ନକ୍ସଲ ଛାପୁଛନ୍ତି ନକଲି ନୋଟ୍‌

ନକ୍ସଲ ଛାପୁଛନ୍ତି ନକଲି ନୋଟ୍‌

ମାଲକାନଗିରି: ନିଜ ପାଇଁ ହତିଆର ତିଆରି କରୁଥିବା ନକ୍ସଲ ଏବେ ନୋଟ୍‌ ଛାପିବା ଆରମ୍ଭ କରିଛନ୍ତି। ନକଲି ନୋଟ୍‌ରେ ସଂଗଠନର ଅର୍ଥାଭାବକୁ ଦୂର କରିବା ସହ ଦେଶର ଅର୍ଥନୀତିକୁ ଦୁର୍ବଳ କରିବାକୁ ଷଡ଼୍‌ଯନ୍ତ୍ର ହୋଇଥିଲା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ପୁଲିସ ଏମିତି ଚାଞ୍ଚଲ୍ୟକର ଖୁଲାସା କରିଛି। ସୁକମା ଜିଲ୍ଲା କୋରାଜଗୁଡ଼ା ଜଙ୍ଗଲରେ ନକଲି ନୋଟ୍‌ କାରଖାନା ଠାବ କରିବାପରେ ଏହି ସୂଚନା ମିଳିଛି। ନକ୍ସଲଙ୍କ ଗତିବିଧି ସଂପର୍କ‌ରେ ଖବର ପାଇ ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ କୋରାଜଗୁଡ଼ା ଜଙ୍ଗଲରେ ଚଢ଼ଉ କରିଥିଲେ। ତେବେ ପୁଲିସ ଆସୁଥିବା ଖବର ପାଇ ନକ୍ସଲମାନେ ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ। ଘଟଣାସ୍ଥଳରୁ ପୁଲିସକୁ ବିପୁଳ ପରିମାଣରେ ସାମଗ୍ରୀ ମିଳିଥିଲା। ଏହି ସାମଗ୍ରୀରେ ଏମିତି କିଛି ମେସିନ୍‌ ମିଳିଥିଲା ଯାହା ପୁଲିସର ହୋସ୍‌ ଉଡ଼ାଇ ଦେଇଥିଲା। କାରଣ ଏହି ମେସିନ୍‌ ନକଲି ନୋଟ୍‌ ଛାପିବା ପାଇଁ ନକ୍ସଲ ବ୍ୟବହାର କରୁଥିଲେ। ସେହିପରି ୫୦, ୧୦୦, ୨୦୦ ଏବଂ ୫୦୦ ଟଙ୍କିଆ ଜାଲି ନୋଟ୍‌ ମଧ୍ୟ ସେଠାରୁ ମିଳିଛି।

ପୂର୍ବରୁ ବିମୁଦ୍ରୀକରଣ ନକ୍ସଲ ସଂଗଠନର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିଲା। ସେହିପରି କଡ଼ା କଟକଣା ଯୋଗୁଁ ବିଭିନ୍ନ ଉତ୍ସରୁ ନକ୍ସଲଙ୍କ ନିକଟରେ ପହଞ୍ଚୁଥିବା ଟଙ୍କା କ୍ରମାଗତ କମିବାରେ ଲାଗିଛି। ପୂର୍ବଭଳି ଆଉ ସଂଗଠନକୁ ଜନସମର୍ଥନ ମଧ୍ୟ ମିଳୁନି। ସଂଗଠନ ପାଇଁ ଆର୍ଥିକ କାରବାର କରୁଥିବା କିଛି ଟପ୍‌ କ୍ୟାଡର ନିହତ ହୋଇଛନ୍ତି କିମ୍ବା ଗିରଫ ହୋଇଛନ୍ତି। ଏମିତି ଅନେକ କାରଣ ଯୋଗୁଁ ସଂଗଠନର ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ଦୁର୍ବଳ ହୋଇଯାଇଛି। ତେଣୁ ରାସନ ଏବଂ ଅନ୍ୟାନ୍ୟ ଦୈନନ୍ଦିନ କାର୍ଯ୍ୟ ପାଇଁ ଅର୍ଥାଭାବ ହୋଇଥିଲା। ଯାହାକୁ ଜାଲି ନୋଟ୍‌ ଜରିଆରେ ପୂରଣ କରିବାକୁ ସଂଗଠନ ନିଷ୍ପତ୍ତି ନେଇଥିଲା। ଯେତେ ଅଧିକ ଜାଲ୍‌ ନୋଟ୍‌ ବଜାରକୁ ଯିବ ଦେଶର ଅର୍ଥନୀତି ସେତିକି ଦୁର୍ବଳ ହେଉଥିବାରୁ ଗୋଟିଏ ତୀରରେ ଦୁଇଟି ଶିକାର ଲକ୍ଷ୍ୟରେ ନକ୍ସଲ ନୋଟ୍‌ ଛାପିବା ଆରମ୍ଭ କରିଥିଲେ।

ବର୍ତ୍ତମାନ ସୁଦ୍ଧା ନକ୍ସଲ କେତେ ପରିମାଣରେ ଜାଲି ନୋଟ୍‌ ଛାପିଛନ୍ତି ସ୍ପଷ୍ଟ ହୋଇପାରିନି। କିନ୍ତୁ ଗରିବ ଆଦିବାସୀଙ୍କ ଜରିଆରେ ଏହି ନୋଟ୍‌ କାରବାର କରୁଥିଲେ ବୋଲି ଜଣାପଡ଼ିଛି। ବହୁ ପରିମାଣରେ ନୋଟ୍‌ ବଜାରରେ ଏବେ ବି ରହିଥିବା ଅନୁମାନ କରାଯାଉଛି। ୨୦୨୨ ମସିହାରୁ ସୁକମା ଜିଲ୍ଲା କୋଣ୍ଟା ଏରିଆ କମିଟି ଏହି ନୋଟ୍‌ ଛାପୁଥିଲା। ଏଥିପାଇଁ କିଛି ସଦସ୍ୟ ୬ମାସର ତାଲିମ ନେଇଥିଲେ। ବଜାରରେ ମହଜୁଦ ଥିବା ଜାଲି ନୋଟ୍‌ ଜବତ କରିବା ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe