କଳିଙ୍ଗନଗର ଅପପୁଷ୍ଟିକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା, ଟୁଇଟର ଲଢ଼େଇ

କଳିଙ୍ଗନଗର ଅପପୁଷ୍ଟିକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା, ଟୁଇଟର ଲଢ଼େଇ

ଯାଜପୁର/ଦାନଗଦୀ : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ ଅନ୍ତର୍ଗତ ନଗଡ଼ାର ଅପପୁଷ୍ଟି ଜନିତ ଶିଶୁମଡ଼କ ପାଇଁ ସାରା ଦେଶରେ ଅପଖ୍ୟାତି ମୁଣ୍ଡାଇଥିଲା ଓଡ଼ିଶା। ଏହାପରେ କୋରେଇ ବ୍ଲକର ବେଙ୍ଗାସାହି ଅପପୁଷ୍ଟି ଘଟଣା ପ୍ରଶାସନିକ ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇଥିଲା। ଏବେ କଳିଙ୍ଗନଗର ଶିଳ୍ପାଞ୍ଚଳର ଛାତି ତଳେ ଥିବା ଦାନଗଦୀ ବ୍ଲକ ରଣାଗୁଣ୍ଡି ପଞ୍ଚାୟତର ରଗଡ଼ା ଘାଟିସାହି ଗ୍ରାମର ଅପପୁଷ୍ଟି ଆକ୍ରାନ୍ତ ଶିଶୁ ସଂପର୍କରେ ‘ସମ୍ବାଦରେ ଖବର ପ୍ରକାଶନ ପରେ ଚର୍ଚ୍ଚାକୁ ଆସିଛି। ଏହି ଗାଁର ବାଙ୍କୁ ହେମ୍ବ୍ରମ ଓ କୁନି ହେମ୍ବ୍ରମଙ୍କ ଏକ କନ୍ୟାସନ୍ତାନର ଫଟୋ ଜାତୀୟ ଗଣମାଧ୍ୟମର ଶିରୋନାମା ମଣ୍ଡନ କରୁଛି।

‘ସମ୍ବାଦରେ ପ୍ରକାଶିତ ‘ପ୍ରାଚୁର୍ଯ୍ୟଭରା ଅଞ୍ଚଳରେ ଦାରିଦ୍ର୍ୟର କଷଣ ଖବରକୁ ନେଇ ଗତକାଲି ବିଧାନସଭାରେ ହୋହଲ୍ଲା ହୋଇଥିଲା। ଏହାପରେ ପିଟିଆଇ (ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ)ରେ ଅପପୁ​ଷ୍ଟି ଆକ୍ରାନ୍ତ ଶିଶୁର ଫଟୋ ସମ୍ବଳିତ ୩୮ ସେକେଣ୍ଡର ଭିଡିଓ ଟ୍ବିଟ୍‌ ହେବା ପରେ ଏହାକୁ ତୃତୀୟ ବିଶ୍ବର କାହାଣୀ ଭାବେ ଅନେକେ ଉଲ୍ଲେଖ କରିଛନ୍ତି। ସାରା ଦେଶର ବିଭିନ୍ନ ପ୍ରାନ୍ତରୁ ଶତାଧିକ ବୁଦ୍ଧିଜୀବୀ ରିଟ୍ବିଟ୍‌ କରି ଏଥିରେ ନିଜ ମତାମତ ଉଲ୍ଲେଖ କରିବା ସହ ଏ ଘଟଣା ଜାତୀୟ ଲଜ୍ଜା ବୋଲି ଅଭିହିତ କରିଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏଥିରେ ପ୍ରତିକ୍ରିୟା ଦେଇ କାର୍ଯ୍ୟାନୁଷ୍ଠାନ କରିବାକୁ ଜିଲ୍ଲା ପ୍ରଶାସନକୁ ଟ୍ବିଟ୍‌ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ଶିଶୁମାନଙ୍କୁ ବିଭିନ୍ନ ଚିକିତ୍ସାକେନ୍ଦ୍ର ଓ ପୁଷ୍ଟିସାଧନ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାର ମଧ୍ୟ ଉତ୍ତର ଦିଆଯାଇଛି। ୯ ମାସ, ୩ ବର୍ଷ ଓ ୪ ବର୍ଷର ୩ ଶିଶୁଙ୍କୁ ପୁଷ୍ଟିକର ଆହାର କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ୩ ଓ ୪ ବର୍ଷର ଶିଶୁଙ୍କୁ ଅଣ୍ଡା ଓ ସ୍ପିରିଲୁନା ଦିଆଯାଇଛି। ଯେଉଁ ଶିଶୁର ଫଟୋ ପ୍ରସାରିତ ହେଉଛି, ସେ ସ୍ବାସ୍ଥ୍ୟଗତ ସମସ୍ୟାରେ ଆକ୍ରାନ୍ତ ଥିବାରୁ ଶିଶୁଭବନରେ ଭର୍ତ୍ତି କରାଯାଇଛି। ସାଙ୍ଗରେ ମା ତୁଳସୀ ମୁଣ୍ଡା ଅଛନ୍ତି। ଅବଶିଷ୍ଟ ଶିଶୁମାନଙ୍କୁ ସରକାରୀ ପରିଚାଳିତ ଶିଶୁଯତ୍ନ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ​ବୋଲି ଦର୍ଶାଯାଇଛି।

ମାତ୍ର ଏହି ଉତ୍ତର ଟ୍ବିଟର ବ୍ୟବହାରକାରୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ତଳକୁ ତଳ ଟ୍ବିଟର ଲଢ଼େଇରେ ବହୁ ଲୋକ ସାମିଲ ହୋଇଯାଇଥିବା ଦେଖିବାକୁ ମିଳିଛି। ପନ୍ନାଲାଲ ନାମକ ଜଣେ ବ୍ୟକ୍ତି ଏହାକୁ ତୃତୀୟ ବିଶ୍ବର ଷ୍ଟୋରି ବୋଲି କହିବାକୁ ପଛାଇ ନାହାନ୍ତି। ଅନ୍ୟ କେତେକ ବ୍ୟବହାରକାରୀ ଏହି ପରିବାରକୁ ସହାୟତା କରିବା ନିମନ୍ତେ ଠିକଣା ମାଗିଛନ୍ତି। ଆଉ କେତେକ ଏହାକୁ ଦୁର୍ଭାଗ୍ୟଜନକ, ଦୁଃଖଦ ବୋଲି ଲେଖିଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା, ଖାଦ୍ୟ ସୁରକ୍ଷା ଆଇନ... ସବୁ ତୃଣମୂଳସ୍ତରରେ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନଥିବାର ମନ୍ତବ୍ୟ ଦେଇଛନ୍ତି। ନନ୍ଦ ଶୁକ୍ଳା ନାମକ ଜଣେ ଟ୍ବିଟର ବ୍ୟବହାରକାରୀ ଲେଖିଛନ୍ତି, ଆମେ ବହୁ ଖାଦ୍ୟ ନଷ୍ଟ କରୁଥିବାବେଳେ କେହି ଏପରି କ୍ଷୁଧାରେ ରହିବା ଉଚିତ ନୁହେଁ। ଅରୁଣ ଗୁପ୍ତା ଲେଖିଛନ୍ତି, ଯଦି ଭାରତ ଶ୍ରେଷ୍ଠ ଅର୍ଥନୀତି, ଆମେ ଭଲ ଅର୍ଥନୀତି ଚାହୁଁନାହୁଁ.. ବରଂ ଆମେ ସମସ୍ତ ଭାରତୀୟ ଚାହୁଁ ରୋଟି.. କପଡ଼ା.. ମକାନ.. ଏସବୁ ଆମର ମୌଳିକ ଅଧିକାର। ଅନ୍ୟଜଣେ ଏହାକୁ ଭାରତର ଅମୃତ କାଳ ବୋଲି ବ୍ୟଙ୍ଗ କରିଛନ୍ତି।

ଲେଫ୍ଟନାଣ୍ଟ କଲୋନେଲ ମନମୋହନ ବିଷ୍ଟ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ କଣ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ରାଜ୍ୟର କେହି କଣ ଏମାନଙ୍କ ଯନ୍ତ୍ରଣା ଅନୁଭବ କରିପାରୁ ନାହାନ୍ତି ବୋଲି ଲେଖିଛନ୍ତି। ଜଣେ ଅବସରପ୍ରାପ୍ତ ଆଇଏଏସ ଅଥିମୁଲମ ପୁଷ୍ଟିହୀନତା ଦୂରୀକରଣ ରାଜ୍ୟ ସରକାରଙ୍କ ଉତ୍ତରଦାୟିତ୍ବ ବୋଲି ଲେଖିଛନ୍ତି।

ଅନ୍ୟପଟେ ଏହି ପରିବାର ଶେଷଥର ପାଇଁ ୨୦୨୧ ଜୁଲାଇରେ ରାସନ ଚାଉଳ ଉଠାଇଥିବାର ତାଙ୍କ ଖାତାରେ ଉଲ୍ଲେଖ ରହିଛି। ରାସନ କାର୍ଡରେ ଦମ୍ପତିଙ୍କ ସମେତ ୪ ସନ୍ତାନଙ୍କ ନାମ ରହିଛି। ଅନ୍ୟ ୪ ପିଲାଙ୍କ ନାମ ନାହିଁ। ୮ ଜଣ ପିଲାଙ୍କ ମଧ୍ୟରୁ କାହାରି ଆଧାର କାର୍ଡ ହୋଇନାହିଁ। ସରପଞ୍ଚ ତୁଷାର ରଂଜନ ଜେନା କହିଛନ୍ତି, ଏହି ପରିବାରକୁ ବିଜୁ ପକ୍କାଘର ମିଳିଛି। ଘରଡିହ ପଟ୍ଟା ମଧ୍ୟ ରହିଛି। ବିଜୁଳି ସଂଯୋଗ ଦିଆଯାଇଥିଲା, ବିଲ୍‌ ଟଙ୍କା ପୈଠ ନକରିବାରୁ ଲାଇନ କଟିଯାଇଛି। ତାଙ୍କ ପରିବାରର କେହି ଚାଉଳ ଆଣିବାକୁ ଯାଇ ନଥାନ୍ତି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe