ଜାତୀୟ ମତଦାତା ଦିବସ ପାଳିତ: ଜିଲ୍ଲାରେ ୧୫,୪୪୮ ନୂଆ ଯୁବ ମତଦାତା

ଭୋଟରଙ୍କୁ ସଚେତନ କଲେ ପ୍ରଧାନମନ୍ତ୍ରୀ

ଜାତୀୟ ମତଦାତା ଦିବସ ପାଳିତ: ଜିଲ୍ଲାରେ ୧୫,୪୪୮ ନୂଆ ଯୁବ ମତଦାତା

ପୁରୀ: ଯୁବ ଭୋଟରମାନଙ୍କୁ ମତଦାନ ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟ ନେଇ ଜାତୀୟ ମତଦାତା ଦିବସ ପାଳିତ ହୋଇଛି। ଚଳିତ ଥର ୧୫,୪୪୮ ନୂତନ ଯୁବ ମତଦାତା ଭୋଟର ତାଲିକାରେ ପଞ୍ଜୀକୃତ ହୋଇଛନ୍ତି। ପୁରୀ ଜିଲ୍ଲାରେ ସମୁଦାୟ ୧୩,୯୦,୨୮୨ ଜଣ ମତଦାତା ରହିଥିବା ବେଳେ ୭,୧୫,୭୩୩ ପୁରୁଷ, ୬,୭୪,୪୬୯ ମହିଳା ଓ ୮୦ ଜଣ କିନ୍ନର ଭୋଟ ଦେବା ନିମନ୍ତେ ପଞ୍ଜୀକୃତ ହୋଇଛନ୍ତି। ପ୍ରତ୍ୟେକ ମତଦାତାଙ୍କୁ ଭୋଟର ତାଲିକାରେ ପଞ୍ଜୀକରଣ କରିବା ଏବଂ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ସଚେତନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦଯାତ୍ରା ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କୈଳାଶ ଚନ୍ଦ୍ର ନାୟକ, ଉପ-ଜିଲ୍ଲାପାଳ ଭାବତାରଣ ସାହୁ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ପଦଯାତ୍ରାରେ ସ୍କାଉଟ୍, ଗାଇଡ୍ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଜିଲ୍ଲା ପ୍ରଶାସନର କର୍ମଚାରୀମାନେ ଏନ୍‌ଭିଡି-୨୪ ସଦୃଶ ମାନବ ଶୃଙ୍ଖଳ ପ୍ରଦର୍ଶନ କରିଥିଲେ। ଶୋଭାଯାତ୍ରା ବ୍ଲୁ ଫ୍ଲାଗ୍ ବେଳାଭୂମିରୁ ଆରମ୍ଭ ହୋଇ ସଂସ୍କୃତି ଭବନ ପର୍ଯ୍ୟନ୍ତ ଚାଲିଥିଲା। ଚଳିତ ବର୍ଷର ମତଦାତା ଦିବସର ପ୍ରସଙ୍ଗ ‘ମତଦାନର ନାହିଁ ବିକଳ୍ପ, ଭୋଟ ମୁଁ ନିଶ୍ଚୟ ଦେବି କଲି ସଂକଳ୍ପ’ ଆଧାରରେ ଶୋଭାଯାତ୍ରା ହୋଇଥିଲା। ଅନେକ ସ୍ୱେଚ୍ଛାକୃତ ଭାବେ ଭୋଟର ତାଲିକାରେ ନିଜକୁ ପଞ୍ଜୀକୃତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସଂସ୍କୃତିଭବନରେ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ର, ପୌରପାଳିକା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଡେପୁଟି କଲେକ୍ଟର ସୁଶାନ୍ତ ପଟ୍ଟନାୟକ ପ୍ରମୁଖ ନୂତନ ଭୋଟରମାନଙ୍କୁ ଭୋଟର ପରିଚୟପତ୍ର ପ୍ରଦାନ କରିଥିଲେ। ସତ୍ୟବାଦୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲିପ୍ସା ରାୟ ଓ ପିପିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ରାଉତଙ୍କୁ ଭୋଟର ସଚେତନତା ବୃଦ୍ଧିରେ ଯୋଗଦାନ ପାଇଁ ଶ୍ରେଷ୍ଠ ଏଇଆରଓ ଭାବେ ପୁରସ୍କୃତ କରାଯାଇଥିଲା। ଡେପୁଟି କଲେକ୍ଟର ମନୋଜ ପ୍ରଧାନ ଏବଂ ଡେପୁଟି କଲେକ୍ଟର ମନୀଷା ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

ଭୋଟରଙ୍କୁ ସଚେତନ କଲେ ପ୍ରଧାନମନ୍ତ୍ରୀ
ପୁରୀ:‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାରା ଦେଶର ଭୋଟରଙ୍କୁ ମତଦାନ ସଂପର୍କରେ ସଚେତନ କରିଛନ୍ତି। ମତଦାନର ଅଧିକାର ଓ ଏହାର ସଠିକ୍‌ ଉପଯୋଗ ପାଇଁ ପରାମର୍ଶ ଦେଇଛନ୍ତି। ଏହି ଉପଲକ୍ଷେ ଆଜି ପୁରୀ ଟାଉନ୍‌ ହଲ୍‌ଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଲ୍‌ଇଡି ସ୍କ୍ରିନ୍‌ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପ୍ରସାରଣ କରାଯାଇଥିଲା। ଏହି ଅବସରରେ ବହୁ ବିଜେପି ନେତାଙ୍କ ସହ ଭୋଟରମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe