ନକ୍ସଲ ପ୍ରେସ୍‌ ବିବୃତ୍ତି: ଗୁଳିବିନିମୟରେ ୬ ନକ୍ସଲଙ୍କ ମୃତ୍ୟୁ, ପୁଲିସ କହୁଛି ୧୦

Advertisment
ନକ୍ସଲଙ୍କ ଶବ ଧରି ଫେରୁଥିବା ବେଳେ ଗୁଳିବର୍ଷା କଲେ ମାଓବାଦୀ, କଡ଼ା ଜବାବ ଦେଲେ ସୁରକ୍ଷାକର୍ମୀ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର କାକେର ଓ ଟେକ୍କାମେଟା ଜଂଗଲରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟରେ ପ୍ରକୃତରେ ୬ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ। କିନ୍ତୁ ପୁଲିସ ଗଣମାଧ୍ୟମ ଆଗରେ ୧୦ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ସଫେଇ ଦେଇଛନ୍ତି। ସେଥିରୁ ୪ ଜଣ ଗ୍ରାମବାସୀ ଅଟନ୍ତି ବୋଲି ଆଜି ପ୍ରେସ ବିବୃତ୍ତିରେ ମାଓ ସଂଗଠନ ସ୍ପଷ୍ଟୀକରଣ ଦେଇଛି। ପୁଲିସର ମିଥ୍ୟା ପ୍ରଚାରକୁ ନିନ୍ଦା କରିବା ସହ ମୃତ ଗ୍ରାମବାସୀ ଏବଂ ସହିଦ କମ୍ରେଡଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ବୋଲି କହିଛନ୍ତି।

ନକ୍ସଲଙ୍କ କହିବା ଅନୁଯାୟୀ ୩୦ ତାରିଖ ଦିନ କାକୁର ଏବଂ ମଙ୍ଗବେଡା ଗ୍ରାମର ଗ୍ରାମବାସୀ ଜଂଗଲରେ ନିଜର ପରଂପରା ଅନୁଯାୟୀ ପୂଜାର୍ଚ୍ଚନା କରୁଥିଲେ। ଅଚାନକ ପୁଲିସ ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ଉପରେ ଗୁଳି ବର୍ଷଣ କରିଥିଲା। ଲୋକେ ଭୟରେ ଏଣେତେଣେ ଦୌଡ଼ି ପଳାଇଥିଲେ। ଏହି ଗୁଳି ବିନିମୟରେ ୪ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିଲା। ସେମାନେ ହେଲେ ପାଣ୍ଡୁ କାବାସି, ରାମଲୁ ନରୋଟି, ମେନୁ କୋରଚା ଏବଂ ଲାଲସୁ କାବାସି। ନକ୍ସଲ ତରଫରୁ ଏହି ହତ୍ୟା କାଣ୍ଡକୁ ବିରୋଧ କରିବା ସହ ଆନ୍ଦୋଳନ କରିବାକୁ ଆହ୍ବାନ ଦେଇଛନ୍ତି। ସେହି ଜଂଗଲରେ ଗୁଳିବିନିମୟରେ ପାର୍ଟିର ୬ ଜଣ ମାଓବାଦୀ ମୃତ୍ୟୁବରଣ କରିଛନ୍ତି। ସେମାନେ ହେଲେ ଯୋଗନ୍ନା, ବିନୟ, ମାଲେସ ଉଣ୍ଡାମି, ସରିତା ଜେଟ୍ଟି, ସିନ୍ଧୁ ଗାବଡେ ଏବଂ ସିଲ୍କା କୁଞ୍ଜାମ ବୋଲି ସଂଗଠନ କହିଛି। ପୁଲିସର ମିଥ୍ୟା ପ୍ରଚାର ଏବଂ ଗ୍ରାମବାସୀଙ୍କ ଉପରେ ବର୍ବରତାକୁ ସଂଗଠନ ବିରୋଧ କରିବା ସହ ଏଭଳି କାର୍ଯ୍ୟକୁ ବିଭିନ୍ନ ସଂଗଠନ, ଜନତା ମଧ୍ୟ ବିରୋଧ କରନ୍ତୁ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe