ସହିଦ ସପ୍ତାହର ପ୍ରଥମ ଦିନ; ସରକାରୀ ବସ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ସହିଦ ସପ୍ତାହର ପ୍ରଥମ ଦିନ; ସରକାରୀ ବସ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ମାଲକାନଗିରି: ବିଭିନ୍ନ ପୋଷ୍ଟର ଏବଂ ବ୍ୟାନର ତଥା ଅଡିଓ ଟେପ ମାଧ୍ୟମରେ ପ୍ରଚାର ପ୍ରସାର କରିବା ପରେ ଆଜି ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳରେ ଗ୍ରାମବାସୀଙ୍କୁ ନେଇ ନକ୍ସଲ ସହିଦ ଦିବସ ପାଳନ କରିଛନ୍ତି । ଜିଲ୍ଲାର ସ୍ବାଭିମାନ ଅଂଚଳର ଆନ୍ଧ୍ରକୁ ଲାଗି ରହିଥିବା ଯନ୍ତ୍ରୀ ପଞ୍ଚାୟତର କୋଣ୍ଡାହାନଜରିରେ ସହିଦସ୍ତମ୍ଭ ନିର୍ମାଣ କରିବା ସହ ଗ୍ରାମବାସୀଙ୍କୁ ଏକତ୍ରୀତ କରିଥିବା ଖବର ମିଳିଛି। ସେହିପରି ରାଲଗେଡ଼ା ପଞ୍ଚାୟତରେ, ଧୂଳିପୁଟ ପଞ୍ଚାୟତ, ଅଣ୍ଡ୍ରାପାଲୀ ପଞ୍ଚାୟତରେ ମଧ୍ୟ ନକ୍ସଲ ସହିଦସ୍ତମ୍ଭ ନିର୍ମାଣ କରିବାରେ ସଫଳ ହୋଇଛନ୍ତି।

ବଣ୍ଡାଘାଟିର ମୁଦିଲିପଡ଼ା ପଞ୍ଚାୟତର ଖାଲଗୁଡ଼ାରେ ମଧ୍ୟ ନକ୍ସଲ ସହିଦସ୍ତମ୍ଭ ନିର୍ମାଣ କରିଛନ୍ତି। ସେହିପରି ମାଥିଲି ବ୍ଲକରେ ଦରଭା ଡିଭିଜନ ତରଫରୁ ଦର୍ଗମ ଦଣ୍ଡିପଦର, ତୁଳସୀ ପାହାଡରେ ମଧ୍ୟ ନକ୍ସଲ ଲୋକଙ୍କୁ ଏକତ୍ରୀତ କରୁଥିବା ଜଣାପଡିଛି। ସହିଦ ସପ୍ତାହରେ ଅଧିକରୁ ଅଧିକ ଲୋକ ଏକତ୍ରିତ କରି ନିଜର ଲକ୍ଷ୍ୟ ଓ ଉଦେଶ୍ୟ ସଂପର୍କରେ ଲୋକଙ୍କୁ ସୂଚନା ଦେବା ସହ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବାଧ୍ୟ କରିଥାନ୍ତି।ଶତ୍ରୁଙ୍କୁ ପରାସ୍ତ କରିବା ପାଇଁ ନିଜର ଜୀବନ ଦେଇଥିବା ନକ୍ସଲ ନେତାମାନଙ୍କୁ ଏହି ଦିବସରେ ମନେ ପକାଯାଇଥାଏ। ନାଚଗୀତ ମାଧ୍ୟମରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଥାଏ।

ତେବେ ପୁଲିସ ମଧ୍ୟ ନକ୍ସଲଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ରଖିଛି। ସ୍ବାଭିମାନ ଅଂଚଳ ଏବଂ ମାଥିଲି ଅଂଚଳରେ ବିଶେଷକରି ନକ୍ସଲଙ୍କ ପତିଆରା ରହିଥିବାରୁ ଏହି ଅଂଚଳରେ ଯେପରି ନକ୍ସଲ କୌଣସି ଅଘଟଣ ନଘଟାନ୍ତି ସେଥିପାଇଁ ଗୁଇନ୍ଦାକୁ ସଜାଗ ରହିବାକୁ କୁହାଯାଇଛି।ସୀମାକୁ ସିଲ କରାଯିବା ସହ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଆଜି ପ୍ରଥମ ଦିନରେ ନକ୍ସଲ ସେଭଳି କିଛି ଅଘଟଣ ନଘଟାଇଥିଲେ ମଧ୍ୟ କ୍ୟାଡର ନକ୍ସଲମାନେ ନିଜ ନିଜ ଅଂଚଳରେ ଲୋକଙ୍କ ରୁଣ୍ଡ କରି ଏହି ଦବସ ପାଳନ କରୁଛନ୍ତି। ସହିଦ ସପ୍ତାହକୁ ଆଖିଆଗରେ ରଖି ସରକାରୀ ବସ ଚଳାଚଳ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ବିଏସଏଫ ମଧ୍ୟ ଲଗାତାର ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe