Naval warship sails steel Photograph: (sambad.in)
ରାଉରକେଲା: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍) ତା’ର ଅବଦାନ ଅବ୍ୟାହତ ରଖିଛି। ସ୍ଥଳ, ବାୟୁ ଓ ନୌସେନା ପାଇଁ ଗୁରୁତ୍ବପୂର୍ଣ୍ଣ ଯୁଦ୍ଧାସ୍ତ୍ରରେ ଲାଗିଛି ସେଲ୍ର ଲୁହା। ତେବେ ସେଲ୍ର ଅନ୍ୟ ସମସ୍ତ ୟୁନିଟ୍ ଅପେକ୍ଷା ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ର ସିଂହଭାଗ ରହିଛି। ବିଶେଷକରି ନୌସେନାର ଏକାଧିକ ଯୁଦ୍ଧାଜାହାଜ ପାଇଁ ଆର୍ଏସ୍ପି ଇସ୍ପାତ ଯୋଗାଇଛି।
ସେଲ୍ ପକ୍ଷରୁ ପୂର୍ବରୁ ବିଭିନ୍ନ ଯୁଦ୍ଧଜାହାଜ, ଯଥା- ‘ବିକ୍ରାନ୍ତ’, ‘କାମୋର୍ତା’,‘ଉଦୟଗିରି’, ‘ସୁରତ’, ‘ନୀଳଗିରି’, ‘ହିମଗିରି’, ‘ତାରାଗିରି’, ‘ଡୁନାଗିରି’,‘ବିନ୍ଧ୍ୟଗିରି’, ‘ମହେନ୍ଦ୍ରଗରି’ ପାଇଁ ଉନ୍ନତ ଗ୍ରେଡ୍ର ପ୍ଲେଟ୍, ସିଟ୍ ଯୋଗାଇଛି। ସଂପ୍ରତି ନିକଟ ଅତିତରେ ଶୁଭାରମ୍ଭ ହୋଇଥିବା ଆଇଏନ୍ଏସ୍ ‘ନିସ୍ତାର’ ଓ ଆଇଏନ୍ଏସ୍ ‘ଅଜୟ’ରେ ମଧ୍ୟ ସେଲ୍ର ଇସ୍ପାତ ବ୍ୟବହୃତ ହୋଇଛି।
ଉଭୟ ଆଇଏନ୍ଏସ୍ ‘ନିସ୍ତାର’ ଓ ‘ଅଜୟ’ ପାଇଁ ସେଲ୍ ସଂପୂର୍ଣ୍ଣ ପରିମାଣର ଜଟିଳ-ଗ୍ରେଡ୍ ଇସ୍ପାତ ଯୋଗାଇ ଦେଇଥିଲା। ଗତ ୧୮ ତାରିଖରେ ହିନ୍ଦୁସ୍ତାନ ସିପ୍ୟାର୍ଡ ଲିମିଟେଡ୍ ଦ୍ବାରା ନିର୍ମିତ ଆଇଏନ୍ଏସ୍ ‘ନିସ୍ତାର’ କାର୍ଯ୍ୟକ୍ଷମ ହୋଇଥିଲା। ଏହି ଯୁଦ୍ଧଜାହାଜ ପାଇଁ ସେଲ୍ ସ୍ୱତନ୍ତ୍ର ଗ୍ରେଡ୍ ପ୍ଲେଟ୍ ମଧ୍ୟ ଯୋଗାଇଛି। ଏହାହେଉଛି ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ଡାଇଭିଂ ସପୋର୍ଟ୍ ଜାହାଜ।
ଏହା ଉଦ୍ଧାରକାର୍ଯ୍ୟ, ଗଭୀର ସମୁଦ୍ରରେ ଡାଇଭିଂ ଓ ନିରନ୍ତର ପାଟ୍ରୋଲିଂରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେହିଭଳି ଆଇଏନଏସ ‘ଅଜୟ’ ପାଇଁ ମଧ୍ୟ ସେଲ୍ ସମ୍ପୂର୍ଣ୍ଣ ପରିମାଣର ସ୍ୱତନ୍ତ୍ର ଡିଏମ୍ଆର୍ ଗ୍ରେଡ୍ ଇସ୍ପାତ ପ୍ଲେଟ୍ ଯୋଗାଇଛି। ସ୍ୱଦେଶୀଭାବେ ନିର୍ମିତ ଆଣ୍ଟି-ସବ୍ମେରିନ୍ ୱାର୍ଫେୟାର ଶ୍ୟାଲୋ ୱାଟର କ୍ରାଫ୍ଟ (ଏଏସ୍ଡବ୍ଲ୍ୟୁ-ଏସ୍ଡବ୍ଲ୍ୟୁସି) ସିରିଜ୍ର ଅଷ୍ଟମ ତଥା ଶେଷ ଜାହାଜ।
sundargarh |SAIL
Follow Us