୧୪ରେ କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ

କୋଭିଡ୍‌ ପରେ ପ୍ରଥମ ଜିଲ୍ଲା ଗସ୍ତ, ନିଜେ ଭିଡିଓ ବାର୍ତ୍ତା‌ ଦେଲେ

ବ୍ରହ୍ମପୁର ମେୟର୍‌ ହେବାକୁ ବିଜେଡିରେ ଡଜନେ ଆଶାୟୀ, ମୁଖ୍ୟମନ୍ତ୍ରୀ ଦେବେ କି ମାଷ୍ଟର ଷ୍ଟ୍ରୋକ୍‌?

image source--news 18

ପୂର୍ବ ଦିନରୁ ପଞ୍ଚାୟତ ବୁଲିବେ ୬୫ ମନ୍ତ୍ରୀ, ବିଧାୟକ
ମେଗା ଲିଫ୍ଟ ସହ ପ୍ରକଳ୍ପର ଶୁଭାରମ୍ଭ ହେବ

ଭୁବନେଶ୍ବର : କୋଭିଡ୍‌ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଜିଲ୍ଲା ଗସ୍ତ କରିବେ। ଆସନ୍ତା ୧୪ ତାରିଖରେ କଳାହାଣ୍ଡିରେ ସରକାରୀ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ନିଜେ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଏହି ଗସ୍ତ ନେଇ ସୂଚନା ଦେଇଛନ୍ତି। କଳାହାଣ୍ଡିବାସୀଙ୍କୁ ଜୁହାର କରିବା ସହ ସମସ୍ତେ ମିଶି ବିକାଶମୂଳକ କାର୍ଯ୍ୟ କରିବାକୁ କହିଛନ୍ତି। ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

କଳାହାଣ୍ଡି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବହୁ ପ୍ରତୀକ୍ଷିତ ମେଗାଲିଫ୍ଟ ପ୍ରକଳ୍ପକୁ ଉଦ୍‌ଘାଟନ କରିବେ। ୭୫୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପର ଶିଳାନ୍ୟାସ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ହୋଇଥିଲା। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୩ଟି ବ୍ଲକ୍‌ର ୯୧ଟି ଗ୍ରାମର ୨୬,୨୪୮ ହେକ୍ଟର ଜମି ଜଳସେଚିତ ହୋଇପାରିବ। ଏହି ପ୍ରକଳ୍ପ ବାଦ୍ ଆଉ ୧୩୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ମଧ୍ୟ ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରିବାକୁ ଯୋଜନା ହୋଇଛି। କାର୍ଯ୍ୟକ୍ରମରେ ୬୫ ମନ୍ତ୍ରୀ, ବିଧାୟକ ବିଧାୟକଙ୍କୁ କଳାହାଣ୍ଡି ଯିବାକୁ ବିଜେଡି ତରଫରୁ କୁହାଯାଇଛି। ଏମାନେ ୧୩ ତାରିଖରେ କଳାହାଣ୍ଡିରେ ପହଞ୍ଚିବେ। ୩୮ଟି ପଞ୍ଚାୟତକୁ ବିଧାୟକମାନେ ଗସ୍ତ କରିବେ। ବହୁ ପଞ୍ଚାୟତକୁ ଦୁଇ ଜଣ ଲେଖା ବିଧାୟକ ଏବଂ କିଛି ପଞ୍ଚାୟତକୁ ଜଣେ ଲେଖାଏ ବିଧାୟକ ଯିବେ। କେଉଁ ବିଧାୟକ କେଉଁ ପଞ୍ଚାୟତକୁ ଯିବେ, ତାହାର ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି। କୃଷି ଓ ଜଳସେଚନ ପାଇଁ ନବୀନ ସରକାର କି କି କାମ କରିଛନ୍ତି, ତାହା ଲୋକଙ୍କୁ ବୁଝାଇବେ। ମେଗା ଲିଫ୍ଟ ପ୍ରକଳ୍ପ ଦ୍ବାରା କିପରି ସରକାର ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି, ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ।

୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସଭା ସ୍ଥଳରେ ପ୍ରାୟ ଦୁଇ ହଜାର ଲୋକ ଉପସ୍ଥିତ ରହିବେ। ସାମାଜିକ ଦୂରତା ରକ୍ଷା କରି ସେମାନଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯିବ। ସେହି ସମୟରେ ପଞ୍ଚାୟତ ଦାୟିତ୍ବରେ ଥିବା ବିଧାୟକମାନେ ସଂପୃକ୍ତ ପଞ୍ଚାୟତରେ ଏଲ୍‌ଇଡି ଲଗାଇ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଇବେ। ‌ସେଠାରେ ୫୦୦ ଲେଖାଏ ଲୋକ ବସି ପରଦାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବେ।

ମାର୍ଚ୍ଚ ମାସରେ କୋଭିଡ୍‌ ଲକ୍‌ଡାଉନ୍ ଆରମ୍ଭ ହେଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାରେ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ। ନବୀନ ନିବାସରୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ, ଶିଳାନ୍ୟାସ ଓ ସମୀକ୍ଷା ବୈଠକ ଜାରି ରହିଥିଲା। ଅକ୍ଟୋବର ମାସରେ ପୁରୀ ଯାଇ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବୁଲିବା ସହ ସେଠାରେ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହା ପରେ ଭୁବନେଶ୍ବରରେ ଏକାମ୍ର ପ୍ରକଳ୍ପ ଓ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ କାର୍ଯ୍ୟ ବୁଲି ଦେଖିବା ସହ ସେଠାରେ ସମୀକ୍ଷା କରିଥିଲେ। ଏହା ବାଦ୍ କୌଣସି ମଞ୍ଚରେ ସଭାସମିତିରେ ଯୋଗ ଦେଇ ନ ଥିଲେ। କଳାହାଣ୍ଡିରେ ସରକାରୀ ସଭା ହେବ କୋଭିଡ୍‌ ପରେ ତାଙ୍କର ପ୍ରଥମ ସଭା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe