ନକ୍ସଲଙ୍କ ମିଛ ଧରାପଡିଲା: ମୃତ୍ୟୁ ବେଳେ କହିଲେ ସାଧାରଣ ଲୋକ, ଏବେ କହୁଛନ୍ତି ସହିଦ

Advertisment
ନକ୍ସଲଙ୍କ ମିଛ ଧରାପଡିଲା: ମୃତ୍ୟୁ ବେଳେ କହିଲେ ସାଧାରଣ ଲୋକ, ଏବେ କହୁଛନ୍ତି ସହିଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଗତ ୨୦୨୧ରେ ତାଡମେଟଲାରେ ଓ ୨୦୨୨ରେ ତମାପୁରମ ଠାରେ ଏନକାଉଣ୍ଟର ହୋଇଥିଲା। କିନ୍ତୁ ତାହାକୁ ମିଥ୍ୟା ବୋଲି ନକ୍ସଲ ପୋଷ୍ଟର ମାରି ଲୋକଙ୍କୁ ନିଜ ଆଡକୁ ଆଣିବାକୁ ଚେଷ୍ଟା କରିଥିଲେ।ପୁଲିସ ଫେକ ଏନକାଉଣ୍ଟର କରି ଲୋକଙ୍କୁ ହତ୍ୟା କରୁଥିବା ମିଥ୍ୟା ପ୍ରଚାର କଲେ। ତେବେ ନକ୍ସଲଙ୍କର ଏହି ମିଥ୍ୟା ପ୍ରଚାର ଏବେ ଧରାପଡିଛି। ଆସନ୍ତା ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ନକ୍ସଲ ସହିଦ ଦିବସ ପାଳନ କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ନକ୍ସଲ ବିଭିନ୍ନ ସ୍ଥାନରେ ପୋଷ୍ଟର ଏବଂ ବ୍ୟାନର ମାରି ଏହି ଦିବସକୁ ଜୋରଦାର ପାଳନ କରିବାକୁ ଆହ୍ବାନ କରିଛି।

ତେବେ ସୁକମା ସମେତ ମାଲକାନଗିରି ଜିଲ୍ଲାର ସୀମାନ୍ତ ଗ୍ରାମଗୁଡିକରେ ନକ୍ସଲ ଯେଉଁ ପୋଷ୍ଟର ଏବଂ ବ୍ୟାନର ମାରିଛନ୍ତି ସେଥିରେ ମୃତ ନକ୍ସଲମାନଙ୍କ ନାମ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ ଯେ ଗତ ବର୍ଷେ ମଧ୍ୟରେ ପୁଲିସ ଗୁଳିରେ ମରିଥିବା ନକ୍ସଲମାନଙ୍କୁ ସହିଦ ଦିବସରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥାଏ।ତେବେ ଗତ ବର୍ଷ ନଭେମ୍ବରରେ ସୁକମା ଜିଲ୍ଲାର ତାଡମେଟଲା ଏବଂ ଚଳିତ ବର୍ଷ ଜାନୁୟାରୀରେ ତାମାପୁରମ ଠାରେ ହୋଇଥିବା ପୁଲିସ ଏନକାଉଣ୍ଟରରେ ଯେଉଁମାନେ ମରିଛନ୍ତି ସେମାନେ ନକ୍ସଲ ନୁହଁନ୍ତି, ସାଧାରଣ ଲୋକ ବୋଲି ସେତେବେଳେ ନକ୍ସଲ ପୋଷ୍ଟର ମାଧ୍ୟମରେ ପ୍ରଚାର କରିଥିଲେ। କିନ୍ତୁ ଏବେ ସେହି ପୋଷ୍ଟରରେ ଏମାନେ ନକ୍ସଲ ବୋଲି କହି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ କୁହାଯାଇଛି। ପ୍ରକାଶ ଥାଉକି ଗତ ୨୬.୧୧.୨୦୨୧ରେ ତାଡମେଟଲାରେ ଏକ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲ କମାଣ୍ଡର ମାଣ୍ଡବି ଅରଫ ବସ୍ତା ଭୀମା ଏବଂ ୩୦.୧.୨୦୨୨ରେ ତାମାପୁରମ ଠାରେ ହୋଇଥିବା ଏନକାଉଣ୍ଟରରେ ନକ୍ସଲ ସଂଗଠନରେ ମାଓ କମାଣ୍ଡର ମାଡକମ ଜଗାର ମୃତ୍ୟୁ ହୋଇଥିଲା ବୋଲି ଏବେ ପୋଷ୍ଟରଗୁଡିକରେ ଉଲ୍ଲେଖ କରାଯାଇଛି।

ତେବେ ନକ୍ସଲଙ୍କର ମିଥ୍ୟା ଧରାପଡିଥିବା ନେଇ ସୁକମା ଏସପି ସୁନିଳ ଶର୍ମା ପ୍ରକାଶ କରିଛନ୍ତି।ପୁଲିସକୁ ବଦନାମ କରିବାକୁ ନକ୍ସଲ ଏଭଳି ମିଥ୍ୟା ପ୍ରଚାର କରିବା ଏବଂ ଏବେ ସେହି ମିଥ୍ୟାକୁ ସତ କହିବା ପଛରେ ସେମାନଙ୍କର ଉଦ୍ଦେଶ୍ୟ ଜଣାପଡିଛି ବୋଲି ଏସପି କହିଛନ୍ତି। ନକ୍ସଲ କେବେ ମଧ୍ୟ ବିକାଶ ଚାହାନ୍ତି ନାହିଁ। ଲୋକଙ୍କୁ ଭୁଆଁ ବୁଲାଇ ସରକାର ଏବଂ ପୁଲିସ ବିରୋଧରେ ମିଥ୍ୟା ପ୍ରଚାର କରି କେବଳ ଶୋଷଣ କରିବାର ଜାଣିଛନ୍ତି। ନିରୀହ ଲୋକଙ୍କୁ ହତ୍ୟା କରିବା ସେମାନଙ୍କର କାମ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe