ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ଆରମ୍ଭ, ହାଇଆଲର୍ଟରେ କନ୍ଧମାଳ, ପାଟ୍ରୋଲିଂ କଡ଼ାକଡ଼ି

Advertisment
ଠିକଣା ବଦଳାଉଛି ମାଓ ସଙ୍ଗଠନ: ବୈପାରିଗୁଡା-ପଟାଙ୍ଗି-ନନ୍ଦପୁର-ଲମତାପୁଟ ପାଲଟିଛି ନୂଆ କରିଡର

ଫୁଲବାଣୀ : ଆଜିଠୁ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ଆରମ୍ଭ ହୋଇଛି। ସମ୍ଭାବ୍ୟ ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାର ସମସ୍ତ ଥାନା ଓ ପୁଲିସ ପୋଷ୍ଟ୍‌କୁ ହାଇଆଲର୍ଟରେ ରଖାଯାଇଛି। ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଏସ୍‌ଓଜି, ଡିଭିଏଫ୍‌ ପକ୍ଷରୁ ପାଟ୍ରୋଲିଂ, ଯାଞ୍ଚ୍‌ କଡ଼ାକଡ଼ି କରାଯାଇଛି ବୋଲି କନ୍ଧମାଳ ଏସ୍‌.ପି ଭିନୀତ୍‌ ଅଗ୍ରୱାଲ୍‌ ସୂଚନା ଦେଇଛନ୍ତି। ସେହିଭଳି ମାଓପ୍ରବଣ ବାଲିଗୁଡ଼ା, କୋଟଗଡ଼, ତୁମୁଡ଼ିବନ୍ଧ, ଫିରିଙ୍ଗିଆ ବ୍ଲକ୍‌ ଅଞ୍ଚଳରେ କମ୍ବିଂ ଅପରେସନକୁ ମଧ୍ୟ ଜୋରଦାର କରାଯାଇଛି ବୋଲି ଏସ୍‌.ପି କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ମାସ ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଛି। ପିଏଲ୍‌ଜିଏ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ଓଏସ୍‌ଆର୍‌ଟିସି ବସ୍‌ ପରିବହନ ସେବାକୁ ବନ୍ଦ କରି ଦିଆଯାଇଛି। କିନ୍ତୁ ପିଏଲ୍‌ଜିଏ ସପ୍ତାହ ପାଳନ ଅବସରରେ ଅନ୍ୟ କୌଣସି ସେବା ବାଧାପ୍ରାପ୍ତ ହୋଇ ନଥିବା ସୂଚନା ମିଳିଛି। କନ୍ଧମାଳ ଜିଲ୍ଲାରେ ଘରୋଇ ବସ୍‌ ଚଳାଚଳ ସ୍ବାଭାବିକ ରହିଛି। ଅପରପକ୍ଷେ, ମାଓପ୍ରବଣ ଗୋଛାପଡ଼ା, ବାଲନ୍ଦାପଡ଼ା, ପାହିରାଜୁ, ଲୁଇସିଂ, ତୁମୁଡ଼ିବନ୍ଧ ବ୍ଲକର ବେଲଘର, ଝିରିପାଣି, ଭଣ୍ଡରଙ୍ଗି, ଶିର୍ଲା ଏବଂ ବାଲିଗୁଡ଼ା ବ୍ଲକର ବାରଖମା, ମିଡିଆପାଙ୍ଗା, ଗୁମୁଡୁମାହା ଆଦି ସ୍ଥାନରେ ଦୋକାନବଜାର ଖୋଲା ରହିଥିବା ସାଙ୍ଗକୁ ଜୀବନଯାତ୍ରା ସ୍ବାଭାବିକ ରହିଛି।

ପିଏଲଜିଏ ସପ୍ତାହ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଏବଂ ସୀମାକୁ ସିଲ୍‌ କରି କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଏହା ସହିତ ଗମନାଗମନ କିଭଳି ସ୍ବାଭାବିକ ରହିବ, ସେଥିପ୍ରତି ପୁଲିସ ପକ୍ଷରୁ ଧ୍ୟାନ ରଖାଯାଇଛି। ଏହିସବୁ ସମ୍ବେଦନଶୀଳ ଅଞ୍ଚଳରେ ବିଏସ୍‌ଏଫ୍‌, ଏସ୍‌ଓଜି, ଡିଭିଏଫ୍‌ ଯବାନମାନେ ଜୋରଦାର କମ୍ବିଂ ଅପରେସନ ଜାରି ରଖିଛନ୍ତି। ସୀମାରେ ଅଚିହ୍ନା ଲୋକଙ୍କର ଯାନବାହନକୁ ଯାଞ୍ଚ କରାଯାଉଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୁଲିସ ବିଭାଗର ଗୁଇନ୍ଦା ସଂସ୍ଥାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହନ ପାଳନ ସମୟରେ ଯେକୌଣସି ହିଂସାକାଣ୍ଡର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ଏଣୁ ପୁଲିସ ପକ୍ଷରୁ ବ୍ୟାପକ ମାତ୍ରାରେ ପ୍ରସ୍ତୁତି କରାଯାଇଛି। ପ୍ରତିଦିନ ପରିସ୍ଥିତି ପ୍ରତି ନଜର ରଖିବା ପାଇଁ କନ୍ଧମାଳ ଏସ୍‌ପି ନିୟମିତ ସମୀକ୍ଷା ବୈଠକ କରୁଛନ୍ତି।

କନ୍ଧମାଳ ଜିଲ୍ଲାରେ କେକେବିଏନ୍‌ ମାଓ ସଂଗଠନ ସକ୍ରିୟ ରହିଛି। ବିଭିନ୍ନ ସମୟରେ ମାଓବାଦୀମାନେ ବୌଦ୍ଧ-କନ୍ଧମାଳ ସୀମାନ୍ତ ଗୋଛାପଡ଼ା-କଣ୍ଟାମାଳ ଜଙ୍ଗଲ ଏବଂ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ବ୍ଲକର ବିଭିନ୍ନ ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରି ଆସୁଛନ୍ତି। ତେବେ ଗତ କିଛି ମାସ ମଧ୍ୟରେ ପୁଲିସ ଓ ମାଓବାଦୀମାନେ ଅଧିକ ମୁହାଁମୁହିଁ ହୋଇଛନ୍ତି। କେତେବେଳେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିଛାଇ ଠିକା ସଂସ୍ଥାର ଗାଡ଼ି ପୋଡି ଦେଇଛନ୍ତି ତ, ବିସ୍ଫୋରଣରେ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଛି। ପୁଣି କେତେବେଳେ ପୁଲିସର ଏନ୍‌କାଉଣ୍ଟରରେ ମହିଳା ମାଓବାଦୀଙ୍କର ମୃତ୍ୟୁ ଘଟିଛି। ଗତ କିଛି ମାସ ଧରି ଏ ବାଲିଗୁଡ଼ା, ଗୋଛାପଡ଼ା ଅଞ୍ଚଳରେ ପୁଲିସର କମ୍ବିଂ ଅପରେସନକୁ ମଧ୍ୟ ଜୋରଦାର କରାଯାଇଛି। ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ମଧ୍ୟ ଜାରି ରହିଛି। କନ୍ଧମାଳ ଜିଲ୍ଲାର ମାଓପ୍ରବଣ ଅଞ୍ଚଳ ଭାବେ ପରିଚିତ ବେଲଘର, ଝିରିପାଣି, ଲଙ୍କାଗଡ଼ ଆଦି ଅଞ୍ଚଳକୁ ଚଳାଚଳ କରୁଥିବା ଓଏସ୍‌ଆର୍‌ଟିସି ସରକାରୀ ବସ ଚଳାଚଳ ବନ୍ଦ ରହିଥିବାରୁ ସେସବୁ ଅଞ୍ଚଳକୁ ଯାତାୟାତରେ ବହୁ ଅସୁବିଧା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe