Naveen congratulated the people of the state on the occasion of Republic Day
ଭୁବନେଶ୍ବର: ବିଜେଡିର ଜଣେ ଯୁବ ନେତାଙ୍କ ପାଖକୁ ଫୋନ୍ ଆସିଲା। ଆର ପଟେ ଥିଲେ ଦଳର ସଭାପତି ନବୀନ ପଟ୍ଟନାୟକ। ସିଧା ପ୍ରଶ୍ନ ଥିଲା, ଆପଣମାନେ କଟକରେ କ’ଣ ସବୁ ଏକାଠି ହୋଇଥିଲେ? କ’ଣ ଚାଲିଥିଲା ସେଠି?
ଯୁବ ନେତାଙ୍କ ଉତ୍ତର, ସାର୍, ସେଦିନ ପ୍ରୋଗ୍ରାମ ଥିଲା। ମାନ୍ୟବର ସାଂସଦ ଦେବାଶିଷ ସାମନ୍ତରାୟ ତାଙ୍କ ଘରକୁ ଡିନର୍ ପାଇଁ ଡାକିଥିଲେ।
ପୁଣି ନବୀନଙ୍କ ପ୍ରଶ୍ନ ଥିଲା, ଗଣମାଧ୍ୟମରେ ଏହାକୁ ନେଇ ସବୁ ନେଗେଟିଭ୍ ଖବର ଆସୁଛି। ଏସବୁ ପୁଣି କ’ଣ?
ଯୁବ ନେତାଙ୍କ ଉତ୍ତର, ସେମିତି କିଛି ହେଉ ନଥିଲା ସାର୍। ଏକାଠି ବସିଥିବାରୁ ମିଡିଆ କ’ଣ ଦେଖାଇଥିବ।
ନବୀନଙ୍କ ପୁଣି ପ୍ରଶ୍ନ, ଆଣ୍ଟି ପାର୍ଟି ଆକ୍ଟିଭିଟି ନେଇ ମିଡିଆରେ କୁହାଯାଉଛି। ଏହା ଦଳ ପାଇଁ କ୍ଷତିକାରକ ହେବ। ଆପଣମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଧ୍ୟାନ ଦିଅନ୍ତୁ। ଅଧିକ ସଦସ୍ୟ ବଢ଼ାଇ ସାଂଗଠନିକ କାମ କରନ୍ତୁ। କଟକ-ଭୁବନେଶ୍ବରରେ ଏମିତି ମେଳି କରିବା ଦରକାର ନାହିଁ।
ଯୁବ ନେତା କହିଲେ, ନା ସାର୍। ଆଣ୍ଟି ପାର୍ଟି ଆକ୍ଟିଭିଟି କିଛି ହେଉନି।
ଏହା ପରେ ନବୀନ ‘ଓକେ’ କହି ଫୋନ୍ କାଟି ଦେଇଥିଲେ।
ନବୀନ ଓ ଯୁବ ନେତାଙ୍କ ମଧ୍ୟରେ ହିନ୍ଦୀରେ ହୋଇଥିବା କଥୋକପଥନ ଏମିତି ହିଁ ଥିଲା। ଜଣେ ନୁହେଁ, ୩/୪ ଜଣ ନେତାଙ୍କୁ ଫୋନ୍ କରି ଏମିତି ପଚାରିଥିଲେ ନବୀନ। ଆଉ ମେଳି ନକରିବାକୁ ତାଗିଦ୍ କରିଥିଲେ। କିନ୍ତୁ ରୋଚକ ବିଷୟ ହେଉଛି, ନବୀନଙ୍କ ତାଗିଦ୍ ପରେ ଏମାନେ ପୁଣି ଏକାଠି ହୋଇଥିଲେ। ନବୀନଙ୍କ କଲ୍ ଓ ନେତାମାନଙ୍କ ସାନି ମେଳିକୁ ନେଇ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଚଳଚଞ୍ଚଳ ହୋଇଛି। ନବୀନ ନିଜ ଆଡ଼ୁ କଲ୍ କରିଥିଲେ ନା ତାଙ୍କୁ କଲ୍ କରିବା ପାଇଁ କେହି ପ୍ରବର୍ତ୍ତାଇଥିଲେ, ତାହାକୁ ନେଇ ଗୋଟିଏ ବର୍ଗ ଖୋଳତାଡ଼ ଆରମ୍ଭ କରିଛନ୍ତି। ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବିଜେଡିର ପରିଚାଳନା ଧାରା ଠିକ୍ ରାସ୍ତାରେ ଯାଉନାହିଁ ଏବଂ ଦଳରେ ଭବିଷ୍ୟତ ଠିକ୍ ଲାଗୁ ନଥିବାରୁ ନେତାମାନେ କେହି କାହାକୁ ମାନିବା ସ୍ଥିତିରେ ଆଉ ନାହାନ୍ତି।
ଯୁବ ନେତାମାନଙ୍କର ମେଳି ପ୍ରଥମ ଥର ପାଇଁ ଏମିତି ହୋଇ ନାହିଁ। ଭୁବନେଶ୍ବର ଓ ଗୋପାଳପୁରରେ ମଧ୍ୟ ଏମାନେ ଆଗରୁ ମେଳି କରିଥିଲେ। ଗତ ୨୩ ତାରିଖରେ କଟକରେ ଦେବାଶିଷ ସାମନ୍ତରାୟଙ୍କ ଘରେ ଏକାଠି ହୋଇଥିଲେ। ଏମାନଙ୍କର ଏକ ବିଶେଷତ୍ବ ହେଲା ଯେ ଏମାନେ ସମସ୍ତେ ରାଜ୍ୟ ରାଜନୀତିର ପ୍ରଭାବଶାଳୀ ବାପାମାନଙ୍କର ପୁଅ। ଉତ୍ତରାଧିକାରୀ ସୂତ୍ରରେ ରାଜନୀତିକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପରାଜିତ ହୋଇଥିଲା ବେଳେ କିଛି ବିଜୟୀ ହୋଇଛନ୍ତି। ତେବେ ସେମାନଙ୍କର ଏହି ମେଳିର ଉଦ୍ଦେଶ୍ୟ କ’ଣ, ତାହା କେହି ସ୍ପଷ୍ଟ ହୋଇପାରୁ ନାହାନ୍ତି। କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ସେମାନେ ଏମିତି କରୁଛନ୍ତି ନା ଏହା ପଛରେ ଆଉ କିଛି କାରଣ ରହିଛି, ତାହା ଦଳ ଭିତରେ ଚର୍ଚ୍ଚାର ବିଷୟ ହୋଇଛି। ବିଜେଡି କ୍ଷମତାରୁ ଗଲା ପରେ ସଂଗଠନକୁ ଏକାଠି ରଖିବା କାଠିକର ପାଠ ହୋଇଗଲାଣି। ନବୀନଙ୍କ କାର୍ଯ୍ୟଧାରା ଦେଖିଲେ ନେତାମାନେ ନିଜର ରାଜନୈତିକ ଭବିଷ୍ୟତ ନେଇ ସନ୍ଦିହାନ ହୋଇପଡ଼ୁଛନ୍ତି। ଏମିତିରେ ବି ଗତ କିଛି ବର୍ଷ ହେଲା ନବୀନ ନିଜେ ସାଂଗଠନିକ ବ୍ୟାପାର ବୁଝୁ ନଥିଲେ। ସରକାର ସହ ଦଳକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲେ ଭି କେ ପାଣ୍ଡିଆନ୍। ‘ଦଳର ସଭାପତି ଚାହୁଁଛନ୍ତି’ ବୋଲି କହି ସବୁ ସେ ହିଁ ବୁଝୁଥିଲେ। ଆଉ ତାଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଦାୟିତ୍ବ ନେଇଥିଲେ ପ୍ରଣବ ପ୍ରକାଶ ଦାସ। ନିର୍ବାଚନରେ ବିଜେଡିର ପରାଜୟ ପାଇଁ ଏହି ଦୁଇ ଜଣଙ୍କ ଆଚରଣ ଓ ଉଚ୍ଚାରଣକୁ ହିଁ ଅଧିକାଂଶ ନେତା ଦାୟୀ କରୁଛନ୍ତି।
ନିଜେ ଫୋନ୍ କରି ତାଗିଦ୍ କରୁଛନ୍ତି
ନିୟନ୍ତ୍ରଣ ବାହାରକୁ ଯାଉଛି ସଂଗଠନ
ଛାମୁଆ କମିଟି ଭଙ୍ଗ ରହସ୍ୟ ବଢ଼ୁଛି
ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ବି ପ୍ରଚ୍ଛଦରେ ରହି ସଂଗଠନ ପରିଚାଳନା କରୁଛନ୍ତି। କିଛି ଦିନ ହେଲା ସେ ନିଜେ ସିଧାସଳଖ ନେତାମାନଙ୍କ ସହ ସାଂଗଠନିକ ବ୍ୟାପାର ଆଲୋଚନା କରୁଛନ୍ତି। ଦଳର ପରିଚାଳନା ପାଇଁ ଗଢ଼ାଯାଇଥିବା କମିଟି କେବଳ ନାମକୁ ମାତ୍ର ହୋଇଯାଇଛି। ନା ନବୀନ ସେହି କମିଟିକୁ ଗୁରୁତ୍ବ ଦେଉଛନ୍ତି ନା ସେମାନଙ୍କ ସହ କୌଣସି ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। ଦଳର ପୁରୁଣା ସ୍ଥିତି ଥିଲେ ହୁଏତ ଯୁବନେତାମାନଙ୍କୁ ନବୀନଙ୍କ କଲ୍ ଯିବା ଦରକାର ପଡ଼ି ନଥା’ନ୍ତା। ନବୀନଙ୍କ ନାଁ ନେଇ ଦ୍ବିତୀୟ ଓ ତୃତୀୟ କ୍ଷମତାକେନ୍ଦ୍ରଙ୍କ ନାଲି ଆଖି ଯଥେଷ୍ଟ ହୋଇଥା’ନ୍ତା। ପରିବର୍ତ୍ତିତ ପରିସ୍ଥିତିରେ ନବୀନଙ୍କୁ ସିଧାସଳଖ କଲ୍ କରିବାକୁ ପଡ଼ିଲା। ଗଣମାଧ୍ୟମ ରିପୋର୍ଟକୁ ନେଇ ନବୀନ ନିଜଆଡ଼ୁ କଲ୍ କରିବା ଘଟଣାକୁ ମଧ୍ୟ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। କାରଣ ଏବେ ବି ନବୀନ ସାଂଗଠନିକ ବ୍ୟାପାରକୁ ଗୁରୁତ୍ବର ସହ ବୁଝୁ ନାହାନ୍ତି। ତେଣୁ ଦଳ ଭିତରେ ନେତାମାନଙ୍କ ମେଳିକୁ ଭାଙ୍ଗିବାକୁ ନବୀନଙ୍କୁ କିଏ ପ୍ରଭାବିତ କରି କଲ୍ କରାଇଲା, ତାହାକୁ ନେଇ ଆଲୋଚନା ଜୋର୍ ଧରିଛି।
ଏହା ମଧ୍ୟରେ ଦଳ ପକ୍ଷରୁ ଆଉ ଏକ ବିଚିତ୍ର ବିଜ୍ଞପ୍ତି ଜାରି ହୋଇଛି। ଦଳର ସବୁ ଛାମୁଆ ସଂଗଠନକୁ ଭାଙ୍ଗି ଦିଆଗଲା ବୋଲି ଗତ ୨୫ ତାରିଖରେ ବିଜ୍ଞପ୍ତି ଜାରି ହୋଇଛି। ନିର୍ବାଚନ ପରାଜୟର ମାସକ ପରେ ବିଜେଡିର ସବୁ ରାଜ୍ୟ କମିଟିକୁ ଭାଙ୍ଗି ଦିଆଯାଇଥିଲା। କେବଳ ଜିଲ୍ଲା କମିଟି କାର୍ଯ୍ୟ କରିବ ବୋଲି କୁହାଯାଇଥିଲା। କିନ୍ତୁ ଛାମୁଆ ସଂଗଠନ ରହିବ ବୋଲି ସେଥିରେ କୁହାଯାଇ ନଥିଲା। ତେଣୁ ଛାମୁଆ ସଂଗଠନ ବି ଭାଙ୍ଗିଗଲା ବୋଲି ସମସ୍ତେ ଧରି ନେଇଥିଲେ। ପୁଣି ଡିସେମ୍ବର ମାସରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂଆ ସଭାପତି ଭାବେ ପ୍ରଫୁଲ୍ଲ ସାମଲଙ୍କୁ ନିଯୁକ୍ତି ଦିଆଯାଇଥିଲା। ଯଦି ସଂଗଠନ ଭାଙ୍ଗି ନଥିଲା, ତେବେ ଶ୍ରୀ ସାମଲଙ୍କୁ କିପରି ନିଯୁକ୍ତି ଦିଆଯାଇଥିଲା? ଆହୁରି ମଧ୍ୟ ଯଦି ଛାମୁଆ ସଂଗଠନ ଭାଙ୍ଗି ନଥିଲା, ତେବେ ଏବେ ଭାଙ୍ଗିବା କାହିଁକି ପୁଣି ଦରକାର ପଡ଼ିଲା? ଏମିତିରେ ଦଳର ସାଂଗଠନିକ ନିର୍ବାଚନ ପୂର୍ବରୁ ଛାମୁଆ ସଂଗଠନ ଭାଙ୍ଗିବାର ପରମ୍ପରା ନଥିଲା। ବିଜେଡିରେ ଆଜିକାଲି ଅନେକ ନିଷ୍ପତ୍ତି ପିଲାଳିଆମି ଢଙ୍ଗରେ ନିଆଯାଉଥିବାରୁ ବରିଷ୍ଠ ନେତାମାନେ ଚକିତ ହୋଇଛନ୍ତି।
Follow Us