ମାଲକାନଗିରି : ପୁଲିସ ପାଇଁ ଥିଲା ମୋଷ୍ଟ ୱାଣ୍ଟେଡ। ବାରମ୍ବାର ଚକମା ଦେଇ ପୁଲିସ ପଞ୍ଝାରୁ ଖସି ଯାଇଥିଲା। କିନ୍ତୁ ନକ୍ସଲ ଲୋକଙ୍କ ବିକାଶ ବଦଳରେ କରୁଛନ୍ତି ବିନାଶ। ତେଣୁ ସଂଗଠନରେ ବାରମ୍ବାର ମତଭେଦ ସୃଷ୍ଟି ହୋଇଥିଲା। ଶେଷରେ ସଂଗଠନରେ ଅଣଦେଖାର ଶିକାର ହୋଇ ଭେଦଭାବର ସମ୍ମୁଖୀନ ହୋଇଥିଲା। ଆତ୍ମସମର୍ପଣ ପରେ ଗଣମାଧ୍ୟମ ଏହା କହିଛି ଦୁର୍ଦାନ୍ତ ମାଓବାଦୀ ଜିପ୍ରୋ ହାବିକା।
ମୁଖ୍ୟସ୍ରୋତକୁ ଫେରିବା ପାଇଁ ୩୦ବର୍ଷୀୟ ଜିପ୍ରୋ ବହୁ ଦିନ ହେଲା ପୁଲିସ ସହ ଯୋଗାଯୋଗରେ ରହିଥିଲା। ଶେଷରେ ଆଜି ସେ ମାଲକାନଗିରି ଏସ୍ପି ଋଷିକେଶ ଖିଲାରୀ ଏବଂ ବିଏସ୍ଏଫ୍ କମାଣ୍ଡାଣ୍ଟ ଅମରେନ୍ଦ୍ର ସିଂହଙ୍କ ନିକଟରେ ଆତ୍ମସମର୍ପଣ କରିଛି। ଏହାପରେ ମାଲକାନଗିରି-ବିଶାଖା ବର୍ଡର ଡିଭିଜନ ଏରିଆ କମିଟି ସଦସ୍ୟ ଜିପ୍ରୋ ସଂଗଠନରେ ବିତାଇଥିବା ଦୁର୍ବିଷହ ଜୀବନ ସଂପର୍କରେ ପ୍ରକାଶ କରିଛି। କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ଖାଜାଗୁଡ଼ା ଗ୍ରାମ ମୂଳବାସିନ୍ଦା ହୋଇଥିବା ବେଳେ ବାପା ବଳି ହାବିକା ବୃତ୍ତିରେ ଜଣେ ଚାଷୀ। ୨୦୧୨ ମସିହାରେ ସଂଗଠନରେ ସାମିଲ ହେବାପରେ ପଛକୁ ଫେରି ଚାହିଁ ନଥିଲା। ବହୁ ହିଂସାରେ ସଂପୃକ୍ତ ଥିଲା ଏବଂ ନେତୃତ୍ବ ମଧ୍ୟ ନେଇଥିଲା। ଏଥିପାଇଁ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ ଥିବା ଏହି କୁଖ୍ୟାତ ମାଓବାଦୀର ମୁଣ୍ଡ ପାଇଁ ସରକାର ୪ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।
Follow Us