ପ୍ରକୃତିକବିଙ୍କ ମାଟିରେ ଉଜୁଡ଼ୁଛି ପ୍ରକୃତି: ମାଟି, ପାଣି, ପବନ ସବୁ ପ୍ରଦୂଷିତ

Advertisment
ବୀର ପଣେ ତୁମେ କୀଚକ ବଧିଲ...

ବରଗଡ଼: ବରଗଡ଼ ଜିଲ୍ଲା ପ୍ରକୃତିକବି ଗଂଗାଧରଙ୍କ ମାଟି ଭାବେ ପରିଚିତ। କବି ନିଜ ପ୍ରତିଟି କବିତାରେ ପ୍ରକୃତି ଏବଂ ପରିବେଶରୁ ସାଉଁଟିଥିବା ଉପାଦାନକୁ ସ୍ଥାନ ଦେଇଛନ୍ତି। ଯଦ୍ବାରା ତାଙ୍କର ପ୍ରତିଟି କବିତାରେ ପ୍ରକୃତିର ପବିତ୍ରତାର ଆଭାସ ମିଳିଥାଏ। କିନ୍ତୁ ଏହି ପ୍ରକୃତିର ଉପାଦାନଗୁଡ଼ିକ ଏବେ ପ୍ରଦୂଷିତ ଏବଂ ବିଷାକ୍ତ। ସିଧା କହିବାକୁ ଗଲେ, ବରଗଡ଼ ଜିଲ୍ଲାରେ ମାଟି ପାଣି ଓ ପବନ ସବୁ ପ୍ରଦୂଷିତ ହୋଇଯାଇଛି।

ଜିଲ୍ଲାର ଅଧିକାଂଶ ଜଳାଶୟ ବ୍ୟବହାର ଅନୁପଯୋଗୀ। ଯାହା ବିଶେଷଜ୍ଞଙ୍କ ରିପୋର୍ଟରୁ ବି ସ୍ପଷ୍ଟ ହୋଇସାରିଛି। ୨୦୧୦ ମସିହାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ବରଗଡ଼ରେ ଏକ ଗବେଷଣା କରାଯାଇଥିଲା। ବିଭିନ୍ନ ଜଳାଶୟର ପାଣିକୁ ଗବେଷକମାନେ ବିଶ୍ଳେଷଣ କରିଥିଲେ। ସମସ୍ତ ନମୁନାରେ କ୍ଷତିକାରକ ବେକ୍ଟେରିଆ ରହିଥିଲା। ଏହାସହିତ ଏଥିରେ ଲୌହକଣିକା ଏବଂ ଫ୍ଲୋରାଇଡ୍‌ର ମାତ୍ରା ସାମାନ୍ୟଠାରୁ ବହୁଗୁଣା ଅଧିକ ଥିବା ରିପୋର୍ଟରେ ଦର୍ଶାଯାଇଛି। ଗୁଡ଼ାଏ ପୋଖରୀ ମଣିଷ ବ୍ୟବହାର ଅନୁପଯୋଗୀ ବୋଲି ଗବେଷକମାନେ ପରାମର୍ଶ ଦେଇଥିଲେ। ଦଶ ବର୍ଷ ତଳେ ହୋଇଥିବା ଏହି ଗବେଷଣାର ତଥ୍ୟଠାରୁ ଇତିମଧ୍ୟରେ ଜଳାଶୟଗୁଡ଼ିକର ସ୍ଥିତି ଆହୁରି ସାଂଘାତିକ। ସେହିପରି ଭୂତଳ ଜଳରେ ନାଇଟ୍ରେଟ୍‌ର ପରିମାଣ ଅଧିକ ରହିଛି। ଲଗାତାର ଏହାକୁ ପାନୀୟ ଜଳ ଭାବେ ବ୍ୟବହାର କଲେ ରୋଗ ବଢ଼ିବା ମଧ୍ୟ ଆଶଂକା କରାଯାଇଥିଲା। ଚାଷବାସରେ ମାତ୍ରାଧିକ ରସାୟନିକ ସାର ସିଞ୍ଚନ ଦ୍ବାରା ଭୂତଳ ଜଳ ପ୍ରଦୂଷିତ ହେଉଥିବା କୁହାଯାଉଛି। ଏଥିସକାଶେ ବରଗଡ଼ ଜିଲ୍ଲାରେ କ୍ୟାନ୍‌ସର୍‌ ରୋଗୀଙ୍କ ସଂଖ୍ୟା ଅଧିକ ବୋଲି ମଧ୍ୟ ଯୁକ୍ତି ଉଠୁଛି।

କେବଳ ପାଣି ନୁହଁ, ଜିଲ୍ଲାରେ ମାଟି ବି ପ୍ରଦୂଷିତ ହୋଇଚାଲିଛି। ବିଲରେ ମାତ୍ରାଧିକ କୀଟନାଶକ ସିଞ୍ଚନ ଯୋଗୁଁ ମାଟିର ଉର୍ବରତା ହ୍ରାସ ପାଇବା ସହ ବିଷାକ୍ତ ହୋଇଯାଉଛି। ବରଗଡ଼ ଜିଲ୍ଲାର ପାଣି ଓ ମାଟି ପ୍ରଦୂଷିତ ହୋଇସାରିଛି। ସେହିପରି ବରଗଡ଼ ଜିଲ୍ଲା ପାଇଁ ବାୟୁ ପ୍ରଦୂଷଣ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଜିଲ୍ଲାର ବରଗଡ଼ ସହର, ପଦ୍ମପୁର ଏବଂ ବରପାଲି ସର୍ବାଧିକ ପ୍ରଦୂଷିତ ତାଲିକାରେ ରହିଛନ୍ତି। ବାୟୁ ମାନ ରିପୋର୍ଟ (ଏୟାର କ୍ବାଲିଟି ରିପୋର୍ଟ)ରେ ବରଗଡ଼ ଏବଂ ପଦ୍ମପୁର ସହରରେ ବାୟୁର ମାତ୍ରା ଅସ୍ବାସ୍ଥ୍ୟକର ବୋଲି କୁହାଯାଇଛି। ଗତ କିଛି ଦିନ ହେଲା ବରଗଡ଼ ସହରରେ ବାୟୁର ମାନ ୧୫୦ ସୂଚକାଙ୍କ ଉପରେ ରହିଛି। ଅର୍ଥାତ୍‌ ଏହି ବାୟୁ ଦ୍ବାରା ଛୋଟପିଲା, ବୟସ୍କମାନେ ରୋଗାଗ୍ରସ୍ତ ହେବା ଆଶଙ୍କା ରହିଛି। ବିଶେଷକରି ଶ୍ବାସରୋଗ ଏବଂ ହୃଦରୋଗୀଙ୍କ ପାଇଁ ଜଳବାୟୁ ହାନିକାରକ ବୋଲି ରିପୋର୍ଟରେ ଦର୍ଶାଯାଇଛି। ବାୟୁର ମାନ ୧୦୧ ରୁ ୧୫୦ ପଏଣ୍ଟ ଭିତରେ ରହିଲେ ତାହା ଶରୀର ପ୍ରତି କ୍ଷତିକାରକ। ହେଲେ ବରଗଡ଼ ସହରରେ ଧୂଳିଗୁଣ୍ଡ ଯୋଗୁଁ ଅଣନିଶ୍ବାସୀ ହେବା ଭଳି ପରିସ୍ଥିତି ସୃଷ୍ଟି ହେଲାଣି। ଏହାର ମୁକାବିଲା ପାଇଁ ଏବେଠୁ ପ୍ରସ୍ତୁତି ହେବା ଉଚିତ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe