ଉତ୍ପତ୍ତିସ୍ଥଳରୁ ଦେଶୀ ଧାନ ଗାଏବ

Advertisment
ଉତ୍ପତ୍ତିସ୍ଥଳରୁ ଦେଶୀ ଧାନ ଗାଏବ

ଜୟପୁର: କୋରାପୁଟ ଜିଲ୍ଲା ଧାନର ଉତ୍ପତ୍ତି ସ୍ଥଳ। କିନ୍ତୁ ଧୀରେ ଧୀରେ ଏହି ଜିଲ୍ଲାରୁ ପାରମ୍ପରିକ ଦେଶୀ ବିହନ ଗାଏବ ହେବାରେ ଲାଗିଛି। ଜିଲ୍ଲାରେ ପୂର୍ବରୁ ୨ହଜାରରୁ ଊର୍ଦ୍ଧ୍ବ କିସମର ପାରଂପରିକ ଧାନ ବିହନ ରହିଥିଲା। ଦେଶୀ ବିହନ ଚାଷ କଲେ ଅଳ୍ପ ଉତ୍ପାଦନ ସହ ଅଧିକ ସମୟ ଲାଗିଥାଏ। ତେଣୁ ଧାନ ବିକ୍ରି ରୋଜଗାର ଉପରେ ସଂପୂର୍ଣ୍ଣ ନିର୍ଭର କରୁଥିବା ଚାଷୀ ସମୟକ୍ରମେ ପାରମ୍ପରିକ ବିହନ ଠାରୁ ବିମୁଖ ହେବାରେ ଲାଗିଛନ୍ତି। ଅଳ୍ପ ଜମିରେ ଅଧିକ ଉତ୍ପାଦନ ତଥା କମ୍‌ ସମୟ ମଧ୍ୟରେ ଉତ୍ପାଦନ ନିମନ୍ତେ ବଜାରରେ ମିଳୁଥିବା ହାଇବ୍ରିଡ୍‌ ତଥା ବିହନ ନିଗମର ବିହନ କିଣୁଛନ୍ତି।

ବର୍ତ୍ତମାନ କୋରାପୁଟ ଜିଲ୍ଲାର କାଁଭାଁ ଚାଷୀ ପାରଂପରିକ ବିହନ ଚାଷ କରୁଛନ୍ତି। ଜିଲ୍ଲାରେ ଏମ୍‌.ଏସ୍ ସ୍ବାମୀନାଥନ ଗବେଷଣା କେନ୍ଦ୍ର, ଜିଲ୍ଲା ସଂଗ୍ରହଳାୟ, ପଦ୍ମଶ୍ରୀ କମଳା ପୂଜାରୀ, ଚାଷୀ ନେତ୍ରାନନ୍ଦ ଲେଙ୍କା, ମନୋଜ ପାତ୍ର, କୋରାପୁଟ ଆଦିବାସୀ ସଂଗ୍ରହଳାୟ ସହ ଅଳ୍ପ କିଛି ବ୍ୟକ୍ତିଙ୍କ ନିକଟରେ ପାରମ୍ପରିକ ବିହନ ନମୁନା ସଂରକ୍ଷିତ ହୋଇ ‌ରହିଛି। ପ୍ରାୟ ୨୨୦ କିସମର ପାରମ୍ପରିକ ବିହନ ନିଜ ପାଖରେ ସଂରକ୍ଷିତ କରି ରଖିଥିବା ପଦ୍ମଶ୍ରୀ କମଳା ପୂଜାରୀ କହିଛନ୍ତି। ଆସାମ ଚୁଡ଼ି, ଉମୁରିଆ ଚୁଡ଼ି, ମହୁରୀ, କଳାବତୀ, ହାଣ୍ଡିଶାଳ, ମଲାଗଣ୍ଡା, ସମୁଦ୍ରବାଲି, କଳାଜିରା, କାହ୍ନୁ, କଳାମାଳି, ସୋରିଷରାଣୀ ଭଳି ୨୮୭ କିସମ ବିହନକୁ ବଞ୍ଚାଇ ରଖିବାକୁ ପ୍ରୟାସ କରିବା ସହ ଚାଷ କରୁଛନ୍ତି ନେତ୍ରାନନ୍ଦ ଲେଙ୍କା।

ପାରଂପରିକ ବିହନରେ ଏକର ପିଛା ମାତ୍ର ୫ରୁ ୧୦ କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ ଅମଳ ହୋଇଥାଏ। ଏଥିପାଇଁ ପୁଣି ୧୨୦ରୁ ୧୫୫ ଦିନ ସମୟ ଲାଗେ। ଅନ୍ୟପକ୍ଷରେ ହାଇବ୍ରିଡ୍‌ ବିହନ ତଥା ନିଗମ ଦ୍ବାରା ବିକ୍ରି ହେଉଥିବା ଅଧିକ ଅମଳକ୍ଷମ ବିହନ ଅଢ଼େଇରୁ ୩ମାସ ମଧ୍ୟରେ ଅମଳ ହେଉଥିଲା ବେଳେ ଏକର ପିଛା ୨୦ କୁଇଣ୍ଟାଲରୁ ଅଧିକ ଧାନ ଉତ୍ପାଦନ ହୋଇଥାଏ। ଜିଲ୍ଲାରେ ବହୁ କମ ଚାଷୀ ହିଁ ଏବେ କଳାଜିରା, ଆସାମଚୁଡ଼ି, ଯଯାତି ଆଦି ପୁରୁଣା ବିହନ ଚାଷ କରୁଛନ୍ତି। ପୁଣି ଅଧିକ ଅମଳ ପାଇଁ ଚାଷୀ ବର୍ତ୍ତମାନ ଅଧିକ ପରିମାଣରେ ରାସାୟନିକ ସାର ସହ କୀଟନାଶକ ବ୍ୟବହାର କରୁଛନ୍ତି। ଯାହାଫଳରେ ଜମିରେ ଅମ୍ଳତା ବଢ଼ୁଛି। ତେଣୁ ଆଗକୁ ଜମି ଉର୍ବରତା ହରାଇବା ସହ ପ୍ରକୃତିକୁ କ୍ଷତିଗ୍ରସ୍ତ କରିବ ବୋଲି ପରିବେଶବିତ୍‌ କହିଛନ୍ତି। ପାରଂପରିକ ବିହନ ଚାଷ ପାଇଁ ସରକାର ଅଧିକରୁ ଅଧିକ ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe