ବିଦେଶ ଗସ୍ତରେ ଯାଇ ଇଟାଲିର ରୋମ୍ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ତାଙ୍କୁ ସାକ୍ଷାତ କରିଛନ୍ତି ଭାରତର ରାଷ୍ଟ୍ରଦୂତ ଡ. ନୀନା ମଲହୋତ୍ରା।
ଭୁବନେଶ୍ବର : ୧୦ଦିନିଆ ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଇଟାଲିରେ ପହଞ୍ଚିଛନ୍ତି। ରୋମ୍ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନୀନା ମାଲହୋତ୍ରା ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ।
ମୁଖ୍ୟମନ୍ତ୍ରୀ ରୋମ୍ରେ ୨୬ତାରିଖ ପର୍ଯ୍ୟନ୍ତ ରହିବାକୁ ଥିବାବେଳେ ସେଠାରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫ୍ପି) ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା ଦିଗରେ ପରିବର୍ତ୍ତନଶୀଳ ପଦକ୍ଷେପ ସମ୍ପର୍କରେ ନିଜର ଅନୁଭୂତି ଓ ସଫଳତାର ଚିତ୍ର ଉପସ୍ଥାପନ କରିବେ। ଏହାସହ ଡବ୍ଲୁଏଫ୍ପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ୍ ବେସଲି ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ଭେଟିବେ। ଡବ୍ଲ୍ୟୁଏଫ୍ପି ସହଭାଗିତାରେ ଓଡ଼ିଶାରେ ହେବାକୁ ଥିବା ନୂଆ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। ଏହାପରେ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ୍ ଫ୍ରାନସିସ୍କୋଙ୍କୁ ଭାଟିକାନ୍ ସହରରେ ଭେଟିବାର କାର୍ଯ୍ୟକ୍ରମ ଅଛି। ଏହି ଅବସରରେ ୟୁରୋପର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ରାଜ୍ୟର ସଂସ୍କୃତି ଓ କଳାର ବିକାଶ ନେଇ ଆଲୋଚନା କରିବେ । ରାଜ୍ୟରେ କଳାର ବିକାଶ ନେଇ ଆରମ୍ଭ ହୋଇଥିବା ରୂପାନ୍ତରଣ ପ୍ରକ୍ରିୟାରେ ପ୍ରବାସୀ ଓଡିଆମାନେ ସାମିଲ ହେବା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ।
Follow Us