କାଇପଦର ଶ୍ରୀଜଗନ୍ନାଥ କଲେଜରେ ଜାତୀୟ ସେବା ଦିବସ ପାଳିତ: କଥା ରଖିଲେ ଛାତ୍ରଛାତ୍ରୀ,ସଫେଇ କଲେ କଲେଜ ପରିସର

କାଇପଦର ଶ୍ରୀଜଗନ୍ନାଥ କଲେଜରେ ଜାତୀୟ ସେବା ଦିବସ ପାଳିତ: କଥା ରଖିଲେ ଛାତ୍ରଛାତ୍ରୀ,ସଫେଇ କଲେ କଲେଜ ପରିସର

ଖୋର୍ଦ୍ଧା : କାଇପଦର ଶ୍ରୀ ଜଗନ୍ନାଥ କଲେଜ ପକ୍ଷରୁ ଅନ୍ତଃମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶିବିରର ଉଦ୍‌ଯାପନୀ ଉତ୍ସବରେ କଲେଜ ପରିଚାଳନା ପରିଷଦର ପୂର୍ବତନ ସଭାପତି, ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ କଲେଜର ଛାତ୍ରଛାତ୍ରୀମାନେ କଲେଜ ପରିସରକୁ ସ୍ବଚ୍ଛ, ପରିଷ୍କାର ରଖିବାକୁ ଆହ୍ବାନ ଦେଇଥିଲେ। ଯଦି ଛାତ୍ରଛାତ୍ରୀମାନେ ସେମାନଙ୍କ କଲେଜକୁ ପରିଷ୍କାର କରି ଦେଖାଇପାରିବେ, ତେବେ ‘ସମ୍ବାଦ’ ପକ୍ଷରୁ କଲେଜକୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯିବ ବୋଲି ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। । ଛାତ୍ରଛାତ୍ରୀମାନେ ଶ୍ରୀ ପଟ୍ଟନାୟକଙ୍କ ଆହ୍ବାନକୁ ଗ୍ରହଣ କରି ମହାବିଦ୍ୟାଳୟ ପରିସରକୁ ସମ୍ପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ଲାଗିପଡ଼ିଛନ୍ତି।

ସୂଚନାଯୋଗ୍ୟ ଯେ ଆଜି ଜାତୀୟ ସେବା ଯୋଜନା ଦିବସ ପାଳନ ଅବସରରେ କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ପରିସରକୁ ନିଶାମୁକ୍ତ ଓ ସ୍ବଚ୍ଛ ରଖିବା ପାଇଁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଅଭିଯାନ ଆଜି ଆରମ୍ଭ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ତରୁଣାକାନ୍ତି ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ତଥା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଦିଲୀପ ଶ୍ରୀଚନ୍ଦନ, ସମ୍ମାନିତ ଅତିଥି ଭାବେ ରାଜ୍ୟ ଜଙ୍ଗଲ ବିଭାଗର ଉପନିର୍ଦ୍ଦେଶକ ମଧୁସୂଦନ ଦାସ, ଶରତ ପାଇକରାୟ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତତ୍‌କାଳୀନ ଅଧିକାରୀ ଡ. ଶ୍ରୀଚନ୍ଦନଙ୍କ ନେତୃତ୍ବରେ ଛାତ୍ରଛାତ୍ରୀଙ୍କ ଦ୍ବାରା ମହାବିଦ୍ୟାଳୟ ପରିସରରେ ୧୨୦ ଏକର ସ୍ଥାନରେ କାଜୁ, ନିମ୍ବ, ୟୁକାଲିପଟାସ ଆଦି କୋଡ଼ିଏ ହଜାର ଗଛ ଲଗାଯାଇଥିଲା। ଏହା ଦ୍ବାରା ରାଜ୍ୟର ଶ୍ରେଷ୍ଠ ଜାତୀୟ ସେବା ଯୋଜନା ଅଧିକାରୀ ଓ ଦେଶର ଶ୍ରେଷ୍ଠ କାର୍ଯ୍ୟକ୍ରମ ଅଧିକାରୀଭାବେ ଡ. ଶ୍ରୀଚନ୍ଦନ ସମ୍ମାନିତ ହୋଇଥିଲେ ବୋଲି ଅଧ୍ୟକ୍ଷ ଡ. ମିଶ୍ର କହିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟକ୍ଷ ଡ. ମନୋଜ ସାମନ୍ତରାୟ, ଅଶୋକ ରାୟସିଂହ, ମହାବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରତାପ କେଶରୀ ଛୋଟରାୟ, ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ଅନୁପମା ଚମ୍ପତ୍ତିରାୟ ଓ ମାନସ ଜୟସିଂହ, ଅଧ୍ୟାପିକା ସଚଳା ସାମନ୍ତରାୟ, ସୁଜ୍ଞାନୀ ଭଞ୍ଜସାମନ୍ତ, ସଂଯୁକ୍ତା ପଟ୍ଟନାୟକ, ସମାଜସେବୀ ଶରତ କୁମାର ଦାସ ପ୍ରମୁଖ ଯୋଗ ଦେଇ ମହାବିଦ୍ୟାଳୟର ପରିବେଶ ସ୍ବଚ୍ଛ ଓ ନିଶାମୁକ୍ତ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ। ଛାତ୍ରଛାତ୍ରୀମାନେ ନିକଟସ୍ଥ ଗାଁରେ ପରିବେଶ ସଚେତନତାର ବାର୍ତ୍ତା ନେଇ ଶୋଭାଯାତ୍ରା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe