ମହଙ୍ଗା ପଡ଼ିଲା ତୁଣ୍ଡ : ଦାମ ବରଖାସ୍ତ

Advertisment
ମହଙ୍ଗା ପଡ଼ିଲା ତୁଣ୍ଡ : ଦାମ ବରଖାସ୍ତ

ଭୁବନେଶ୍ୱର : ଗତକାଲି ଟେଲିଫୋନ୍‌ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଣେ ବରିଷ୍ଠ ମନ୍ତ୍ରୀ ଭାବେ ଜାତିବାଦ ମନ୍ତବ୍ୟରୁ ଦୂରେଇ ରହିବା ଲାଗି ପରାମର୍ଶ ଦେଇଥିଲେ ମନ୍ତ୍ରୀଙ୍କୁ। ଏହା ପରେ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଗତକାଲି ପୁଣି ଏକ ପ୍ରେସ ବିଜ୍ଞପ୍ତି ଜାରି କରି କ୍ରୋଧ ସମ୍ବରଣ କରିବା ଲାଗି ବ୍ରାହ୍ମଣ ସମାଜକୁ ନିବେଦନ କରିଥିଲେ। ତଥାପି ବ୍ରାହ୍ମଣ ସମାଜକୁ ଏହା ସନ୍ତୁଷ୍ଟ କରିପାରିନଥିଲା।

ଏହାର ୨୪ ଘଣ୍ଟା ପରେ ଅର୍ଥାତ୍‌ ଆଜି ସନ୍ଧ୍ୟା ୭ଟା ୪ମିନିଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଆସିଥିଲା ଯେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କିଛି କହିବାକୁ ଚାହୁଁଛନ୍ତି। ଆଉ ୭ଟା ୩୩ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ‘କୌଣସି ଜାତି, ଧର୍ମ, ବର୍ଣ୍ଣ ସଂପର୍କରେ ଅସମ୍ମାନ ସୂଚକ ମନ୍ତବ୍ୟ ଗ୍ରହଣୀୟ ନୁହେଁ। ମୁଁ ଏହାକୁ ନାପସନ୍ଦ କରେ ଓ ଦୃଢ ବିରୋଧ କରିଥାଏ। ଏଣୁ ମୁଁ ଡାକ୍ତର ଦାମୋଦର ରାଉତଙ୍କୁ ମନ୍ତ୍ରୀ ପରିଷଦରୁ ବରଖାସ୍ତ କରୁଛି। ଏ ନେଇ ରାଜ୍ୟପାଳଙ୍କୁ ଜଣାଇ ଦିଆଯିବ।’

ଏମିତି ଢଙ୍ଗରେ ମନ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଛନ୍ତି। ପୁଣି ଥରେ ଦାମଙ୍କ ତୁଣ୍ଡ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

ଅନ୍ୟପକ୍ଷରେ ଦାମଙ୍କ ହାତରେ ଥିବା କୃଷି ଏବଂ ମତ୍ସ୍ୟ ଓ ପଶୁସଂପଦ ବିଭାଗର ଅତିରିକ୍ତ ଦାୟିତ୍ୱ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଦିଆଯାଇଥିବା ସୂଚନା ମିଳିଛି। ସେହିଭଳି ସାଧାରଣ ଉଦ୍ୟୋଗ ବିଭାଗକୁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଅତିରିକ୍ତ ଭାବେ ନିର୍ବାହ କରିବେ।

ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିବା ସମୟରେ ଦାମ ନିଜ ନିର୍ବାଚନମଣ୍ଡଳୀରେ ଥିଲେ। ସେ ବୋରିଖି ହାଇସ୍କୁଲରେ ଏକ ଉତ୍ସବରେ ଥିବା ବେଳେ ତାଙ୍କୁ ବିଦା କରାଯିବା ନିଷ୍ପତ୍ତି ସଚିବାଳୟରେ ହୋଇଥିଲା।

ବିଧାନସଭାକୁ ସାତ ସାତ ଥର ଜିତିଥିବା ଏହି ଅଭିଜ୍ଞ ବିଧାୟକଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ରାଜନୈତିକ ମହଲରେ ଅନେକ ଆଶା ଓ ଆଶଙ୍କାକୁ ଜନ୍ମ ଦେଇଛି। ଡାକ୍ତର ରାଉତ ଏହାକୁ କିଭଳି ଗ୍ରହଣ କରିବେ ଓ ଆଗାମୀ ଦିନରେ ପୁଣି ଥରେ ଗର୍ଜିବେ ନା ନିରବ ରହିବେ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ମାଲକାନଗିରିର ସାଂସ୍କୃତିକ ଗଣପର୍ବ ମାଲ୍ୟବନ୍ତ ଉତ୍ସବରେ କୃଷିମନ୍ତ୍ରୀ ଡାକ୍ତର ରାଉତ ବ୍ରାହ୍ମଣଙ୍କ ସଂପର୍କରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଗତ ତିନି ଦିନ ଧରି ବ୍ରାହ୍ମଣ ସମାଜ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଆସୁଥିଲେ। ଦାମ ବାବୁ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ବ୍ରାହ୍ମଣ ସମାଜ। ଅଭିଶାପ ଦେଇଥିଲେ ଦାମଙ୍କୁ। ଏହି ପ୍ରସଙ୍ଗରେ କ୍ଷମାମାଗିବେ ନାହିଁ ରୋକ୍‌ଠୋକ୍‌ ଶୁଣାଇବା ସହିତ ଦାମ ସବୁ ଦୋଷ ଠେଲିଦେଇଥିଲେ ଗଣମାଧ୍ୟମ ଉପରକୁ।

ତେବେ ଏହି ଘଟଣା ବିଜେଡି ଆଭ୍ୟନ୍ତରୀଣ ରାଜନୀତିରେ କମ୍ପନ ସୃଷ୍ଟି କରିଥିଲା। ବ୍ରାହ୍ମଣ ସମାଜ ସରକାରଙ୍କ ଠାରୁ ଦୂରେଇଯିବେ ବୋଲି ଦଳୀୟ ନେତାମାନେ ସୁପ୍ରିମୋଙ୍କୁ ବୁଝାଇଥିଲେ। ଏହାକୁ ଗମ୍ଭୀର ଭାବେ ନେଇଥିଲେ ମୁଖ୍ୟମନ୍ତ୍ରୀ। ଏଥିସହିତ ୨୦ ତାରିଖରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ପ୍ରକାଶଥାଉକି, ନବୀନ ପଟ୍ଟନାୟକଙ୍କ ଦ୍ୱିତୀୟ ଇଂନିସରେ ଦାମ ବାବୁଙ୍କୁ ମନ୍ତ୍ରୀ ପଦରୁ ଥରେ ବିଦା କରାଯାଇଥିଲା। ବିଜୁ ବିଚାର ମଞ୍ଚ ସୃଷ୍ଟି କରି ସେ ବିଜେଡି ପାଇଁ ପୁଣି ଚିନ୍ତାର କାରଣ ହୋଇଥିଲେ। ପରେ ତାଙ୍କୁ ସାମିଲ କରାଯାଇଥିଲେ ହେଁ ତୃତୀୟ ଇଂନିସ ଅଧାରୁ କିଛି ମାସ ପାଇଁ ମନ୍ତ୍ରୀ ପଦ ହରାଇଥିଲେ।

ଇତିମଧ୍ୟରେ ଦାମଙ୍କ ବରଖାସ୍ତ ପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳକୁ ନେଇ ପୁଣି ଚର୍ଚା ଆରମ୍ଭ ହୋଇଛି। ମନ୍ତ୍ରିମଣ୍ଡଳରେ ଗୋଟିଏ ପଦ ଖାଲିଥିବା ବେଳେ ଏବେ ଦାମଙ୍କ ବିଦା ପରେ ଦୁଇଟି ପଦ ଖାଲି ପଡ଼ିଲା। ଏହାକୁ ପୂରଣ କରିବା ଲାଗି ମୁଖ୍ୟମନ୍ତ୍ରୀ କସରତ ଆରମ୍ଭ କରିଦେଇଥିବା ଜଣାପଡ଼ିଛି। ଏଥିରେ କେତେକ ମନ୍ତ୍ରୀଙ୍କ ବିଭାଗରେ ଅଦଳବଦଳ ହୋଇପାରେ ବୋଲି କୁହାଯାଉଛି।

‘ଇସ୍ତଫା ଦେଲିନି, ବହିଷ୍କୃତ ହେଲି’

ଜଗତସିଂହପୁର/ଭୁବନେଶ୍ୱର : ଇସ୍ତଫା ଦେବା ପାଇଁ ଦାମୋଦର ରାଉତଙ୍କୁ ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା। କିନ୍ତୁ ସେ ରୋକ୍‌ଠୋକ୍‌ ମନା କରିଦେଇଥିଲେ। ବିନା କାରଣରେ ଇସ୍ତଫା ଦେବେ ନାହିଁ ବୋଲି କହିଥିଲେ। ଯେଉଁଥି ପାଇଁ ତାଙ୍କୁ ଆଜି ବହିଷ୍କାର କରାଗଲା। ଏ କଥା ନିଜେ ଶ୍ରୀ ରାଉତ ଗଣମାଧ୍ୟମକୁ କହିଛନ୍ତି।

ମନ୍ତ୍ରିମଣ୍ଡଳରୁ ବହିଷ୍କାର ସମୟରେ ଶ୍ରୀ ରାଉତ ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁଜଙ୍ଗସ୍ଥିତ ବୋରିଖି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନିଜ ଅଭିଭାଷଣ ପୂର୍ବରୁ ତାଙ୍କ ପିଏସ୍‌ଓ ମୋବାଇଲ ଜରିଆରେ କାହା ସହ କଥା କରାଇଥିଲେ। ମନ୍ତ୍ରୀ ପଦରୁ ବିଦା କରାଯାଇଥିବା ସମ୍ପର୍କରେ ସମ୍ଭବତଃ ଶ୍ରୀ ରାଉତ ପୂର୍ବରୁ ଖବର ପାଇଯାଇଥିଲେ। ଏହାର କିଛି ସମୟ ପରେ ସେ ନିଜ ଅଭିଭାଷଣରେ ଆଦୌ ବ୍ରାହ୍ମଣ ଜାତିଙ୍କୁ ଆକ୍ଷେପ କରିନାହାନ୍ତି ବୋଲି ପୁଣି ଦୋହାରାଇଥିଲେ। କାଲି ମୋ ମନ୍ତ୍ରୀ ପଦ ମଧ୍ୟ ଚାଲିଯାଇପାରେ, କିନ୍ତୁ ମୁଁ କୌଣସି ଭୁଲ୍‌ କଥା କହିନାହିଁ ବୋଲି କହିଥିଲେ।

ଏହାର କିଛି ସମୟ ପରେ ହାଠତ୍‌ ଶ୍ରୀ ରାଉତଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଇଛି ବୋଲି ଖବର ପ୍ରଚାର ହୋଇଯାଇଥିଲା। ସଭା ଶେଷ ହେବା ପରେ ସେ ମନ୍ତ୍ରୀ ପଦରୁ ବହିଷ୍କାର ସମ୍ପର୍କରେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ, ମନ୍ତ୍ରୀ ପଦରୁ ବିଦା ହୋଇ ମୋର କୌଣସି ଦୁଃଖ କରିବାର ନାହିଁ। ମୁଖ୍ୟମନ୍ତ୍ରୀ ମୋତେ ମନ୍ତ୍ରୀ କରିଥିଲେ, ଏବେ ମୋତେ ବିଦା କଲେ। ସମ୍ଭବତଃ ମୋ ଉପରୁ ତାଙ୍କ ଆସ୍ଥା ତୁଟିଯାଇଛି। ତେବେ ଜାତିଆଣ ପ୍ରସଙ୍ଗରେ ମୋ ମନ୍ତବ୍ୟ ବିଷୟରେ ମୁଖ୍ୟମନ୍ତ୍ରୀ ମୋତେ କିଛି ପଚାରିନାହାନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ କୌଣସି ପ୍ରମାଣ ଯୋଗାଡ଼ କରିନାହାନ୍ତି। ମୁଁ କ’ଣ ରାଜ୍ୟବାସୀ ଜାଣନ୍ତି।

ଅନ୍ୟ ପକ୍ଷରେ ଶ୍ରୀ ରାଉତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ଜଗତ୍‌ସିଂହପୁର ଜିଲ୍ଲାର ରାଜନୀତି ସରଗରମ ହୋଇଉଠିଛି। ତାଙ୍କର ପାରମ୍ପରିକ ପ୍ରତିଦ୍ଵନ୍ଦ୍ୱୀ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ କହିଛନ୍ତିି, ଏ ସମ୍ପର୍କରେ ମୋର କିଛି କହିବାର ନାହିଁ। ଦଳର ମୁଖିଆ ଯେତେବେଳେ ଏ ନିଷ୍ପତ୍ତି ନେଇଛନ୍ତି, ଏହାକୁ ସମସ୍ତେ ମାନିନେବା ଉଚିତ। ଏଣୁ ଏ ନେଇ କୌଣସି ମନ୍ତବ୍ୟ ଦେବା ଉଚିତ ହେବ ନାହିଁ। ମାତ୍ର୍ର ଏହାର କିଛି ସମୟ ପୂର୍ବରୁ ଏକ ବୈଦ୍ୟୁତିକ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ବିଷ୍ଣୁ କହିଥିଲେ ଯେ, ମନ୍ତ୍ରୀ ଶ୍ରୀ ରାଉତଙ୍କୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ନିଜର ନୀର୍ଭିକତା,ସ୍ୱଚ୍ଛତା ଓ ଦୃୃଢ଼ତାକୁ ପ୍ର୍ରମାଣିତ କରିଛନ୍ତି।

ଶ୍ରୀ ରାଉତଙ୍କ ଅନ୍ୟତମ ବିରୋଧୀ ବାପି ସର୍ଖେଲ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ। ଶ୍ରୀ ରାଉତ ଜଣେ ଷଡ଼ଯନ୍ତ୍ରକାରୀ ନେତା। ସେ ନିଜ ଦଳ ବିରୋଧରେ ମଧ୍ୟ ଷଡ଼ଯନ୍ତ୍ର କରନ୍ତି। କେବଳ ମନ୍ତ୍ରୀ ପଦ ନୁହେଁ, ତାଙ୍କୁ ସମ୍ପୂର୍ଣ୍ଣ ଦଳରୁ ବିଦା କରିଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe