ଆଜିଠାରୁ ନକ୍ସଲଙ୍କ ସହିଦ ସପ୍ତାହ, ଯବାନ ସଜାଗ; ସୀମା ସିଲ୍‌ କଲା ପୁଲିସ

ଅଡିଓ ଟେପ୍ ଜାରି କଲେ ବେଣୁ, କମ୍ବିଂ ଜୋରଦାର, ଯାଞ୍ଚ କଡ଼ାକଡ଼ି

ଆଜିଠାରୁ ନକ୍ସଲଙ୍କ ସହିଦ ସପ୍ତାହ, ଯବାନ ସଜାଗ; ସୀମା ସିଲ୍‌ କଲା ପୁଲିସ

Telegraph India

ମାଲକାନଗିରି : ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହେଉଛି। ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ନକ୍ସଲ ଗାଁ ଗାଁରେ ଏହି ସପ୍ତାହ ପାଳନ କରିବେ। ସହିଦ ସପ୍ତାହକୁ ଆଖି ଆଗରେ ରଖି ପୁଲିସ ତରଫରୁ ସୀମା ସିଲ୍ କରାଯିବା ସହ ଯାଞ୍ଚ କଡ଼ାକଡ଼ି କରାଯାଉଛି। ଅଜଣା ବ୍ୟକ୍ତିଙ୍କୁ ଦେଖିଲେ ତାଙ୍କର ପରିଚୟ ତଲବ ସହ ସବିଶେଷ ବିବରଣୀ ନେଉଛି ପୁଲିସ। ଆନ୍ଧ୍ର, ତେଲେଙ୍ଗାନା ଏବଂ ଛତିଶଗଡ଼ ସୀମାକୁ ସିଲ୍ କରିବା ସହ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିଛି ପୁଲିସ। ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସହିଦ ସପ୍ତାହ ପୂର୍ବରୁ ମାଓବାଦୀଙ୍କୁ ଲାଗିଛି ବଡ଼ ଝଟ୍‌କା। ଦୁଇ ଦିନ ତଳେ ମାଓବାଦୀ ଏବଂ ପୁଲିସ ଗୁଳିବିନିମୟରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି। ବିଏସ୍‌ଏଫ୍‌ ଯବାନ ମଧ୍ୟ ଦିନରାତି ପଇଁତରା ମାରୁଛନ୍ତି। ଡିଭିଏଫ୍‌, ଏସ୍‌ଓଜି ଯବାନ ମଧ୍ୟ ଜଙ୍ଗଲରେ କମ୍ବିଂ ଜୋରଦାର କରିଥିବା ଜଣାପଡ଼ିଛି। ଜିଲ୍ଲାସାରା ଯବାନଙ୍କ ଛାଉଣି ହୋଇଥିବାରୁ ମାଓବାଦୀ ହିଂସାକାଣ୍ଡ ଘଟାଇବା ସହଜ ନୁହେଁ ବୋଲି କୁହାଯାଇଛି।

publive-image Hindustan Times

ଅନ୍ୟପକ୍ଷରେ ଆଜି କୋରାପୁଟ- ମାଲଗାନକିରି ବର୍ଡର ଡିଭିଜନର ସଂପାଦକ ବେଣୁ ଏକ ଅଡିଓ ଟେପରେ ସହିଦ ସପ୍ତାହ ପାଳନ ପାଇଁ ଆହ୍ବାନ ଦେଇଛନ୍ତି। ବିଭିନ୍ନ ଗ୍ରାମରେ ଲୋକେ ଏକତ୍ରିତ ହୋଇ ଏହି ଦିବସ ପାଳନ କରିବାକୁ ସେ କହିଛନ୍ତି। ଗତ ଜୁଲାଇ ୨୦୧୯ଠାରୁ ଜୁଲାଇ ୨୦୨୦ ପର୍ଯ୍ୟନ୍ତ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ମାଓବାଦୀଙ୍କର ଜୀବନ ଯାଇଥିବା ସଂଗଠନ ସ୍ବୀକାର କରିଛି। ଏହି ସହିଦମାନଙ୍କ ଉଦ୍ଦେଶ୍ୟରେ ଦୁର୍ଗମ ଗ୍ରାମଗୁଡ଼ିକରେ ନାଚଗୀତ ମାଧ୍ୟମରେ ସହିଦ ସପ୍ତାହ ପାଳନ କରାଯିବ। ଗାଁ ଗାଁରେ ସହିଦ ସ୍ତମ୍ଭ ନିର୍ମାଣ କରି ସହିଦଙ୍କ ସ୍ମୃତିଚାରଣ କରାଯିବ। ମାଲକାନଗିରି ଏବଂ ଛତିଶଗଡ଼ ସୀମାରେ ମାଓବାଦୀଙ୍କ ପତିଆରା ରହିଥିବା ଯୋଗୁଁ ସୀମାନ୍ତ ଗ୍ରାମଗୁଡ଼ିକରେ ମାଓବାଦୀ ପହଞ୍ଚି ଲୋକଙ୍କୁ ଏକତ୍ରିତ କରିବେ ବୋଲି ଜଣାପଡ଼ିଛି। ସଂପାଦକ ବେଣୁ କିନ୍ତୁ ଲୋକମାନଙ୍କୁ କରୋନାରୁ ସୁରକ୍ଷିତ ରହିବା ପାଇଁ ମୁହଁରେ ମାସ୍କ ପିନ୍ଧିବା ସହ ସହିଦ ସପ୍ତାହ ବେଳେ ଭିଡ଼ ନ କରିବା ପାଇଁ ଅନୁରୋଧ କରିଛନ୍ତି। ଅଡିଓ ଟେପ୍‌ରେ ସରକାରଙ୍କର ସମାଧାନ ଯୋଜନାକୁ ବିରୋଧ କରିବା ସହ ଗ୍ରୀନହଣ୍ଟ ଜରିଆରେ ବହୁ ମାଓବାଦୀଙ୍କୁ ହତ୍ୟା କରାଯାଇଥିବା କୁହାଯାଇଛି। ଗାଁ ଗାଁରେ ଜଳ, ଜମି ଓ ଜଙ୍ଗଲକୁ ବଞ୍ଚାଇବା ପାଇଁ ଲୋକଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ କହିବା ସହ ଏହି ଆନ୍ଦୋଳନ ଜାରି ରହିବ ବୋଲି ମାଓ ନେତା ବେଣୁ କହିଛନ୍ତି।

ଅନ୍ୟ ପଟେ ମାଓବାଦୀଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅପରେସନ ଜାରି ରଖିଛି ସୁରକ୍ଷାବାହିନୀ। ଲୋକଙ୍କୁ ଭୟ ନ କରି ସାଧାରଣ ଜୀବନଯାପନ କରିବା ପାଇଁ ପୁଲିସ କହିଛି। ସହିଦ ସପ୍ତାହରେ କୌଣସି ଅଧିକାରୀଙ୍କୁ ଆଭ୍ୟନ୍ତରୀଣ ଅଞ୍ଚଳକୁ ନ ଯିବାକୁ କୁହାଯାଇଛି। ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଅଣ୍ଟା ଭାଙ୍ଗିଯାଇଥିବା ବେଳେ ସେମାନେ ଏଥର ସହିଦ ସପ୍ତାହ କିପରି ପାଳନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe