ବଣ୍ଡାଘାଟିରେ ନକ୍ସଲଙ୍କୁ ପୁଣି ଝଟ୍‌କା : ଆତ୍ମସମର୍ପଣ କଲେ ୭୦୦ ସମର୍ଥକ, ୩୦୦ ମିଲିସିଆ

ବଣ୍ଡାଘାଟିରେ ନକ୍ସଲଙ୍କୁ ପୁଣି ଝଟ୍‌କା : ଆତ୍ମସମର୍ପଣ କଲେ ୭୦୦ ସମର୍ଥକ, ୩୦୦ ମିଲିସିଆ

ମାଲକାନଗିରି/ଖଇରପୁଟ : ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କୁ ପୁଣି ଶକ୍ତ ଝଟ୍‌କା ଲାଗିଛି। ବଣ୍ଡାଘାଟିର ଅଣ୍ଡ୍ରାହାଲ ଠାରେ ବିଏସ୍‌ଏଫ୍‌ ଏବଂ ଜିଲ୍ଲା ପୁଲିସ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୭୦୦ ସମର୍ଥକ ଏବଂ ୩୦୦ ମିଲିସିଆ ଆଜି ଗୋଟିଏ ଦିନରେ ମୁଖ୍ୟସ୍ରୋତକୁ ଫେରିଛନ୍ତି। ଅଣ୍ଡ୍ରାହାଲ ଏବଂ ମୁଦୁଲିପଡା ପଞ୍ଚାୟତ ଅନ୍ତର୍ଗତ ଭେଜାଗୁଡା, ବିଷେଇଗୁଡା, ଖାଲଗୁଡା, ପାତ୍ରପୁଟ, ଓଣ୍ଡେଇପଦର, ସମ୍ବଲପୁର, ସିନ୍ଧିପୁଟ ଗାଁ ସମେତ ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମରାଜୁ ଜିଲ୍ଲାର ପାଡାଲପୁଟ, କୁସୁମପୁଟ, ମାତାପୁଟ ଏବଂ ଯୋଡିଗୁଡା ଗାଁର ସମର୍ଥକ ତଥା ମିଲିସିଆ ଆତ୍ମସମର୍ପଣ କରିଛନ୍ତି। ବଡ଼କଥା ହେଲା ଓଡ଼ିଶାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶର ୧୩ଜଣ ମିଲିସିଆ ଏବଂ ବହୁ ସଂଖ୍ୟାରେ ସମର୍ଥକ ନକ୍ସଲଙ୍କ ହାତ ଛାଡ଼ିଛନ୍ତି।

publive-image

ଉପରୋକ୍ତ ଅଞ୍ଚଳର ନକ୍ସଲ ସମର୍ଥକ ଏବଂ ମିଲିସିଆ ବିକାଶକୁ ସମର୍ଥନ କରି ଉନ୍ନୟନ ପ୍ରକଳ୍ପକୁ ଆଗେଇ ନେବା ପାଇଁ ପୁଲିସ ସହ ଯୋଗାଯୋଗରେ ରହିଥିଲେ। ତେଣୁ ଶନିବାର ଦିନ ଅଣ୍ଡ୍ରାହାଲ ଠାରେ ପୁଲିସ ପକ୍ଷରୁ ‘ଘର ଵାପ୍‌ସି (ଘରକୁ ଫେରିବା) କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ମାଲକାନଗିରି ଏସପି ନୀତୀଶ ଵାଧଵାନୀ, କୋରାପୁଟ ବିଏସ୍‌ଏଫ୍‌ ଡିଆଇଜି ମଦନ ଲାଲ, କମାଣ୍ଡାଣ୍ଟ ଜଗଦୀଶ ଦଳେଇ, ସ୍ଥାନୀୟ ସରପଞ୍ଚ ମଙ୍ଗୁଳି ଝିଗିଡି, ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଘ୍ନ କିରସାନୀ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ନକ୍ସଲଙ୍କ ସହ ସମସ୍ତ ସଂପର୍କ ତୁଟାଇ ମୁଖ୍ୟସ୍ରୋତକୁ ଫେରିଥିବା ସମର୍ଥକ ତଥା ମିଲିସିଆଙ୍କୁ ଏହି ଅବସରରେ ଦୈନନ୍ଦିନ ସାମଗ୍ରୀ ସହ ଲୁଙ୍ଗି, ଶାଢ଼ୀ, କମ୍ବଳ, ଶିଶୁଙ୍କ ପାଇଁ ବହିପତ୍ର, ଯୁବକଙ୍କୁ କ୍ରୀଡ଼ା ସାମଗ୍ରୀ ଆଦି ପ୍ରଦାନ କରାଯାଇଥିଲା।

ସରକାର କାର୍ଯ୍ୟକାରୀ କରିଥିବା ଯୋଜନା ସେମାନଙ୍କୁ ପ୍ରଭାବିତ କରିଥିଲା। ତେଣୁ ନିଜ ଅଞ୍ଚଳର ବିକାଶ ପାଇଁ ସେମାନେ ମୁଖ୍ୟସ୍ରୋତକୁ ଫେରିଛନ୍ତି ବୋଲି ସମସ୍ତ ସମର୍ଥକ ଏବଂ ମିଲିସିଆ ପ୍ରକାଶ କରିଥିଲେ। ଏହାପରେ ନକ୍ସଲଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇ କୁଶପୁତ୍ତଳିକା ଦାହ କରିଥିଲେ। ଏପରିକି ନକ୍ସଲ ଯଦି ଆଗାମୀ ଦିନରେ ଗାଁରେ ପଶିବେ ସମସ୍ତେ ଏକତ୍ରିତ ହୋଇ ତଡ଼ିବେ। ଆଗକୁ ବି ବହୁ ସଂଖ୍ୟାରେ ସମର୍ଥକ ଏବଂ ମିଲିସିଆ ଆତ୍ମସମର୍ପଣ କରିବେ ବୋଲି କହିଥିଲେ। ସେହିପରି ପୁଲିସ ଏବଂ ବିଏସ୍‌ଏଫ୍‌ ପକ୍ଷରୁ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି କୁହାଯାଇଥିଲା। ଯେଉଁମାନେ ମୁଖ୍ୟସ୍ରୋତକୁ ଫେରିଛନ୍ତି ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ସହ ଆତ୍ମନିର୍ଭରଶୀଳ କରାଯିବ। ତେଣୁ ମାଓବାଦୀ ହିଂସା ଛାଡ଼ି ଗଣତନ୍ତ୍ରକୁ ସମର୍ଥନ କରିବାକୁ ଏହି ଅବସ‌ରରେ ପୁଣି ଆହ୍ବାନ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe