ନକ୍ସଲ ଆକ୍ରମଣ ଯୋଜନା ପଣ୍ଡ: ମାଟି ତଳୁ ମିଳିଲା ୮ଟି ଲ୍ୟାଣ୍ଡମାଇନ୍‌, ବିପୁଳ ପରିମାଣର ମାଓ ସାମଗ୍ରୀ

ନକ୍ସଲ ଆକ୍ରମଣ ଯୋଜନା ପଣ୍ଡ: ମାଟି ତଳୁ ମିଳିଲା ୮ଟି ଲ୍ୟାଣ୍ଡମାଇନ୍‌, ବିପୁଳ ପରିମାଣର ମାଓ ସାମଗ୍ରୀ

ମାଲକାନଗିରି: ପୁଲିସକୁ ପୁଣି ମିଳିଛି ଏକ ବଡ ସଫଳତା। ମାଟିତଳୁ ଲ୍ୟାଣ୍ଡମାଇନ ସହ ବହୁ ପରିମାଣରେ ମାଓ ସାମଗ୍ରୀ ମାଲକାନଗିରି ପୁଲିସ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ପୁଲିସ ଏବଂ ବିଏସ୍ଏ‌ଫ୍‌ ତରଫରୁ ସ୍ବାଭିମାନ ଅଂଚଳର ଯଡାମ୍ବ ଥାନା ଅନ୍ତର୍ଗତ ଆନ୍ଧ୍ର ଓଡିଶା ସୀମାରେ ଜଂଗଲ ଭିତରେ ଏକ ବଡ ଗାତ କରି ନକ୍ସଲ ଲ୍ୟାଣ୍ଡମାଇନ, ବିସ୍ଫୋରକ, ଔଷଧ, ପୁସ୍ତକ, ବ୍ୟାଟେରି, ଯୋତା, ପୋଷାକ, କିକ୍‌ ବ୍ୟାଗ୍‌, ଇନସାସ ମାଗାଜିନ ଇତ୍ୟାଦି ଉଦ୍ଧାର କରିଛି।

ସ୍ବାଭିମାନ ଅଂଚଳର ଟାବେର ଏବଂ ଆରଲିଙ୍ଗପଡା ଗ୍ରାମ ନିକଟରେ ରହିଥିବା ଜଂଗଲରେ ମାଟି ତଳୁ ଏସବୁ ବିସ୍ଫୋରକକୁ ପୁଲିସ ଉଦ୍ଧାର କରିଛି। ଏହି ଗ୍ରାମଗୁଡିକ ଯନ୍ତ୍ରୀ ପଞ୍ଚାୟତରେ ରହିଛି। ନକ୍ସଲ ମାନେ ଏହି ଅଂଚଳକୁ ନିଜର ଅଡ୍ଡା ବନାଇଥିଲେ। ଏବେ ବିଏସଏଫ ଧିରେ ଧିରେ ଏହି ଅଂଚଳରେ ପଶୁଥିବା ବେଳେ ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହେଉଛନ୍ତି।

ତେବେ ନକ୍ସଲ ସ୍ବାଭିମାନ ଅଂଚଳର ବିଭିନ୍ନ ସ୍ଥାନରେ ଏଭଳି ଗାତ ଖୋଳି ଲ୍ୟାଣ୍ଡମାଇନ ଏବଂ ବିସ୍ଫୋରକଗୁଡିକ ଲୁଚାଇ ରଖିଥିବା ଜଣାପଡିଛି, ଯାହାକୁ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇ ସେସବୁକୁ ଉଦ୍ଧାର କରାଉଛନ୍ତି। ୮ଟି ଲ୍ୟାଣ୍ଡମାଇନ ମଧ୍ୟରୁ ୬ଟି ଟିଫିନ ବୋମା ଏବଂ ୨ଟି ପ୍ରେସର ବୋମା ରହିଛି। ତେବେ ଗତକାଲି ବିଏସଏଫ ଡିଜି ଏବଂ ଏଡିଜିଙ୍କ ଗସ୍ତ ପରେ ବିଏସଏଫକୁ ମିଳିଛି ବଡ ସଫଳତା। ସ୍ବାଭିମାନ ଅଂଚଳରେ ଅବସ୍ଥାପିତ ବିଏସ୍ଏ‌ଫ୍‌ ଯବାନଙ୍କ ମନୋବଳକୁ ଆହୁରି ମଜବୁତ କରି ବିଏସ୍ଏ‌ଫ୍‌ ଡିଜି ଫେରିଛନ୍ତି। ଏସବୁ ସୁରକ୍ଷାକର୍ମୀ ଏବଂ ନିରୀହ ଲୋକଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଏଠାରେ ଲୁଚାଇ ରଖିଥିବା ଏସ୍‌ଡିପିଓ ଅଭିଳାଶ ଜି ପ୍ରକାଶ କରିଛନ୍ତି। ଆନ୍ଧ୍ର-ଓଡିଶା ବୋର୍ଡର ଜୋନାଲ କମିଟିର ନକ୍ସଲମାନେ ଏହି ଅଂଚଳରେ ନିଜର ଦବଦବା କାଏମ ରଖିଥିବା ଯୋଗୁଁ ଏହି ସଂଗଠନ ହିଁ ଏଠାରେ ଏସବୁ ପୋତିଥିବା ଜଣାପଡିଛି। ତେବେ ନକ୍ସଲଙ୍କର ଏକ ବଡ ଯୋଜନାକୁ ପୁଲିସ ପଣ୍ଡ କରିବାରେ ସଫଳ ହୋଇଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe