ସାର ଯୋଗାଣରେ ଅବ୍ୟବସ୍ଥା ନେଇ ନଡ୍ଡାଙ୍କୁ ନବୀନଙ୍କ ଚିଠି

ସାରା ରାଜ୍ୟରେ ଏବେ ସାର ଯୋଗାଣକୁ ନେଇ ଅବ୍ୟବସ୍ଥା। ମାର୍କଫେଡ୍ ଚାଷୀଙ୍କୁ ସାର ଯୋଗାଇବା ବଦଳରେ ଡିଲର୍‌ଙ୍କୁ ରିହାତି ଦରରେ ସାର ବିକୁଛି। ଚାଷୀ ଯେଉଁ ସମୟରେ ବିଲରେ କାମ କରିବା କଥା, ସାର ନଥିବାରୁ ରାସ୍ତାରେ ଆନ୍ଦୋଳନ କରୁଛି।

fertilizer

Photograph: (Fertilizer machine)

ଭୁବନେଶ୍ବର: ସାରା ରାଜ୍ୟରେ ଏବେ ସାର ଯୋଗାଣକୁ ନେଇ ଅବ୍ୟବସ୍ଥା। ମାର୍କଫେଡ୍ ଚାଷୀଙ୍କୁ ସାର ଯୋଗାଇବା ବଦଳରେ ଡିଲର୍‌ଙ୍କୁ ରିହାତି ଦରରେ ସାର ବିକୁଛି। ଚାଷୀ ଯେଉଁ ସମୟରେ ବିଲରେ କାମ କରିବା କଥା, ସାର ନଥିବାରୁ ରାସ୍ତାରେ ଆନ୍ଦୋଳନ କରୁଛି। ସାର ଯୋଗାଣ ବ୍ୟବସ୍ଥାରେ କୁପରିଚାଳନା ସହିତ ସାର ଅଭାବ ଓ ଦୁର୍ନୀତି ଯୋଗୁ ଚାଷୀ ଆଜି ଏ ଅବସ୍ଥାର ସମ୍ମୁଖୀନ ହେଉଛି। ଏହା ଚିନ୍ତାର ବିଷୟ। ତେଣୁ ଓଡ଼ିଶାର ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଆବଶ୍ୟକୀୟ ସାର ଯୋଗାଣ କରିବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ଚିଠି ଲେଖି ଦାବି କରିଛନ୍ତି। 

ନବୀନ ତାଙ୍କ ଚିଠିରେ ଉଦ୍‌ବେଗ ପ୍ରକାଶ କରି ଲେଖିଛନ୍ତି ଯେ ଓଡ଼ିଶାରେ ୭.୯୪ଲକ୍ଷ ଟନ୍‌ ସାର ମହଜୁଦ ଥିବା ରାଜ୍ୟ ସରକାର ଦାବି କରୁଥିବାବେଳେ ଚାଷୀ କିନ୍ତୁ ସାର ପାଉନି। ୟୁରିଆ  ସରକାରୀ ଦର ଠାରୁ ଅଧିକ ଦାମ୍‌ରେ  ବିକ୍ରି ହେଉଛି। ସାରା ରାଜ୍ୟରେ ଏବେ ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା, କଳାବଜାର, ଅପମିଶ୍ରଣ ହେଉଛି। ବଜାରରେ ୟୁରିଆ ମିଳୁନଥିବାରୁ ଚାଷୀକୂଳ ହନ୍ତସନ୍ତ ହେଉଛନ୍ତି। ବିଶେଷକରି ଆଦିବାସୀ ବହୁଳ ଜିଲ୍ଲାରେ ସାର ସମସ୍ୟା ଉତ୍କଟ ହୋଇଛି। ଏଭଳି ସ୍ଥିତିରେ କଳାବଜାରୀକୁ ତୁରନ୍ତ ରୋକାଯାଉ, ସମବାୟ ସମିତି ମାଧ୍ୟମରେ ଯେଉଁ ସରକାରୀ ଅଧିକାରୀ, ଡିଲରମାନେ କଳାବଜାରୀ କରୁଛନ୍ତି ସେମାନଙ୍କୁ ଧରି ଦଣ୍ଡ ଦିଆଯାଉ। କୃଷି ଓଡ଼ିଶା ଅର୍ଥନୀତିର ମୁଖ୍ୟ ଆଧାର ଓ ଆମର ୭୦ ଭାଗରୁ ଅଧିକ ଲୋକ କୃଷି ଉପରେ ନିର୍ଭର କରନ୍ତି। ୨୦୦୦ମସିହାରେ ଚାଉଳ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା ଆଜି ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଣରେ ଏକ ପ୍ରମୁଖ ରାଜ୍ୟ ପାଲଟିଛି। କୃଷି କ୍ଷେତ୍ରରେ ବୈଷୟିକ ବିଦ୍ୟାର ପ୍ରୟୋଗ ଓ ସାର ବିହନ ଆଦିର ଉତ୍ତମ ବଣ୍ଟନ ଓଡ଼ିଶାକୁ ଏ ସଫଳତା ଆଣି ଦେଇଥିଲା। କିନ୍ତୁ ସ୍ଥିତି ଏବେ ସଙ୍ଗିନ୍। 

‘ତୁରନ୍ତ ଓଡ଼ିଶାକୁ ଆବଶ୍ୟକ ସାର ଯୋଗାଣ ହେଉ’
ନବୀନ ବାବୁ କେବଳ ଚିଠି ଲେଖିବା ଜାଣିଛନ୍ତି: ଯୋଗାଣ ମନ୍ତ୍ରୀ
ସାର ନଦେଲେ ରାଜ୍ୟବ୍ୟାପୀ କୃଷକ ଆନ୍ଦୋଳନ: ଅରୁଣ

ଏହାସହ ନବୀନ ସତର୍କ କରାଇ ଦେଇଛନ୍ତି ଯେ ଖରିଫ ଋତୁ ଆରମ୍ଭରୁ ସାର ଅଭାବ ତଥା ଯୋଗାଣରେ ଚାଲିଥିବା ଅବ୍ୟବସ୍ଥା ଓ ଦୁର୍ନୀତିକୁ ରୋକିବାକୁ ଏବେଠୁ ପଦକ୍ଷେପ ନିଆନଗଲେ ଚାଷୀ ଭାଇଭଉଣୀଙ୍କ ଜୀବିକାକୁ ଏହା ପ୍ରଭାବିତ କରିବ। ନବୀନ କେନ୍ଦ୍ର ମନ୍ତ୍ରୀ ନଡ୍ଡାଙ୍କୁ ଚିଠି ଲେଖିବା ପରେ ଏହାର ଜବାବ ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ ରାଜ୍ୟରେ ସାରର ଅଭାବ ନାହିଁ। କେଉଁଠି କିଛି ଅସୁବିଧା ପାଇଁ ସାର ପହଞ୍ଚିପାରି ନଥିବ। ନବୀନ ବାବୁ କେବଳ ଚିଠି ଲେଖିବା ଜାଣିଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି। ସେହିପରି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ସାର ଅଭାବ ସମସ୍ୟାର ସମାଧାନ ପାଇଁ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ରାଜ୍ୟ ସରକାର ନିଜକୁ ଲୋକଙ୍କ ସରକାର ବୋଲି ଦାବି କରୁଛନ୍ତି, କିନ୍ତୁ କୃଷକମାନେ କ’ଣ ରାଜ୍ୟର ଲୋକ ନୁହନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ ସାର ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି, ଯାହାକୁ ନେଇ କୃଷକମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାରଜନିତ ଯନ୍ତ୍ରଣାରୁ ମୁକ୍ତି ପାଇଁ, ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଅନ୍ତୁ। ନଚେତ ରାଜ୍ୟବ୍ୟାପୀ କୃଷକ ଆନ୍ଦୋଳନକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe