ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ପୁଣି ଗୁଳି ବିନିମୟ: ଛତ୍ରଭଙ୍ଗ ଦେଲେ ନକ୍ସଲ, ବ୍ୟାପକ ମାଓ ସାମଗ୍ରୀ ଜବତ

Advertisment
ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ପୁଣି ଗୁଳି ବିନିମୟ: ଛତ୍ରଭଙ୍ଗ ଦେଲେ ନକ୍ସଲ, ବ୍ୟାପକ ମାଓ ସାମଗ୍ରୀ ଜବତ

ନୂଆପଡ଼ା: ଓଡ଼ିଶା- ଛତିଶଗଡ଼ ସୀମାନ୍ତ ପାଟଦରା ସଂରକ୍ଷଣ ଜଙ୍ଗଲରେ ପୁଣି ଯବାନ ଓ ମାଓବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପରେ ଯବାନମାନେ ଏକ ବଡ଼ ଧରଣର ମାଓ କ୍ୟାମ୍ପ ଠାବ କରିଥିବା ବେଳେ କ୍ୟାମ୍ପରୁ ବହୁ ସାମଗ୍ରୀ ଜବତ କରାଯାଇଛି। ତେବେ ସୁନାବେଡ଼ା ଅଭୟାରଣ୍ୟରୁ ପୁଣି କ୍ୟାଡର ମାଓବାଦୀମାନେ ଖସି ଯାଇଥିବା ନୂଆପଡ଼ା ଏସ୍‌ପି ପ୍ରତ୍ୟୁଷ ଦିବାକର ଏସ୍‌ପି ଅଫିସ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନାମତେ, ଚଳିତ ମାସ ୨୧ ତାରିଖ ପାଟଦରା ସଂରକ୍ଷିତ ଜଙ୍ଗଲରେ କ୍ୟାଡର୍ ମାଓବାଦୀଙ୍କ ଗତିବିଧି ରହିଥିବା ଗୁଇନ୍ଦା ସୂଚନା ପାଇଥିଲେ। ଏହା ପରେ ନୂଆପଡ଼ା ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କ ନିର୍ଦେଶକ୍ରମେ ପାଟଦରା ସଂରକ୍ଷିତ ଜଙ୍ଗଲରେ ଏସ୍‌ଓଜି, ଡିଭିଏଫ୍‌ ଓ ସିଆରପିଏଫ ଯବାନଙ୍କ ମିଳିତ ଟିମ୍‌ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ହେଲେ ୨୩ ତାରିଖ ଦିନ ପୂର୍ବାହ୍ନରେ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓବାଦୀ ଓ ଯବାନ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରଥମ ଥର ୨୦ ରାଉଣ୍ଡ ଓ  ଦ୍ବିତୀୟ ଥର ୫୦ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା। ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଓଡ଼ିଶା- ଛତିଶଗଡ଼ ସୀମାନ୍ତ‌ ପାଟଦରା ସଂରକ୍ଷଣ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କରାଯାଇଥିଲା। ସେଠାରୁ ଗୋଟିଏ ଆଇଡି ବୋମା, ୩ଟି ଡେଟୋନେଟର, ଔଷଧ, ୧୪ ଯୋଡ଼ା ମାଓବାଦୀ ପୋଷାକ, ୩ଟି ଟୋପି ସହ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି।

ଏହି ମାଓ କ୍ୟାମ୍ପରେ କ୍ୟାଡ଼ର ମାଓବାଦୀ ମୁଲୀ, ଦେବଜୀ, ଜୟରାମ, ଗୁଡୁ, ଅଞ୍ଜୁ, ସଙ୍ଗୀତା, ଜନୀଲା, କର୍ତ୍ତି ପ୍ରମୁଖ ରହୁଥିବା ପୁଲିସ୍‌ ସୂଚନା ଦେଇଛି। ସୁନାବେଡ଼ା ଅଭୟ‌ାରଣ୍ୟରେ ବର୍ତ୍ତମାନ କ୍ୟାଡ଼ର ମାଓବାଦୀ ଆସ୍ଥାନ ଜମାଇ ରହିଥିବାରୁ ରାଜ୍ୟ ସରକାର ଓ ଜିଲ୍ଲା ପୁଲିସ୍‌ ପାଇଁ ଏକ ମୁଣ୍ଡବ୍ୟଥ ହୋଇଛି। ଅନ୍ୟପକ୍ଷରେ କିଛି ଦିନର ବ୍ୟବଧାନରେ ସେମାନେ ନିଜ ଉପସ୍ଥିତି ଜାହିର କରୁଥିବା ବେଳେ ଜିଲ୍ଲାରେ ଏକ ବର୍ଷ ମଧ୍ୟରେ ୮ଥର ମାଓବାଦୀ ଓ ପୁଲିସ୍‌ ମଧ୍ୟରେ ଗୁଳି ବିନିମୟ  ହୋଇଥିବା ଜଣାପଡ଼ିଛି। ଏହାକୁ ଦେଖିଲେ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀଙ୍କ ଉପସ୍ଥିତି ବଢ଼ିବାରେ ଲାଗିଥିବା ଆଲୋଚନା ହେଉଛି। ଉକ୍ତ ସମ୍ମିଳନୀରେ ସିଆର୍‌ପିଏଫ୍‌ ୨୧୬ କମାଣ୍ଡାଣ୍ଟ ଏଣିକ୍ ଗଲିବର୍ଟ ଯୋଶ, ଡେପୁଟି କମାଣ୍ଡାଣ୍ଟ ଧୀରଜ ସିଂ ଓ ରତିନ୍ଦ୍ର ଚଲାନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe