ଜାତୀୟ ଭୋଟର୍‌ ଦିବସ: ୧୮ ବର୍ଷର ୫୦୫୦ ଭୋଟର୍‌ ପଞ୍ଜୀକୃତ ହୋଇଛନ୍ତି

ଜାତୀୟ ଭୋଟର୍‌ ଦିବସ: ୧୮ ବର୍ଷର ୫୦୫୦ ଭୋଟର୍‌ ପଞ୍ଜୀକୃତ ହୋଇଛନ୍ତି

ନୟାଗଡ଼: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜାନୁଆରି ୨୫ରେ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ. ପୋମା ଟୁଡୁ ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଡିଆର୍‌ଡିଏ ପିଡି ସୁବାସଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଭାରତୀୟ ନିର୍ବାଚନ କମିସନ୍‌, ଭୋଟର ଦିବସର ଉଦ୍ଦେଶ୍ୟ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ନିଶ୍ଚିତ ତଥା ବିବେକାନୁମୋଦିତ ମତଦାନ କରିବାକୁ ଜିଲ୍ଲାପାଳ ଆହ୍ବାନ ଦେଇଥିଲେ।

୨୦୨୨ ବର୍ଷ ପାଇଁ ଜିଲ୍ଲାରେ ୧୮ ରୁ ୧୯ ବର୍ଷ ମଧ୍ୟରେ ୫୦୫୦ ଜଣ ନୂତନ ଭୋଟର ପଞ୍ଜୀକୃତ ହୋଇଥିବା ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରେ ୩୦୩୮ ପୁରୁଷ , ୨୦୧୨ ମହିଳା, ୩ ଅନ୍ୟ‌ାନ୍ୟ ଭୋଟର ଥିବା ଜଣାପଡ଼ିଛି। ମୃତ୍ୟୁ ତଥା ଅନ୍ୟାନ୍ୟ କାରଣ ପାଇଁ ଜିଲ୍ଲାରେ ୯୩୬୧ ଭୋଟର୍‌ଙ୍କୁ ବାଦ୍‌ ଦିଆଯାଇଛି। ନୂତନ ଭୋଟରଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ଭୋଟର ସଂଖ୍ୟା ୮ ଲକ୍ଷ ୯୬ ହଜାର ୭୬ ରେ ପହଞ୍ଚଛି। ସେମାନଙ୍କ ମଧ୍ୟରେ ୪୨୪୦୪୧ ପୁରୁଷ ଓ ୩୮୫୫୭୩ ମହିଳା, ୬୨ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି। ନବାଗତ ଭୋଟରମାନଙ୍କ ମଧ୍ୟରୁ କେତେକଙ୍କୁ ଜିଲ୍ଲାପାଳ ଓ ଅନ୍ୟ ଅତିଥିଗଣ ଭୋଟର ପରିଚୟପତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ଭୋଟର ପଞ୍ଜୀକରଣ‌ରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିବା ବୁଥ୍‌ସ୍ତରୀୟ ଅଧିକାରୀ(ବିଏଲ୍‌ଓ) ରଣପୁରର ରମାମଣି ପୃଷ୍ଟି, ଦଶପଲ୍ଲାର ଶ୍ରୀଧର ପ୍ରଧାନ, ନୟାଗଡ଼ର ମିନତୀ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଭୋଟର ଦିବସକୁ ନେଇ ଅନୁଷ୍ଠିତ ହାଇସ୍କୁଲସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବ୍ରଜେନ୍ଦ୍ର ହାଇସ୍କୁଲର ଛାତ୍ର ଧର୍ମେଶ ରାୱାଲ, ଏନ୍‌ଏସି ହାଇସ୍କୁଲର ଅସ୍ମିତା ଭଗତ୍ ଦ୍ବିତୀୟ, ସରକାରୀ ବାଳିକା ହାଇସ୍କୁଲ ନୟାଗଡ଼ର ଅଞ୍ଚଳ ଆଚାର୍ଯ୍ୟ ତୃତୀୟଙ୍କୁ ପୁରସ୍କୃତ କରାଯାଇଥିଲା। କଲେଜସ୍ତରୀୟ ପ୍ରତିଯୋଗିତାରେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ପ୍ରୀତିପ୍ରଭା ମହାପାତ୍ର ପ୍ରଥମ, ଜଗଦୀଶ ମହାପାତ୍ର ଦ୍ବିତୀୟ, ଯୁଗ୍ମ ଭାବେ ତୃତୀୟ ହୋଇଥିବା ୟୁନିଟେକ୍‌ କଲେଜର ଶ୍ରୀୟାସ୍ବାତୀ ମିଶ୍ର, ଋତୁପର୍ଣ୍ଣା ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe