Advertisment

ନବୀନଙ୍କ ମତିଗତି ବୁଝାପଡ଼ୁନି: କେଉଁ ଶୀର୍ଷ ନେତୃତ୍ବଙ୍କୁ ଇଙ୍ଗିତ କଲେ ବଦ୍ରି

Advertisment

କ୍ଷମତାରୁ ଗଲା ପରେ ବିଜେଡିରେ ଆଭ୍ୟନ୍ତରୀଣ କନ୍ଦଳ ଜଳଜଳ ହୋଇ ଦେଖାଯାଉଛି। ବରିଷ୍ଠ ନେତାମାନଙ୍କ ବୟାନବାଜି ସ୍ପଷ୍ଟ କରୁଛି ଯେ ଦଳରେ କିଛି ଠିକ୍‌ଠାକ୍ ଚାଲିନି। କିନ୍ତୁ ସବୁଠାରୁ ରହସ୍ୟଜନକ ହେଉଛି ନବୀନଙ୍କ ମତିଗତି।

କ୍ଷମତାରୁ ଗଲା ପରେ ବିଜେଡିରେ ଆଭ୍ୟନ୍ତରୀଣ କନ୍ଦଳ ଜଳଜଳ ହୋଇ ଦେଖାଯାଉଛି। ବରିଷ୍ଠ ନେତାମାନଙ୍କ ବୟାନବାଜି ସ୍ପଷ୍ଟ କରୁଛି ଯେ ଦଳରେ କିଛି ଠିକ୍‌ଠାକ୍ ଚାଲିନି। କିନ୍ତୁ ସବୁଠାରୁ ରହସ୍ୟଜନକ ହେଉଛି ନବୀନଙ୍କ ମତିଗତି।

Naveen Pattnaik

Naveen Pattnaik Photograph: (Sambad )

ଭୁବନେଶ୍ବର: କ୍ଷମତାରୁ ଗଲା ପରେ ବିଜେଡିରେ ଆଭ୍ୟନ୍ତରୀଣ କନ୍ଦଳ ଜଳଜଳ ହୋଇ ଦେଖାଯାଉଛି। ବରିଷ୍ଠ ନେତାମାନଙ୍କ ବୟାନବାଜି ସ୍ପଷ୍ଟ କରୁଛି ଯେ ଦଳରେ କିଛି ଠିକ୍‌ଠାକ୍ ଚାଲିନି। କିନ୍ତୁ ସବୁଠାରୁ ରହସ୍ୟଜନକ ହେଉଛି ନବୀନଙ୍କ ମତିଗତି। ବିଜେଡିର କୌଣସି ନେତା ସେହି ରହସ୍ୟକୁ ଭେଦ କରି ପାରୁନାହାନ୍ତି। ବିଜେଡିର ପରିଚାଳନାକୁ ନେଇ ବରିଷ୍ଠ ନେତାମାନେ ବାରମ୍ବାର ଅସନ୍ତୋଷ ଓଗାଳୁଥିଲେ ବି ନବୀନ ନିର୍ବିକାର। ନା ବରିଷ୍ଠମାନଙ୍କୁ ଡାକି ଆଲୋଚନା କରୁଛନ୍ତି ନା ତୃଣମୂଳ ସ୍ତରରେ ଦଳକୁ ଦୃଢ଼ କରିବା ପାଇଁ ବ୍ଲୁ ପ୍ରିଣ୍ଟ୍‌ କରୁଛନ୍ତି। ଏହାକୁ ନେଇ ବିଜେଡି ଭିତରେ ଅସନ୍ତୋଷ ଆହୁରି ବଢ଼ିବାରେ ଲାଗିଛି। 

ଗତକାଲି ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର ସିଧାସଳଖ କହିଥିଲେ, ‘ଶୀର୍ଷ ନେତୃତ୍ବ ଆସ୍ଥା ସୃଷ୍ଟି କରିପାରୁ ନାହାନ୍ତି। ତେଣୁ ତୃଣମୂଳ ସ୍ତରରେ କର୍ମୀ ଦଳ ଛାଡ଼ି ଦେଉଛନ୍ତି।’ ସେହି ଶୀର୍ଷ ନେତୃତ୍ବ କିଏ, ତାହାକୁ ନେଇ ଦଳ ଭିତରେ ଚାପା ଗୁଞ୍ଜରଣ ଚାଲିଛି। କାରଣ ବିଜେଡିରେ ଜଣେ ହିଁ ଶୀର୍ଷ ନେତୃତ୍ବ। ସେ ହେଲେ ନବୀନ ପଟ୍ଟନାୟକ। ଦଳରେ ତାଙ୍କରି ନିଷ୍ପତ୍ତି ହିଁ ଚୂଡ଼ାନ୍ତ। ଗତ କିଛି ବର୍ଷ ହେଲା ବିଜେଡିରେ ଅନ୍ୟ ସବୁ ନେତାଙ୍କୁ ଗୌଣ କରିଦିଆଯାଇଛି। ତେଣୁ ନବୀନ ଆଉ ଆସ୍ଥା ସୃଷ୍ଟି କରିପାରୁ ନାହାନ୍ତି ବୋଲି ବଦ୍ରି ସିଧାସଳଖ ଜଣାଇ ଦେଇଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା କେହି ଜଣେ ହେଲେ ବି ବିଜେଡି ନେତା ବଦ୍ରିଙ୍କ ମନ୍ତବ୍ୟକୁ ବିରୋଧ କରିନାହାନ୍ତି। ତେଣୁ ନବୀନଙ୍କର ରହସ୍ୟଜନକ ମତିଗତି ହିଁ ତାଙ୍କ ପ୍ରତି ଦଳର ନେତାମାନଙ୍କର ଆନୁଗତ୍ୟକୁ ହ୍ରାସ କରାଇବା ଆରମ୍ଭ କଲାଣି ବୋଲି ରାଜନୈତିକ ମହଲରେ ବିବେଚନା କରାଯାଉଛି। ଆଉ ନବୀନ କେବେ ବି ବରିଷ୍ଠ ନେତାମାନଙ୍କୁ ନବୀନ ନିବାସ ଡାକି ଆଲୋଚନା କରିବାକୁ ଉଚିତ ମଣୁ ନାହାନ୍ତି। ବରଂ ସେମାନଙ୍କୁ ହେୟଜ୍ଞାନ କରୁଥିବା ବରିଷ୍ଠମାନେ ଅନୁଭବ କଲେଣି।

ବରିଷ୍ଠ ନେତା ଅଶୋକ ଚନ୍ଦ୍ର ପଣ୍ଡା ବି ଆଜି ମୁହଁ ଖୋଲିଛନ୍ତି। ଯଦିଓ ସିଧାସଳଖ ସେ କାହା ବିରୋଧରେ ଆକ୍ଷେପ କରିନାହାନ୍ତି, କିନ୍ତୁ ତାଙ୍କ ମନ୍ତବ୍ୟ ଆଲୋଚନାକୁ ଖୋରାକ ଯୋଗାଇଛି। ଗଣମାଧ୍ୟମକୁ ସେ କହିଛନ୍ତି, ନବୀନ ଓଡ଼ିଶାର ସମ୍ପତ୍ତି। କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହନ୍ତି। କିଏ କେତେ ସୀମା ଭିତରେ ରହିବେ, ତାହା ନବୀନ ବାବୁ ଶିଖାଇଛନ୍ତି। ସବୁ କ୍ଷେତ୍ରରେ ଶୃଙ୍ଖଳା ଓ ଅନୁଶାସନ ଆବଶ୍ୟକ। ଦଳ ସମସ୍ତଙ୍କୁ ନେଇ ଚାଲିବ। ନିର୍ଦ୍ଦିଷ୍ଟ ବର୍ଗଙ୍କୁ ନେଇ ଚାଲିବ ନାହିଁ।   

ଯଦିଓ ନବୀନଙ୍କୁ ଶ୍ରୀ ପଣ୍ଡା ପ୍ରଶଂସା କରିଛନ୍ତି, ତେବେ ନବୀନ ଓଡ଼ିଶାର ସମ୍ପତ୍ତି ବୋଲି କହିବା କାହିଁକି ଆବଶ୍ୟକ ପଡ଼ିଲା, ତାହାକୁ ନେଇ ତର୍ଜମା ଆରମ୍ଭ ହୋଇଛି। କିଏ ନବୀନଙ୍କୁ ବ୍ୟକ୍ତିଗତ ସମ୍ପତ୍ତି ଭାବୁଛି ଯେ ତାଙ୍କୁ ଓଡ଼ିଶାର ସମ୍ପତ୍ତି ବୋଲି କହିବା ପାଇଁ ବରିଷ୍ଠ ନେତାଙ୍କୁ ମୁହଁ ଖୋଲିବାକୁ ପଡ଼ୁଛି, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ କିଛି ମାସ ଭିତରେ ନବୀନଙ୍କ ରହସ୍ୟଜନକ ଆଭିମୁଖ୍ୟ ହିଁ ଦଳ ଭିତରେ ଅସନ୍ତୋଷ ବଢ଼ାଇବାର ଇନ୍ଧନ ଯୋଗାଉଛି। ୱାକଫ୍‌ ବିଲ୍‌ ପ୍ରସଙ୍ଗରେ ଶେଷ ମୁହୂର୍ତ୍ତରେ ଦଳ ଆଭିମୁଖ୍ୟ ବଦଳାଇଲା। ‌ଏଥିରେ ଅସନ୍ତୁଷ୍ଟ ଥିବା ସାଂସଦଙ୍କ ସମେତ କିଛି ବରିଷ୍ଠ ନେତା ଏ ନେଇ ଖପ୍ପା ହେଲେ। କିଏ ନିଷ୍ପତ୍ତି ବଦଳାଇଲା ବୋଲି ପ୍ରଶ୍ନ କରି ସମସ୍ତେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଅଭିଯୋଗ ଜଣାଇଲେ। ଏ ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି ନିଜେ ନବୀନ କହିଲେ। କିନ୍ତୁ ଚାରି ମାସ ହେଲା କି ଅନୁଧ୍ୟାନ କରୁଛନ୍ତି, ତାହା ବୁଝାପଡ଼ୁନି। ଏହାର ଉତ୍ତର କାହା ପାଖରେ ମିଳୁନି। ଯଦି ନିଷ୍ପତ୍ତି ବଦଳାଇବାକୁ ନିଜେ ନବୀନ ନିର୍ଦ୍ଦେଶ ଦେଇଥିଲେ, ତେବେ ସେତିକି କଥା କହି ଦେବାରେ ଅସୁବିଧା କ’ଣ ଥିଲା?

ସଂସଦର ଗତ ମୌସୁମୀ ଅଧିବେଶନ ସମୟରେ ବିଜେଡିର ସଂସଦୀୟ ଦଳ ବୈଠକ ବସିଲାନି। ପ୍ରତି ଥର ଅଧିବେଶନ ପୂର୍ବରୁ ସାଂସଦମାନଙ୍କ ବୈଠକ ନବୀନ ନିବାସରେ ବସେ। ଦଳର ଆଭିମୁଖ୍ୟ କ’ଣ ହେବ, ସେ ସମ୍ପର୍କରେ ନିଜେ ନବୀନ ଆଲୋଚନା କରନ୍ତି। କିନ୍ତୁ ଏଥର ସେହି ବୈଠକ ବସିଲାନି। ମୁମ୍ବାଇରୁ ଅପରେସନ୍‌ ‌ପରେ ଫେରିଥିବାରୁ ସେ ବିଶ୍ରାମ ନେଉଥିବା କୁହାଗଲା। କିନ୍ତୁ ରାଜ୍ୟସଭା ନେତା ସସ୍ମିତ ପାତ୍ର ବି ବିଧିବଦ୍ଧ ବୈଠକ କଲେ ନାହିଁ। ୱାକଫ୍‌ ପ୍ରସଙ୍ଗରେ ସସ୍ମିତ ବିବାଦୀୟ ହୋଇପଡ଼ିଥିବାରୁ ତାଙ୍କର କର୍ତ୍ତୃତ୍ବ ଆଦୌ ସଂସଦୀୟ ଦଳ ଉପରେ ନାହିଁ। ବିଜେଡିର ମାତ୍ର ସାତ ସାଂସଦ ଥିଲେ ବି ସେମାନଙ୍କ ମଧ୍ୟରେ ସମନ୍ବୟ ନ ରହିବା ବିଜେଡିର ଦୁର୍ବଳତାକୁ ପଦାରେ ପକାଇ ଦେଉଛି। 

ଭି କେ ପାଣ୍ଡିଆନଙ୍କୁ ନେଇ ଦଳ ଭିତରେ ଅସନ୍ତୋଷ ଥିଲେ ବି ନବୀନ ତାହାକୁ ଭ୍ରୂକ୍ଷେପ କରୁନାହାନ୍ତି। ଏକାଧିକ ଥର ନିଜେ ଗଣମାଧ୍ୟମକୁ ଆସି ତାଙ୍କୁ ସାର୍ଟିଫିକେଟ୍‌ ଦେଇଛନ୍ତି। ଆଉ ନିକଟରେ ହସ୍ପିଟାଲରୁ ବାହାରିଲା ପରେ ପାଣ୍ଡିଆନଙ୍କ ହାତ ଧରି ଭିଡିଓ ସୁଟିଂ ପାଇଁ ପୋଜ୍ ଦେଉଥିବା ଦେଖିବାକୁ ମିଳିଥିଲା। ନବୀନଙ୍କ ଅନୁମତିରେ ହିଁ ଏହି ଭିଡିଓ ସୁଟିଂ କରାଯାଇଥିଲା। ତେଣୁ ପାଣ୍ଡିଆନ ଯେ ତାଙ୍କ ପାଇଁ ଅପରିହାର୍ଯ୍ୟ, ଏହି ସ୍ପଷ୍ଟ ବାର୍ତ୍ତା ସେ ଦେଇଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe