ବଣ୍ଡାଘାଟିରେ ନକ୍ସଲ ହିଂସା : ୮ଗାଡ଼ି ଜାଳିଦେଲେ

ବଣ୍ଡାଘାଟିରେ ନକ୍ସଲ ହିଂସା : ୮ଗାଡ଼ି ଜାଳିଦେଲେ

ମାଲକାନଗିରି/ଖଇରପୁଟ/ଗୋବିନ୍ଦପାଲ୍ଲୀ : ମାଲକାନଗିରିରେ ଗତ କିଛି ଦିନ ହେଲା ବଢ଼ିବାରେ ଲାଗିଛି ନକ୍ସଲ ହିଂସା। ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପରେ ଖଇରପୁଟ ବ୍ଲକର ବଣ୍ଡାଘାଟିକୁ ଟାର୍ଗେଟ୍‌ କରିଛନ୍ତି ନକ୍ସଲ। ଗତକାଲି ରାତିରେ ପ୍ରାୟ ୫୦ ସଶସ୍ତ୍ର ନକ୍ସଲ ଏଠାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ୮ଟି ଗାଡ଼ିକୁ ପୋଡ଼ି ଦେଇଛନ୍ତି।

ଖଇରପୁଟ ବ୍ଲକର ବଣ୍ଡା ଘାଟିର ମୁଦୁଲିପଡା ଠାରୁ ଅଣ୍ଡ୍ରାହାଲ ପର୍ଯ୍ୟନ୍ତ ପ୍ରାୟ ୧୪ କିଲୋମିଟର ପକ୍କା ରାସ୍ତା ନିର୍ମାଣ କରାଯାଉଛି। ମୁଦୁଲିପଡା-ଅଣ୍ଡ୍ରାହାଲ ରାସ୍ତାରେ ଠିକାଦାର ଜଣକ କ୍ୟାମ୍ପ କରି ନିଜର ସମସ୍ତ ଗାଡି ସେଠାରେ ରଖିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢେ ୯ଟା ବେଳେ ଦୁଇ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ମଟର ସାଇକଲରେ କ୍ୟାମ୍ପ ନିକଟକୁ ଆସି ଟର୍ଚ୍ଚ ମାରି ସ୍ଥିତି ଦେଖିଥିଲେ। ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଶ୍ରମିକମାନେ ଏହାକୁ ଗୁରୁତ୍ୱ ଦେଇ ନଥିଲେ। ପରେ ରାତି ପ୍ରାୟ ୧୨ଟା ବେଳେ ୫୦ରୁ ଊର୍ଧ୍ୱ ସଶସ୍ତ୍ର ନକ୍ସଲ କ୍ୟାମ୍ପରେ ପହଞ୍ଚିଥିଲେ। ତମ୍ବୁ ପକାଇ ଶ୍ରମିକମାନେ ଶୋଇଥିବା ବେଳେ ତମ୍ବୁକୁ କାଟିଦେଇ ଶୋଇଥିବା ଶ୍ରମିକମାନଙ୍କୁ ଉଠାଇଥିଲେ। ଠିକା କ୍ୟାମ୍ପରେ କିରାସିନି ଅଛି କି ବୋଲି ପଚାରି ବୁଝିଥିଲେ। ଗତକାଲି ହିଁ ଠିକାଦାର ଜଣକ ଡିଜେଲ ଆଣି କ୍ୟାମ୍ପରେ ରଖିଥିଲେ। ପରେ କ୍ୟାମ୍ପରେ ମହଜୁଦ ଥିବା ୩ଶହ ଲିଟର ଡିଜେଲକୁ ନେଇ ଗାଡ଼ି ଗୁଡ଼ିକ ଉପରେ ଢାଳି ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ଶ୍ରମିକମାନଙ୍କ ମୋବାଇଲ୍‌ ଫୋନ୍‌ଗୁଡ଼ିକୁ ନକ୍ସଲ ଛଡ଼ାଇ ନେଇ ଗାଡ଼ି ସବୁ ଜଳିଯିବା ପରେ ଫେରାଇଥିଲେ। ତିନି ଦିନ ମଧ୍ୟରେ ଏହି ଜାଗା ଖାଲି ନକଲେ ପରିଣାମ ଭୟଙ୍କର ହେବ ବୋଲି ନକ୍ସଲ ଚେତାବନୀ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe