମାଣ ହୋଇଛି। ଚଳିତବର୍ଷ ୧୧୫୦ ଲୋକୋମୋଟିଭ୍ ଓ ୮ ହଜାର କୋଚ୍ ନିର୍ମାଣ ଲକ୍ଷ୍ୟ ରହିଛି। ଗତବର୍ଷ ୨ ହଜାର ୯୦୮ କିଲୋମିଟର ମଲ୍ଟିଟ୍ରାକିଂ କରିଥିବା ବେଳେ ଚଳିତବର୍ଷ ୬ ହଜାର କିଲୋମିଟର ଲକ୍ଷ୍ୟ ରହିଛି। ଗତବର୍ଷ ୬୩୬୬ କିଲୋମିଟର ରେଲଓ୍ବେ ଇଲେକ୍ଟ୍ରିଫିକେସନ୍ ହୋଇଥିବା ବେଳେ ଚଳିତବର୍ଷ ୯ ହଜାର କିଲୋମିଟର ଲକ୍ଷ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe