ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଗତ ଶନିବାର ଦିନ ନକ୍ସଲମାନଙ୍କ ଦ୍ବାରା ଅପହୃତ ହୋଇଥିବା ସିଆରପିଏଫ୍ର କୋବ୍ରା ବଟାଲିଅନର ଯବାନ ରାକେଶ୍ବର ସିଂ ମାନହାସ ଆଜି ମୁକୁଳିଛନ୍ତି। ମାଓବାଦୀମାନେ ଦୀର୍ଘ ୫ ଦିନ ଯାଏଁ ତାଙ୍କୁ ବନ୍ଦୀକରି ରଖିବା ପରେ ଯବାନ ରାକେଶ୍ବରଙ୍କୁ ଛାଡ଼ି ଦେଇଛନ୍ତି । ରାକେଶ୍ବରଙ୍କୁ ଜଙ୍ଗଲ ନିକଟସ୍ଥ ଗ୍ରାମରେ ଆୟୋଜିତ ଏକ ପ୍ରଜାକୋର୍ଟରେ ହାଜର କରାଯାଇଥିଲା ଓ ଏହାପରେ ଶହ ଶହ ଗ୍ରାମବାସୀଙ୍କ ଉପସ୍ଥିତିରେ ତାଙ୍କୁ ଛଡ଼ାଯାଇଥିବା ସୂଚନା ରହିଛି । ସରକାରଙ୍କ ପକ୍ଷରୁ ମାଓବାଦୀଙ୍କୁ ଭେଟିବାକୁ ଯାଇଥିବା ମଧ୍ୟସ୍ଥିଙ୍କ ସହ ଆଲୋଚନା ପରେ ରାକେଶ୍ବର ମୁକ୍ତ ହୋଇଛନ୍ତି। ପଦ୍ମଶ୍ରୀ ଧରମପାଲ୍ ସାଇନି ଓ ଗଣ୍ଡୱାନା ସମାଜର ମୁଖ୍ୟ ତେଲମ୍ ବୁରାଇୟା ଏବଂ ସ୍ଥାନୀୟ ସାମ୍ବାଦିକ ମାଓବାଦୀଙ୍କ ସହ ଆଲୋଚନା କରିବା ପରେ ବିନା କୌଣସି ସର୍ତ୍ତରେ ମାଓବାଦୀ ରାକେଶ୍ବରଙ୍କୁ ମୁକ୍ତ କରିଛନ୍ତି।
ବିଜାପୁର-ସୁକମା ଜିଲ୍ଲା ସୀମାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଘମାଘୋଟ ଲଢେଇରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ବହୁ ନକ୍ସଲ ମଧ୍ୟ ମୃତ୍ୟୁବରଣ କରିଥିଲେ। ଏହି ଘଟଣା ପରେ ନକ୍ସଲମାନେ ରାକେଶ୍ବରଙ୍କୁ ଅପହରଣ କରି ନେଇଥିଲେ। ନକ୍ସଲମାନେ ଚଳିତ ମାସ ୩ ତାରିଖ ଠାରୁୁ ରାକେଶ୍ବରଙ୍କୁ ନିଜ କବ୍ଜାରେ ରଖିଥିଲେ। ସୂଚନା ଅନୁସାରେ, ମାଓବାଦୀଙ୍କ ସହ ଗୁଳିବିନିମୟ ବେଳେ ରାକେଶ୍ବରଙ୍କ ଗୋଡ଼ରେ ଗୁଳି ବାଜିଥିଲା। ଏହାପରେ ସେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ତାଙ୍କ ଶରୀରରୁ ଜଳୀୟଅଂଶ ହ୍ରାସ ପାଇଥିଲା। ଏପରି ଅବସ୍ଥାରେ ସେ ମାଓବାଦୀଙ୍କ ହାବୁଡ଼ରେ ପଡ଼ିଥିଲେ। ମାତ୍ର ତାଙ୍କ ହାତରେ ଅସ୍ତ୍ରଶସ୍ତ୍ର ନ ଥିବାରୁ ମାଓବାଦୀମାନେ ବନ୍ଦୀ କରି ନେଇଥିଲେ।
ମାଓବାଦୀଙ୍କ କବଳରୁ ମୁକୁଳିବା ପରେ ରାକେଶ୍ବର ସିଂଙ୍କ ପତ୍ନୀ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଆମ ପାଇଁ ଏହା କଠିନ ସମୟ ଥିଲା। ଆମେ ଏବେ ଖୁସି ଅନୁଭବ କରୁଛୁ। ରାକେଶ୍ବରଙ୍କ ମା’କହିଛନ୍ତି ଆମେ ଭଗବାନଙ୍କ ନିକଟରେ କୃତଜ୍ଞ। ମାଓବାଦୀଙ୍କ କବଳରୁ ପୁଅ ମୁକୁଳିଛି, ଏହା ଆମ ପାଇଁ ବଡ଼ ଖୁସୀର କଥା।
/sambad/media/post_attachments/wp-content/uploads/2021/04/7-5-copy.jpg)
ତେବେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗତ ଶନିବାର ହୋଇଥିବା ଏହି ଗୁଳିବିନିମୟ ପରେ ପୂର୍ବରୁ ରାକେଶ୍ବର ସିଂ ମନହାସଙ୍କୁ ନକ୍ସଲ ଅପହରଣ କରି ନେଇଥିବା ସ୍ପଷ୍ଟୀକରଣ ଦେଇଥିଲେ। ନକ୍ସଲ ସଂଗଠନ ସ୍ଥାନୀୟ ସାମ୍ବାଦିକଙ୍କୁ ଫୋନ ଯୋଗେ ଏହା ଜଣାଇଥିଲେ। ରାକେଶ୍ବରଙ୍କୁ ମୁକ୍ତି ଦେବା ପାଇଁ ବିଭିନ୍ନ ମହଲରେ ନିବେଦନ କରାଯାଇଥିଲା । ଛତିଶଗଡର ଜେଲ ବନ୍ଦୀ ମୁକ୍ତ ସମିତି ପକ୍ଷରୁ ନକ୍ସଲଙ୍କୁ ସାକ୍ଷାତ କରି ସିଆରପିଏଫ ଯବାନ ରାକେଶ୍ବର ସିଂଙ୍କୁ ଛାଡି ଦେବା ପାଇଁ ଅନୁରୋଧ କରାଯିବ ବୋଲି ସମିତି ପକ୍ଷରୁ କୁହାଯାଇଥିଲା।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଗତକାଲି ଏହି ସମିତି ନକ୍ସଲଙ୍କ ପାଖକୁ ଯାଇଥିଲା। ସମିତିର ସଦସ୍ୟ ସୋନି ସୋରି ଗତକାଲି ନକ୍ସଲଙ୍କୁ ଭେଟି ରାକେଶ୍ବର ସିଂ ମନହାସକୁ ଛାଡି ଦେବା ପାଇଁ ଆଲୋଚନା କରିଥିଲେ। କିନ୍ତୁ ଦୀର୍ଘ ସମୟ ଆଲୋଚନା ପରେ ମଧ୍ୟ ନକ୍ସଲ ଯବାନଙ୍କୁ ଛାଡିବାକୁ ଅମଙ୍ଗ ହୋଇଥିଲେ। ସରକାର ମଧ୍ୟସ୍ଥି ଠିକ ନ କରିବା ପର୍ଯ୍ୟନ୍ତ ଯବାନଙ୍କୁ ଛଡାଯିବ ନାହିଁ ବୋଲି କହିଥିଲେ। ଶେଷରେ ସୋନି ସୋରି ଖାଲି ହାତରେ ଫେରି ଆସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2021/04/mao-release-08_thumb-1.jpg)