ନବୀନ-ଜଗନ ଆଲୋଚନା: ଆଶା ଦେଖାଇଲେ

Advertisment

ଉଭୟ ରାଜ୍ୟର ମୁଖ୍ୟ ସଚିବ ସ୍ତରରେ ହେବ ଆଲୋଚନା, ପ୍ରତିଷ୍ଠା ହେବ ତେଲୁଗୁ, ଓଡ଼ିଆ ଭାଷା ଚେୟାର

ଉଭୟ ରାଜ୍ୟର ମୁଖ୍ୟ ସଚିବ ସ୍ତରରେ ହେବ ଆଲୋଚନା, ପ୍ରତିଷ୍ଠା ହେବ ତେଲୁଗୁ, ଓଡ଼ିଆ ଭାଷା ଚେୟାର

ନବୀନ-ଜଗନ ଆଲୋଚନା: ଆଶା ଦେଖାଇଲେ

ଭୁବନେଶ୍ବର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍‌ ଜଗନ ମୋହନ ରେଡ୍ଡିଙ୍କ ମଧ୍ୟରେ ଆଜି ବହୁ ପ୍ରତୀକ୍ଷିତ ଆଲୋଚନା ହୋଇଛି। ଆଲୋଚନାରେ କୌଣସି ଉତ୍ସାଜନକ ନିଷ୍କର୍ଷ ବାହାରିନି। କିନ୍ତୁ ଭବିଷ୍ୟତ ପାଇଁ ଏହି ବୈଠକ ସୁଯୋଗ ଓ ସମ୍ଭାବନା ସୃଷ୍ଟି କରିଛି। ଆଗାମୀ ଦିନରେ ଦୁଇ ରାଜ୍ୟ ମଧ୍ୟରେ ଥିବା ବିବାଦର ସମାଧାନ ହେବ ବୋଲି ଉଭୟ ମୁଖ୍ୟମନ୍ତ୍ରୀ ଆଶା ଦେଖାଇଛନ୍ତି।

ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏଥିରେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରାୟ ୪୫ ମିନିଟ୍‌ ଧରି ବୈଠକ ଚାଲିଥିଲା। ବୈଠକ ପରେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏକ ମିଳିତ ପ୍ରେସ୍ ବିବୃତି ଜାରି କରାଯାଇଛି। ବୈଠକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଫଳପ୍ରଦ ହୋଇଛି ବୋଲି ଏଥିରେ କୁହାଯାଇଛି। ବୈଠକରେ ଉଭୟ ରାଜ୍ୟର ସ୍ବାର୍ଥ ସମ୍ବଳିତ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇଥିଲା। ବିଶେଷ କରି ଜଳ ବିବାଦ, ସୀମା ବିବାଦ, ବିଜୁଳି ଉତ୍ପାଦନ ଓ ମାଓ ସମସ୍ୟା ଉପରେ ଫୋକସ୍‌ କରାଯାଇଥିଲା। କୋଟିଆ ଗ୍ରାମସମୂହ, ନେରେଡି ବ୍ୟାରେଜ୍, ଝଞ୍ଜାବତୀ ଜଳଭଣ୍ଡାର, ପୋଲାଭରମ୍‌, ବହୁଡ଼ା ନଦୀ ପାଇଁ ଜଳ ନିଷ୍କାସନ ଆଦି ପ୍ରସଙ୍ଗରେ ଥିବା ବିବାଦକୁ ସମାଧାନ ପାଇଁ ଉଭୟ ରାଜ୍ୟ ମିଳିତ ଭାବେ ପଦକ୍ଷେପ ନେବାକୁ ସ୍ଥିର ହୋଇଥିଲେ। ଏହା ବାଦ୍ ବାଲିମେଳା ଓ ଅପର୍‌ ସିଲେରୁ ବିଦ୍ୟୁତ ପ୍ରକଳ୍ପ ପାଇଁ ପାରସ୍ପରିକ ଏନ୍‌ଓସି ଦେବା ଉପରେ ଆଲୋଚନା ହୋଇଥିଲା। ସୀମାରେ ମାଓ ଉପଦ୍ରବ ନିୟନ୍ତ୍ରଣ ଓ
ଗଞ୍ଜେଇ ଚାଷ ଉପରେ ରୋକ୍‌ ଲଗାଇବା ଉପରେ ଦୁଇ ରାଜ୍ୟ ପରସ୍ପରକୁ ସହଯୋଗ କରି କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ବୈଠକରେ ହୋଇଥିବା ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଶ୍ରୀକାକୁଲମ୍‌ସ୍ଥିତ ବି ଆର୍‌ ଆମ୍ବେଦକର ବିଶ୍ବବିଦ୍ୟାଳୟରେ ଏକ ଓଡ଼ିଆ ଚେୟାର ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଏକ ତେଲୁଗୁ ଚେୟାର ସ୍ଥାପନ ପାଇଁ ଉଭୟ ରାଜ୍ୟ ପଦକ୍ଷେପ ନେବେ। ଏହା ବାଦ୍ ଉଭୟ ରାଜ୍ୟ ମଧ୍ୟରେ ଭାଇଚାରା ବୃଦ୍ଧି କରିବା ପାଇଁ ସୀମାନ୍ତ ଜିଲ୍ଲାରେ ଥିବା ସ୍କୁଲ୍‌ଗୁଡ଼ିକରେ ଭାଷା ଶିକ୍ଷକ ନିଯୁକ୍ତି, ପାଠ୍ୟପୁସ୍ତକ ଯୋଗାଣ ଓ ଭାଷା ପରୀକ୍ଷା ଆୟୋଜନ ପାଇଁ ଉଭୟ ରାଜ୍ୟ ପଦକ୍ଷେପ ନେବେ।
ପାରସ୍ପରିକ ସହଯୋଗ ଓ ସଂଘୀୟ ଢାଞ୍ଚାକୁ ସୁରକ୍ଷିତ ରଖିବା ଦିଗରେ ଦୁଇ ରାଜ୍ୟ ଆଗାମୀ ଦିନରେ କାମ କରିବେ। ଦୁଇ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟାଗୁଡ଼ିକୁ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ମିଳିତ ଭାବେ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ସବୁ ସମସ୍ୟାର ସମାଧାନର ବାଟ ବାହାର କରାଯିବ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡି ଅପରାହ୍ନ ୪ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ପରେ ସେଠାରୁ ରାଜ୍ୟ ଅତିଥି ଭବନ ଯାଇଥିଲେ। ସେଠାରେ କିଛି ସମୟ ବିଶ୍ରାମ ନେଇଥିଲେ। ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ସାକ୍ଷାତ କରିଥିଲେ। ଏହା ପରେ ଶ୍ରୀ ରେଡ୍ଡି ଲୋକସେବା ଭବନରେ ପହଞ୍ଚିଥିଲେ। ବୈଠକ ପରେ ସେ ସିଧାସଳଖ ବିମାନବନ୍ଦର ଯାଇ ଆନ୍ଧ୍ରପ୍ରଦେଶ ଫେରିଯାଇଥିଲେ। ଶ୍ରୀ ରେଡ୍ଡିଙ୍କ ପାଇଁ କମିସନରେଟ୍‌ ପୁଲିସ୍ ପକ୍ଷରୁ ଆବଶ୍ୟକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ପୂର୍ବରୁ ଆଜି ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ଆସିଥିବା ଏକ ଉଚ୍ଚସ୍ତରୀୟ ଟିମ୍‌ ଓଡ଼ିଶା ମୁଖ୍ୟ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe