ପୁଲିସ ଏନକାଉଣ୍ଟରକୁ ନକ୍ସଲଙ୍କ ବିରୋଧ: ରାସ୍ତା ଅବରୋଧ କରିବାକୁ ଆହ୍ବାନ

Advertisment
ଗୋଛାପଡ଼ା ଜଙ୍ଗଲରେ ଏନ୍‌କାଉଣ୍ଟର୍‌: ମାଓବାଦୀଙ୍କ ଗୁଳିରେ ୨ ଏସ୍‌ଓଜି ଯବାନ ଗୁରୁତର

News Nation

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ପୁଲିସ ନିରୀହ ଲୋକଙ୍କୁ ଏନକାଉଣ୍ଟରରେ ହତ୍ୟା କରୁଛି। ଗରିବ ଖଟିଖିଆଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରୁଛି। ଏମିତି ଅଭିଯୋଗ କରିଛି ନକ୍ସଲ ସଂଗଠନ। ଦକ୍ଷିଣ ବସ୍ତର ଡିଭିଜିନାଲ କମିଟି ମାଓ ପ୍ରବକ୍ତା ବିକାଶ ଏକ ପ୍ରେସ ବିଜ୍ଞପ୍ତିରେ ଅଭିଯୋଗ କରିଛନ୍ତି। ବିକାଶଙ୍କ ଅଭିଯୋଗ ହେଲା, ଗତ ୧୨ତାରିଖ ଦିନ ସୁକମା ଜିଲ୍ଲାର କୋଣ୍ଟା ବ୍ଲକ ଅନ୍ତର୍ଗତ ଚିନ୍ତଲନା ଥାନା ଅଂଚଳରେ ପୁଲିସ, ଡିଆର୍‌ଜି, ସିଆର୍‌ପିଏଫ, ଏସ୍‌ଟିଫ ଯବାନ କମ୍ବିଂ ଅପରେସନ କରୁଥିଲେ। ଏହି ସମୟରେ ହୋଇଥିବା ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ। ଏହାକୁ କେନ୍ଦ୍ର କରି ପୁଲିସ ଏବଂ ଯବାନ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୁରମପାଲୀ ଗ୍ରାମର ସୋଡି ନନ୍ଦା ନିଜ ଜମିରୁ ଧାନ କାଟି ଫେରିବା ସମୟରେ ପୁଲିସ ଉଠାଇ ନେଇଥିଲା। ସେହିପରି ତାରୋଲି ଗ୍ରାମର ମାଡ଼କମ ହିଡ଼ମାକୁ ଘରୁ ଉଠାଇ ନେଇ ଉଭୟଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ପୁଲିସର ଏହି ହତ୍ୟାରେ ପେଦାବଡ଼କେଲ ଗ୍ରାମର ମଡ଼କମ ଅର୍ଜୁନ, ବାରସେ ରାମଲାଲ, ସୁରପନଗୁଡ଼ାର ବଂଜମ ଦେବା, ଲଖପାଲ ଗ୍ରାମର ତେଲମ ନନ୍ଦା, ଜବାଗୁଡ଼ାର ମାଡ଼କମ ଭୀମା, ତିମାପୁରମ ଗ୍ରାମର ନିପୋ ଭୀମା, ବୋଡ଼ାମ ଗ୍ରାମର ବାରସେ ରମେଶ, କଗୁଣ୍ଡମ ଗ୍ରାମର ମଡ଼କମ ଵାଗା ପ୍ରମୁଖ ସାମିଲ ଥିଲେ। ଏମାନଙ୍କୁ କ୍ରାନ୍ତିକାରୀ ଜନତା କେବେ ମଧ୍ୟ ଛାଡ଼ିବେ ନାହିଁ। ଏମାନେ ସୁରକ୍ଷାକର୍ମୀଙ୍କ ସହ ମିଶି ଗୁଣ୍ଡାଗିରି କରୁଛନ୍ତି। ଏହି ଗ୍ରାମ ଗୁଡ଼ିକରେ ପୁଲିସ ପଶି ଲୋକଙ୍କୁ ହଇରାଣ କରୁଛି। ଲୋକଙ୍କ ଠାରୁ ମଦ, ଟଂକା, କୁକୁଡ଼ା, ବନ୍ଧୁକ ଆଦି ଛଡ଼ାଇ ନେଇଥିବା ବିକାଶ ଅଭିଯୋଗ କରିଛନ୍ତି। ଏଥିସହ ୨୫ରୁ ୩୦ଜଣ ଗ୍ରାମବାସୀଙ୍କୁ ଧରି ନିର୍ଧୂମ ପିଟିବା ପରେ ଛାଡ଼ି ଦେଇଛନ୍ତି। ପ୍ରାୟ ୧୦ଜଣ ଗ୍ରାମବାସୀଙ୍କୁ ଚିନ୍ତଲନାର ପୁଲିସ ଧରି ଜେଲରେ ଭର୍ତ୍ତି କରିଛି।

ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ତରଫରୁ ଏହି ମିଥ୍ୟା ଏନକାଉଣ୍ଟର ଏବଂ ମିଥ୍ୟା ଗିରଫଦାରୀକୁ ଘୋର ନିନ୍ଦା କରାଯାଉଛି। ମାନବାଧିକାର ସଂଗଠନ, ଆଦିବାସୀ ସମାଜ, ବୁଦ୍ଧିଜୀବୀଙ୍କୁ ଅନୁରୋଧ କରାଯାଉଛି ଯେ ମିଥ୍ୟା ଏନକାଉଣ୍ଟରକୁ ବିରୋଧ କରି ଆନ୍ଦୋଳନ କରନ୍ତୁ। ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ସହ ରାସ୍ତା ଅବରୋଧ କରନ୍ତୁ ବୋଲି ନକ୍ସଲ ଆହ୍ବାନ ଦେଇଛନ୍ତି। ଏଥିରେ ସଂପୃକ୍ତ ଯବାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଲୋକେ ଦାବି କରିବା ସହ ଏଠାରୁ ପୁଲିସ କ୍ୟାମ୍ପ ଏବଂ ସୁରକ୍ଷାକର୍ମୀଙ୍କୁ ହଟାଇବାକୁ ମଧ୍ୟ ଦାବି କରନ୍ତୁ। ବିଜାପୁର ଜିଲ୍ଲାରେ ସାରକେଗୁଡ଼ା, ରାଜପେଣ୍ଟା, କୋତ୍ତାଗୁଡ଼ା ଗ୍ରାମବାସୀ ପାଣ୍ଡୁମ ପାଇଁ ଏକତ୍ରିତ ହୋଇଥିଲେ। କିନ୍ତୁ ପୁଲିସ ଏମାନଙ୍କୁ ଚାରିପଟୁ ଘେରି ଗୁଳି ଚଳାଇଥିଲା। ଘଟଗାଁର ୧୭ଜଣ, ରୁହସମେଟା ଗ୍ରାମର ୮ ଜଣ, ଗୋମାପାଡ଼ ଗ୍ରାମର ୧୨ ଜଣ, ତାଡ଼ବାଲ୍ଲା ଗ୍ରାମର ୧୦ ଜଣଙ୍କୁ ପୁଲିସ ହତ୍ୟା କରିଥିବା ବିକାଶ ଅଭିଯୋଗ କରିଛନ୍ତି। ସେହିପରି ଗତବର୍ଷ ମଧ୍ୟ ନୁଲକାତୋଙ୍ଗ ଗ୍ରାମରେ ୧୫ ଜଣଙ୍କୁ ପୁଲିସ ହତ୍ୟା କରିଥିଲା ବୋଲି ଦର୍ଶାଇ ଏସବୁ ମିଥ୍ୟା ଏନକାଉଣ୍ଟରକୁ ବିରୋଧ କରିବା ସହ ନିନ୍ଦା କରିବାକୁ ବିକାଶ ପ୍ରେସ୍ ବିଜ୍ଞପ୍ତିରେ ଆହ୍ବାନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe