ମାଲକାନଗିରି: ୮୪ ଲକ୍ଷ ଟଙ୍କା ପୁରସ୍କାର ଥିବେ ଦୁର୍ଦ୍ଦାନ୍ତ ନକ୍ସଲ ସନ୍ଦୀପ ଓରଫ ବିଜୟ ଯାଦବର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏହି ନକ୍ସଲ କମାଣ୍ଡରକୁ ୬ଟି ରାଜ୍ୟର ପୁଲିସ ଖୋଜୁଥିଲା। ମୃତ୍ୟୁବେଳକୁ ସନ୍ଦୀପକୁ ୫୫ ବର୍ଷ ବୟସ ହୋଇଥିଲା। ସନ୍ଦୀପ ନାଁରେ ଓଡିଶା, ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ କେଶ ରହିଥିବା ଜଣାପଡିଛି।
ତେବେ ସନ୍ଦୀପକୁ ଧୋକ୍କା ଦେଇ ବିଷ ଦିଆଯାଇଥିବା ଜଣାପଡିଛି। ବିଭିନ୍ନ ରାଜ୍ୟରେ ସନ୍ଦୀପ ବିରୋଧରେ ରହିଥିବା ପୁରସ୍କାର ରାଶିକୁ ମିଶାଇଲେ ପ୍ରାୟ ୮୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ। ଗତ ତିନି ଦଶକ ହେଲେ ଉପରକ୍ତ ରାଜ୍ୟଗୁଡିକରେ ସେ ଲୋକଙ୍କ ମନ ଭିତରେ ଭୟ ସଂଚାର କରିବା ସହ ପୁଲିସର ନିଦ ହଜାଇ ଦେଇଥିଲା। ସନ୍ଦୀପ ମୁଖ୍ୟତଃ ବିହାରର ଗୟା ଜିଲ୍ଲାର ବାସିନ୍ଦା ଅଟେ। ନକ୍ସଲ ସଂଗଠନରେ ଜଡିତ ହେବା ପରେ ସେ ବିଭିନ୍ନ ଅଂଚଳକୁ ବଦଳି ହେବା ସହ ସେହି ଅଂଚଳରେ ବଡ ବଡ ଅଘଟଣ ଘଟାଇ ପୁଲିସକୁ ଚ୍ୟାଲେଞ୍ଜ କରିଥିଲା। ବହୁ ପୁଲିସ କର୍ମୀଙ୍କ ଜୀବନ ସେ ନେଇଛି।
ବିଗତ ଦିନରେ ସେ ବୋମା ବିସ୍ଫୋରଣରେ ଆହତ ହୋଇଯାଇଥିଲା, ଯାହାଫଳରେ ସେ ଆଉ ବଡ ବଡ ଅଘଟଣ ଘଟାଇବା ପାଇଁ ଭୟ କରୁଥିଲା। ଦେଶର ପ୍ରବର୍ତ୍ତନ ନିର୍ଦେଶାଳୟ ପ୍ରଥମ କରି ଜଣେ ନକ୍ସଲର ଘରେ ଚଢ଼ଉ କରିଥିଲା। ଚଢ଼ଉରେ ଇଡି ଜାଣିବାକୁ ପାଇଥିଲା ଯେ, ସନ୍ଦୀପର ୮୬ ଲକ୍ଷ ଟଂକାର ସ୍ଥାବର ଓ ଅସ୍ଥାବର ସଂପତ୍ତି ରହିଛି। ସନ୍ଦୀପର ମୃତ୍ୟୁରେ ସଂଗଠନକୁ ଏକ ବଡ ଝଟକା ଲାଗିଥିବା କୁହାଯାଇଛି। ସନ୍ଦୀପର ମୃତ୍ୟୁକୁ ନେଇ ୬ଟି ରାଜ୍ୟର ପୁଲିସ ଏବେ ଏହାର ତଦନ୍ତ ଆରମ୍ଭ କରିଛି।
Follow Us