କେନ୍ଦ୍ରୀୟ ବିଶ୍ୱିଦ୍ୟାଳୟରେ ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ଉପଲକ୍ଷେ ଜାତୀୟ ସମ୍ପାନ ଅନୁଷ୍ଠିତ

Advertisment
କେନ୍ଦ୍ରୀୟ ବିଶ୍ୱିଦ୍ୟାଳୟରେ ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ଉପଲକ୍ଷେ ଜାତୀୟ ସମ୍ପାନ ଅନୁଷ୍ଠିତ

କୋରାପୁଟ: ଓଡ଼ିଶାର ବରପୁତ୍ର ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ରାଜ୍ୟ ଶ୍ରାଦ୍ଧ ଶତବାର୍ଷିକୀ ପାଳନ ଅବସରରେ କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱିଦ୍ୟାଳୟ ଓ ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟଙ୍କ ମିଳିତ ପୃଷ୍ଠପୋଷକତାରେ ତ୍ରି-ଦିବସୀୟ ଗଙ୍ଗାଧର ମେହେର ଜାତୀୟ ସମ୍ପାନ ତା ୧୮.୭ରେ ଉଦଘାଟିତ ହୋଇଯାଇଛି । ଏଥିରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ଚକ୍ରଧର ତ୍ରିପାଠୀ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ଏନ ନାଗରାଜୁ, ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ପ୍ରମୁଖ ଯୋଗ ଦେଇଥିଲେ। ଅତିଥିଗଣ ପ୍ରଦୀପ ପ୍ରଜ୍ୱଳନ କରି ସମ୍ପାନର ଶୁଭାରମ୍ଭ କରିବା ପରେ ଓଡ଼ିଆ ବିଭାଗ ମୁଖ୍ୟ ତଥା ସମ୍ପାନର ସଂଯୋଜିକା ଡ. ରୁଦ୍ରାଣୀ ମହାନ୍ତି ସ୍ୱାଗତ ଅଭିଭାଷଣ ଦେଇଥିଲେ। ପ୍ର. ଚକ୍ରଧର ତ୍ରିପାଠୀ ସମାରୋହକୁ ଉଦଘାଟନ କରି କହିଥିଲେ, ଏକତା ହିଁ ବଳ, ମାତ୍ର ସାହିତ୍ୟ ନିଜର ଆକର୍ଷିଣୀୟ ଶକ୍ତି ବଳରେ ସମାଜକୁ ଏକତା ସୂତ୍ରରେ ବାନ୍ଧି ରଖି ଏକ ସମୃଦ୍ଧ ରାଷ୍ଟ୍ର ଗଠନ କରିଥାଏ। କବି ଗଙ୍ଗାଧରଙ୍କ ସାଧନା ବିଷୟ ଉପସ୍ଥାପନ କରି ସେ ପୁଣି କହିଲେ, ପରାଧୀନ ଭାରତରେ ବିଦୀର୍ଣ୍ଣ ଭାରତୀୟ ସମାଜ ଓ ସଂସ୍କୃତିର ପୁନରୁଦ୍ଧାର କରି ଉତ୍କଳ ଖଣ୍ଡରେ ସଂହତି ଆଣିବାରେ ସେ ପୁରୋଧା ଥିଲେ । ତାଙ୍କ ସାହିତ୍ୟ ଓ ସାଧନା ଆଜି ପୁଣି ଆଞ୍ଚଳିକତା ଦୂରକରି ଆତ୍ମନିର୍ଭର ଓଡ଼ିଶା ଗଠନ ନିମନ୍ତେ ଅତ୍ୟନ୍ତ ପ୍ରାସଙ୍ଗିକ।

ମୁଖ୍ୟଅତିଥି ପ୍ର. ଏନ. ନାଗରାଜୁ କହିଲେ କବି ଗଙ୍ଗାଧରଙ୍କ ସାହିତ୍ୟ ଓଡ଼ିଶାର ସୀମା ଟପି ରାଷ୍ଟ୍ର ତଥା ବିଶ୍ୱକୁ ସ୍ପର୍ଶ କରିବାର ଶକ୍ତି ଧାରଣ କରିଛି। ଏଥି ନିମନ୍ତେ ଏହିପରି ସାମୂହିକ ଉଦ୍ୟମ ହେବା ନିତାନ୍ତ ଆବଶ୍ୟକ। ସେମିନାରରେ ବୀଜବକ୍ତବ୍ୟ ଉପସ୍ଥାପନ କରି ଥିଲେ ପଦ୍ମଶ୍ରୀ ଦମୟନ୍ତି ବେଶ୍ରା। ସାନ୍ତାଳୀ ଭାଷାର ସାହିତ୍ୟ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ର. ବେଶ୍ରା କହିଲେ, ଗଙ୍ଗାଧରଙ୍କ ସାହିତ୍ୟ ଶାଶ୍ୱତ ମୂଲ୍ୟବୋଧର ପରିଚାୟକ। ଏହାର ଚର୍ଚ୍ଚା ଓ ଗବେଷଣା ଉପରେ ଆମର ବିକଶିତ ଭବିଷ୍ୟତ ନିର୍ଭରଶୀଳ।

ଉଦଘାଟନୀ ସମାରୋହରେ କବି ଗଙ୍ଗାଧର ଆଲୋଚନାରେ ସମୃଦ୍ଧ ‘ଗଙ୍ଗାଧର ମେହେର : ଆଲୋଚନା ସଂଗ୍ରହ’ ଶୀର୍ଷକ ଏକ ପୁସ୍ତକ ଅତିଥିମାେନେ ଉନ୍ମୋଚନ କରିଥିଲେ।

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଆ ବିଭାଗର ବରିଷ୍ଠ ସହକାରୀ ଅଧ୍ୟାପକ ଡ. ଆଲୋକ ବରାଳ ମଞ୍ଚ ପରିଚାଳନା କରିଥିଲାବେଳେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଡ. ଲକ୍ଷ୍ମୀପ୍ରିୟା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଏହି ସମ୍ପାନ ୧୯ ତାରିଖ ଯାଏଁ ଏଠାରେ ଅନୁଷ୍ଠିତ ହୋଇ ୨୦ ତାରିଖରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଶ୍ବବିଦ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଜଣେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe