ମାଲକାନଗିରିରେ ନିଜର ଉପସ୍ଥିତି ଜାହିର କଲେ ମାଓବାଦୀ, ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ

Advertisment
ମାଲକାନଗିରିରେ ନିଜର ଉପସ୍ଥିତି ଜାହିର କଲେ ମାଓବାଦୀ, ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ

ମାଲକାନଗିରି: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ମଲକାନଗିରିରେ ମାଓ ପୋଷ୍ଟର ଏବଂ ବ୍ୟାନର ଦେଖିବାକୁ ମିଳିଛି। ଏହି ପୋଷ୍ଟର ଚିତ୍ରକୋଣ୍ଡା ବ୍ଲକର ଟନେଲ କ୍ୟାମ୍ପ ନିକଟରେ ଲଗାଇଛନ୍ତି ମାଓବାଦୀ। ପୋଷ୍ଟରରେ ନୀରିହ ଲୋକଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରାଯାଇଛି। ସ୍ବାଭିମାନ ଅଂଚଳର ଦଣ୍ଡକାରଣ୍ୟ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି।

ଏସଆର କମ୍ପାନି ପକ୍ଷରୁ କରାଯାଇଥିବା ପାଇପ ଲାଇନକୁ ବିରୋଧ କରାଯାଇଛି। ପୁଲିସ ଗଂଜେଇ କାଟିବା ଏବଂ ଚୋରାଚାଲାଣ ବନ୍ଦ କରିବା ନାମରେ ନୀରିହ ଲୋକଙ୍କୁ ଅତ୍ୟାଚାର କରୁଥିବା ମାଓବାଦୀ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ତେବେ ଏହା ଅତ୍ୟଧିକ ହେଉଥିବାରୁ ଏହାକୁ ତୁରନ୍ତ ବନ୍ଦ କରାନଗଲେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।

ପ୍ରକାଶ ଥାଉକି ଗତ କିଛି ଦିନ ତଳେ ପୁଲିସ ଡିଜି ସୁନୀଲ ବଂଶଲ ମାଲକାନଗିରି ଗସ୍ତ କରି ସ୍ବାଭିମାନ ଅଂଚଳର ଯନ୍ତ୍ରୀ ବିଏସଏଫ କ୍ୟାମ୍ପ ପରିଦର୍ଶନ କରିବା ସହ ଏହି ଅଂଚଳର ଲୋକଙ୍କୁ ଭେଟି ନକ୍ସଲକୁ ଆଉ ସମର୍ଥନ ନକରିବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହ ୫୦ ଜଣ ମିଲିସିଆ କ୍ୟାଡରମାନେ ଆତ୍ମସମର୍ପଣ କରିଥିଲେ। ତେବେ ମାଓବାଦୀଙ୍କୁ ଏହା ଶକ୍ତ ଧକ୍କା ଲାଗିଛି। ତେଣୁ ଏହି ପୋଷ୍ଟର ମାରି ଲୋକଙ୍କୁ ଭୟଭିତ କରୁଛନ୍ତି।

ତେବେ ଏହି ପୋଷ୍ଟର ମାୋବାଦୀ ଲଗାଇଛନ୍ତି ନା ଗଂଜେଇ ବେପାରୀମାନେ ଲଗାଇଛନ୍ତି ତାହାକୁ ନେଇ ସଂଦେହ ସୃଷ୍ଟି ହୋଇଛି।ଜିଲ୍ଲାରେ ବିଏସଏଫ ଏବଂ ପୁଲିସର ଡିଭିଏଫ, ଏସଓଜି ତରଫରୁ ଜୋରଦାର ଚଢଉ କରାଯାଇଥିବା ବେଳେ ନକ୍ସଲ ଜିଲ୍ଲାରୁ ହଟିବାକୁ ବାଧ୍ୟ ହୋଇଛନ୍ତି। ଏପରିକି ନିଜର ଗଡ କହୁଥିବା ସ୍ବାଭିମାନ ଅଂଚଳରୁ ମଧ୍ୟ ନକ୍ସଲ ଏକ ପ୍ରକାର ହଟିଯାଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବେ ନକ୍ସଲ ପୁଲିସ ଉପରେ ନିଜର ରାଗ ସୁଝାଉଛି। ପୁଲିସ ଲୋକଙ୍କୁ ନିଜ ପକ୍ଷ କରିବାରେ ସଫଳ ହୋଇଛି। ପ୍ରଶାସନ ମଧ୍ୟ ବିକାଶ କାର୍ଯ୍ୟକୁ ତରାନ୍ବିତ କରୁଛନ୍ତି। ତେଣୁ ମାଓବାଦୀମାନେ ଏବେ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି। ପୋଷ୍ଟର ମାରି ନିଜର ଉପସ୍ଥିତି ଜାହିର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe