ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ତାତି ବଢ଼ିବାରେ ଲାଗିଛି। ସୋମବାର ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ଶ୍ରୀ ପଟ୍ଟନାୟକ ତରବୋଡ଼ ସମ୍ଭବ ନିକଟସ୍ଥ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ। ଜୟ ମା’ ମାଣିକେଶ୍ୱରୀ ସମ୍ବୋଧନ ସହ ନବୀନ ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ନୂଆପଡ଼ା ଆସିଲେ ବିଜୁବାବୁଙ୍କ କଥା ମନେପଡ଼େ। ବିଜୁବାବୁ ହିଁ ନୂଆପଡ଼ା ଜିଲ୍ଲା ଗଢ଼ିଥିଲେ। ବିଜେଡି ସରକାରରେ ନୂଆପଡ଼ାର ବିକାଶ ହୋଇଥିଲା। ଆମ ସରକାର ସମୟରେ ବିଜୁ ଏକ୍ସପ୍ରେସ୍ ୱେ ହୋଇଥିଲା। ୧୦ ହଜାରରୁ ଅଧିକ ହେକ୍ଟର ଜମି ଜଳସେଚିତ ହୋଇଥିଲା। ଲୋକଙ୍କ ଲାଗି ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହୋଇଥିଲା। ପିଲାଙ୍କ ପାଠପଢ଼ା ଲାଗି ଭଲ ସ୍କୁଲ ନିର୍ମାଣ ସହ ଆଦିବାସୀ ଭାଇ ଓ ଭଉଣୀଙ୍କୁ ଜଙ୍ଗଲ ଜମି ଅଧିକାର ମିଳିଥିଲା। ମିସନ୍ ଶକ୍ତି ମହିଳାଙ୍କୁ ଋଣ ପ୍ରଦାନ କରାଯାଇଥିଲା। 
ବିଜେପି ସରକାର ମିଛ ପ୍ରଚାରରେ ହିରୋ, କାମରେ ଜିରୋ
ବିଜେପିକୁ ସମାଲୋଚନା କରି ସେ କହିଲେ, ସେମାନେ ଆଗରୁ ଭୋଟ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି। ବିଜେପି ସରକାର ମିଛ ପ୍ରଚାରରେ ହିରୋ, କାମରେ ଜିରୋ। ଏ ସରକାର ‘ଗେମ୍ ଚେଞ୍ଜର’ ନୁହେଁ ‘ନେମ୍ ଚେଞ୍ଜର’ ସରକାର, ରଙ୍ଗମରା ସରକାର। ବିଜେପି ସରକାର ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀଙ୍କୁ ୩ ଶହ ୟୁନିଟ୍ ବିଜୁଳି ମାଗଣାରେ ଦିଆଯିବ ବୋଲି କହିଥିଲା। ବର୍ତ୍ତମାନ ଓଡ଼ିଶାବାସୀ ଏହାର ଜବାବ ମାଗୁଛନ୍ତି। ସେହିପରି ସବୁ ବରିଷ୍ଠ ନାଗରିକଙ୍କୁ ୩,୫୦୦ ଟଙ୍କାର ପେନ୍ସନ୍, କଟ୍ନିଛଟ୍ନି ବନ୍ଦ ହେବ ପ୍ରତିଶ୍ରୁତି ପାଳନ କରି ନାହାନ୍ତି। ବିଏସ୍କେୱାଇ କାର୍ଡକୁ ବନ୍ଦକରି ଆୟୁଷ୍ମାନ ଆରମ୍ଭ କରିଛନ୍ତି। ଫଳରେ ଓଡ଼ିଶାର ବହୁ ରୋଗୀ ଚିକିତ୍ସା ସୁବିଧା ପାଇପାରୁ ନାହାନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ମହିଳାମାନେ ସୁରକ୍ଷିତ ନାହାନ୍ତି।
ଏହି ସରକାର ଆସିଲା ପରେ ଚାଷୀଙ୍କୁ ସାର ମିଳିପାରୁ ନାହିଁ ବୋଲି ଅଭିଯୋଗ କରିବା ସହ ଶ୍ରୀ ପଟ୍ଟନାୟକ ବିଜେପିକୁ ଅନେକ ପ୍ରଶ୍ନ ପଚାରିଥିଲେ। ନୂଆପଡ଼ା ନିର୍ବାଚନମଣ୍ଡଳୀବାସୀ ଏହି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଥିଲେ। ସଭାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ପୁଷ୍ପେନ୍ଦ୍ର ସିଂହଦେଓ, ମନୋଜ ମିଶ୍ର, ସାଂସଦ ନିରଞ୍ଜନ ବିଶି, ଟୁକୁନି ସାହୁ, ଅବନୀ ଯୋଶୀ, ବିଧାୟକ ଅଧିରାଜ ପାଣିଗ୍ରାହୀ, ନୂଆପଡ଼ା ଏନ୍ଏସି ଅଧ୍ୟକ୍ଷ ମହମ୍ମଦ ଆଦମ, କୋମନା ବ୍ଲକ୍ ବିଜେଡି ସଭାପତି କ୍ଷମା ନିଆଲ, ଜିଲ୍ଲା ପରିଷଦ ସଭାପତି ଡଲି ମାଝୀ, କାର୍ତ୍ତିକ ଦୀପ, ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀଙ୍କ ସହ ବିଜେଡିର ବହୁନେତା ବକ୍ତବ୍ୟ ଦେଇ ଶଙ୍ଖଚି଼ହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ। ଜିଲ୍ଲା ପରିଷଦ ଉପସଭାପତି ଦୀପିକା ଦୀପ ଧନ୍ୟବାଦ ଦେଇଥିଲେ।
  
 Follow Us